ବିକାନେର : ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହାର ରହସ୍ୟ ଆଜି ବି ଲୋକଙ୍କୁ ଅଜଣା । ଦେଶର ଅଧିକାଂଶ ପ୍ରାଚୀନ ମନ୍ଦିର ଦୁର୍ଗ ଆଦି ରାଜସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥାଏ । ରାଜସ୍ଥାନ ଏହାର ପ୍ରାଚୀନ ଦୁର୍ଗ, ସମୃଦ୍ଧ ଇତିହାସ ଏବଂ ବାଲୁକାମୟ ଭୂ-ପ୍ରକୃତି ପାଇଁ ପ୍ରସିଦ୍ଧ ହୋଇଥିଲେ ମଧ୍ୟ, ଏଠାରେ ଏପରି କିଛି ମନ୍ଦିର ରହିଛି ଯାହା ସହ ଅନେକ କାହାଣୀ ଜଡ଼ିତ ରହିଛି । ଏପରି କାହାଣୀ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ। ବିକାନେରର ଏକ ପୁରୁଣା ମନ୍ଦିର ତାର ନିର୍ମାଣ ଶୈଳୀର ବିଶେଷତ୍ୱ ପାଇଁ ଖ୍ୟାତି ଅର୍ଜନ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୫୫୦ ବର୍ଷ ପୁରୁଣା ଏହି ମନ୍ଦିର ନିର୍ମାଣରେ ଗୋଟିଏ ବି ବୁନ୍ଦା ପାଣି ବ୍ୟବହାର କରାଯାଇନଥିଲା। ଏହା 'ଭଣ୍ଡାସାର ଜୈନ ମନ୍ଦିର' ଭାବରେ ପରିଚିତ। ମନ୍ଦିରର ନିର୍ମାଣ ସମୟରେ ମସଲା ପ୍ରସ୍ତୁତ କରିବା ପାଇଁ ପାଣି ବଦଳରେ ପ୍ରାୟ ୪୦ ହଜାର କିଲୋଗ୍ରାମ ଘିଅ ବ୍ୟବହାର କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ମନ୍ଦିରର କାନ୍ଥରୁ ଆଜି ବି ଘିଅ ଝରୁଥିବା ନେଇ ସ୍ଥାନୀୟ ଲୋକକଥା ରହିଛି।

ଏହି ପ୍ରାଚୀନ ମନ୍ଦିରକୁ ନେଇ ପ୍ରଚଳିତ କାହାଣୀ ଅନୁସାରେ, ମନ୍ଦିର ନିର୍ମାଣ ସମୟରେ ପାରମ୍ପରିକ ନିର୍ମାଣ ସାମଗ୍ରୀ ସହ ଘିଅର ବ୍ୟବହାର କରାଯାଇଥିଲା। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ମନ୍ଦିର ନିର୍ମାଣରେ କାହିଁକି ଘିଅ ବ୍ୟବହାର ହୋଇଥିଲା ? କୁହାଯାଏ, ନିର୍ମାଣ କାର୍ଯ୍ୟରେ ପାଣି ପରିବର୍ତ୍ତେ ପ୍ରାୟ ୪୦ ହଜାର କିଲୋଗ୍ରାମ ଘିଅ ବ୍ୟବହାର କରାଯାଇଥିଲା। ତେବେ ଏହି ଦାବିର ଐତିହାସିକ ପ୍ରମାଣ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ଉପଲବ୍ଧ ନାହିଁ। କିନ୍ତୁ ମନ୍ଦିରର ସବୁଠୁ ଆଶ୍ଚର୍ଯ୍ୟ ଘଟଣା ହେଉଛି । ଆଜି ମଧ୍ୟ ମନ୍ଦିର କାନ୍ଥରୁ ଘିଅ ଝରୁଥିବାର ଦେଖିବାକୁ ମିଳେ । ମନ୍ଦିରର କାନ୍ଥରୁ ଘିଅ ଝରୁଥିବା କଥା ଏହାକୁ ଅନ୍ୟ ମନ୍ଦିରଠାରୁ ଭିନ୍ନ ପରିଚୟ ଦେଇଛି।

ଏହି ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଭିନ୍ନ ମତ ରହିଛି । କିଛି ଲୋକ ଏହାକୁ ଧାର୍ମିକ ଆସ୍ଥା ଓ ଚମତ୍କାର ସହ ଯୋଡ଼ି ଦେଖିଥାନ୍ତି । ଅନ୍ୟପକ୍ଷରେ, ଏହି ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବୈଜ୍ଞାନିକ ଯାଞ୍ଚ ଓ ଐତିହାସିକ ତଥ୍ୟର ଆବଶ୍ୟକତା ରହିଛି । ଭାରତର ପ୍ରାଚୀନ ମନ୍ଦିରଗୁଡ଼ିକ କେବଳ ଧାର୍ମିକ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ଅନେକ ଲୋକକଥା ଓ ଐତିହାସିକ ପରମ୍ପରାର ମଧ୍ୟ ସାକ୍ଷୀ ଅଟେ । ବିକାନେରର ଏହି ମନ୍ଦିରକୁ ନେଇ ପ୍ରଚଳିତ ଅଜବ କାହାଣୀ ଆଜି ବି ଲୋକଙ୍କ ମଧ୍ୟରେ କୌତୂହଳ ସୃଷ୍ଟି କରୁଛି। ତେବେ ମନ୍ଦିରର ପ୍ରକୃତ ଇତିହାସ ଓ ଏହାର ନିର୍ମାଣ ସମ୍ପର୍କିତ ଦାବିଗୁଡ଼ିକୁ ନିଶ୍ଚିତ କରିବା ପାଇଁ ପ୍ରାମାଣିକ ତଥ୍ୟ ଜରୁରୀ ଯାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ ।