ଭୁବନେଶ୍ୱର: ଦେଶର ଆଖିଦୃଶିଆ ଅଭିବୃଦ୍ଧି ସହ ସହରୀକରଣ ଯୋଗୁ ଆକାଂକ୍ଷୀ ଖାଉଟିଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ୁଛି । ଏଭଳି ସ୍ଥିତିରେ ମେଟ୍ରୋ ସହର ତୁଳନାରେ ଟିୟର ୨ ସହର ଗୁଡିକରେ ରିଟେଲ୍ ଶିଳ୍ପ ୨ ଗୁଣ ଅଭିବୃଦ୍ଧି ହାସଲ କରିଛି । ଏହି ଶିଳ୍ପ ଅଭୂତପୂର୍ବ ପ୍ରଦର୍ଶନ ଜାରି ରଖିବ । ରିଟେଲ୍ ବ୍ୟବସାୟର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ପ୍ରାକ୍ସିସ ରିଟେଲ୍ ଲିମିଟେଡ (ହୋମ୍‌ଟାଉନ)ର ସିଇଓ ଶାଶ୍ୱତ ନିଗମ କହିଛନ୍ତି । ପ୍ରମେୟ ଓ ନ୍ୟୁଜ ୭ ପକ୍ଷରୁ ସ୍ଥାନୀୟ ପଟିଆସ୍ଥିତ ହୋଟେଲ୍ କ୍ରିଷ୍ଟାଲ କ୍ରାଉନଠାରେ ଶୁକ୍ରବାର ସଂଧ୍ୟାରେ ୪ର୍ଥ ସଂସ୍କରଣ ରିଟେଲ୍ ଆଇକନ ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଗମ ରିଟେଲ ବ୍ୟବସାୟୀଙ୍କ ମନୋବଳ ବଢ଼ାଇ ଏହା କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓ କଟକର ରିଟେଲ୍ କ୍ଷେତ୍ରର ୨୧ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ରିଟେଲ୍ ଆଇକନ ଆୱାର୍ଡ ପ୍ରଦାନ କରାଯାଇଛି । ଏହି ଅବସରରେ ନିଗମ ପୁଣି କହିଥିଲେ, ଗ୍ରାହକଙ୍କୁ ବୁଝିବା ଏବଂ ବାନ୍ଧି ରଖିବା ଅତ୍ୟନ୍ତ କଷ୍ଟ । ଗ୍ରାହକଙ୍କ ସହ ବ୍ୟକ୍ତିଗତ ଭାବେ ଯୋଡ଼ି ହେବାକୁ ରିଟେଲ୍ ବ୍ୟବସାୟୀମାନେ ଚେଷ୍ଟା କରିଥାନ୍ତି । ଏ କ୍ଷେତ୍ରରେ ଧୈର୍ଯ୍ୟ ଏବଂ ମାନବିକ ଭାବନା ଅତ୍ୟନ୍ତ ଜରୁରି । କୋଭିଡ୍ ପରେ ବିଜନେସ ଗୁଡିକରେ କୌଣସି ଟ୍ରେଣ୍ଡ୍ ଦୀର୍ଘସ୍ଥାୟୀ ହେଉନି । ଗ୍ରାହକ ଉଚ୍ଚାକାଂକ୍ଷୀ ହେବା ସହ ନିଷ୍ପତ୍ତିରେ ଦ୍ରୁତ ପରିବର୍ତ୍ତନ କରୁଛନ୍ତି । ସେମାନଙ୍କୁ ସହଜରେ ବୁଝିବା କଷ୍ଟକର । ଅନ୍ୟପଟେ ଇନଷ୍ଟାଣ୍ଟ ଡେଲଭରି ଆପ୍ ଗୁଡିକର ପ୍ରବେଶ ରିଟେଲ୍ କ୍ଷେତ୍ର ପାଇଁ ଆଉ ଏକ ଆହ୍ୱାନ । କୌଣସି ବି ଆହ୍ୱାନକୁ ସାମ୍ନା କରିବା ମନୋବୃତ୍ତି ସହ ବିଜନେସ ଓନର୍‌ମାନେ ହାତରେ ଅର୍ଥ ସହ ବିକଳ୍ପ ପ୍ରସ୍ତୁତି ରଖନ୍ତୁ । ପରିବର୍ତ୍ତନ ସହ ତାଳ ଦେଇ ନବସୃଜନ ଭିତ୍ତିକ ପନ୍ଥା ଆପଣାନ୍ତୁ । ଏଆଇ ଭଳି ନୂଆ ଜ୍ଞାନକୌଶଳ ସହ ଗ୍ରାହକଙ୍କ ସମ୍ପର୍କ ଆହୁରି ଦୃଢ଼ କରନ୍ତୁ ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମୋଚି ଓ ମେଟ୍ରୋ ସୁ ବ୍ରାଣ୍ଡ୍‌ର ସର୍ବଭାରତୀୟ ରିଟେଲ୍ ମୁଖ୍ୟ ଜଗନ୍ନାଥ ଓଝା କହିଛନ୍ତି, ଗ୍ରାହକଙ୍କୁ ବୁଝିବାକୁ ସର୍ବଦା ଯତ୍ନବାନ ହେବାକୁ ହେବ । ଏ ନେଇ ଦୃଢ଼ ମନୋଭାବ ଜରୁରି । ନିଷ୍ଠା ଏବଂ ପ୍ରତିଜ୍ଞା ଦୃଷ୍ଟିକୋଣରୁ ପ୍ରତି ରିଟେଲ୍ ବ୍ୟବସାୟୀ ଜଣେ ଜଣେ ଆଇକନ । ଦୀର୍ଘ ସମୟ ଧରି ଷ୍ଟୋରରେ ବସି ରହିବା ସହ ବାଣିଜ୍ୟ ପାଇଁ ସେମାନଙ୍କ ଭଲ ପାଇବା ବାରି ହୋଇପଡେ । କୌଣସି ଅଞ୍ଚଳର ସଂସ୍କୃତି ଆଧାରରେ ଗ୍ରାହକଙ୍କ ମନୋଭାବକୁ ବୁଝିଲେ ହିଁ ଏହା ଭବିଷ୍ୟତ ବିଜ୍ନେସ ଗଢ଼ିବାରେ ସହାୟକ ହେବ । ଗ୍ରାହକ କଣ ଚାହୁଁଛନ୍ତି ଏବଂ ସେହି ଅନୁସାରେ ପ୍ରସ୍ତୁତି ଏବଂ ତାଙ୍କୁ ବୁଝାଇବା ଭଳି କ୍ଷମତା ନିଜ ମଧ୍ୟରେ ଉନ୍ନତ କରିବାକୁ ହେବ । ଅନଲାଇନ ଏବଂ ଅଫଲାଇନ ବ୍ୟବସାୟର ଭିଡ଼ରେ ବାଟ ନ ହୁଡି ଠିକ୍ ରାସ୍ତା ଖୋଜିବାକୁ ହେବ । ଅନଲାଇନ ପ୍ଲାଟଫର୍ମ କେବେ ମଧ୍ୟ ଅଫଲାଇନ ରିଟେଲ୍ ବ୍ୟବସାୟ ଗୁଡ଼ିକ ବାଦ ଦେଇ ପାରିବେ ନାହିଁ ।

ରିଟେଲ୍ ଆଇକନ ଆୱାର୍ଡରେ ସମ୍ମାନିତ ବ୍ୟବସାୟୀଙ୍କୁ ଶୁଭେଚ୍ଛା ଜଣାଇ ସୋଆ ବିଶ୍ୱବିଦ୍ୟାଳୟର ଉପସଭାପତି ତଥା ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଶାଶ୍ୱତୀ ଦାଶ କହିଥିଲେ, ଅର୍ଥନୀତିକୁ ରିଟେଲ୍ କ୍ଷେତ୍ରର ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବ୍ୟବସାୟରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି ସାମଗ୍ରିକ ଉନ୍ନତିରେ ସହଭାଗୀ ହେବା ଆମ ଲକ୍ଷ୍ୟ । ପୂର୍ବ ସଂସ୍କରଣରେ ଅଦ୍ୟାବଧି ୫୮ ରିଟେଲ ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆମର ଏହି ଛୋଟ ଉଦ୍ୟମ ଯୋଗୁ ଆଗାମୀ ଦିନରେ ଓଡ଼ିଶାରେ ରିଟେଲ ବ୍ୟବସାୟ କ୍ଷେତ୍ରକୁ ସୁଦୃଢ଼ କରିବ ବୋଲି ଆଶା ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡର ସିଇଓ ସୁନୀଲ ଦାସ, ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ସେଲ୍ସ ଆଣ୍ଡ୍ ମାର୍କେଟିଂ ଗ୍ରୁପ ଡାଇରେକ୍ଟର ହିମାଂଶୁ ହୋତା ପ୍ରମୁଖ ରିଟେଲ୍ ବ୍ୟବସାୟୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ପ୍ରମେୟ ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ମୁଖ୍ୟ ଗଜେନ୍ଦ୍ର ଦାସ, ପ୍ରମେୟ ସେଲ୍ସ ଡିଜିଏମ୍ ଏସ୍ଏଫ୍ ଅଲ୍ଲୀ, ନ୍ୟୁଜ ୭ ଡିଜିଏମ୍ ସିଦ୍ଧାର୍ଥ ରାୟ, ଡିଜିଏମ୍ ବିଶ୍ୱରୂପ ପରିଡା, ଜ୍ୟୋତିର୍ମୟ ପାଣିଗ୍ରାହୀଙ୍କ ସମେତ ପ୍ରମେୟ, ନ୍ୟୁଜ ୭ ଟିମ୍ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ପ୍ରାୟୋଜକ ରହିଥିଲେ, ଟିପିଡବ୍ଲ୍ୟୁଓଡିଏଲ୍, ପ୍ରୀତି ଏଣ୍ଟରପ୍ରାଇଜେସ, କଳାମନ୍ଦିର, ପିଜିଏଲ୍ ଗ୍ରୁପ ଅଫ୍ ଏଣ୍ଟରପ୍ରାଇଜେସ୍, ଓଆଇଏଫ୍ଇଏସ୍ଏମ୍, ରାଜ୍ ଇଲେକ୍ଟ୍ରୋନିକ୍ସ, ପାତ୍ର ଇଲେକ୍ଟ୍ରୋନିକ୍ସ, ଲାଇଫ୍ ହୋଟେଲ, ଆଦିତ୍ୟ ଗ୍ରୁପ, ଡିସିବି ବ୍ୟାଙ୍କ, ରଙ୍ଗିଲା ଗ୍ଲାସୱେୟାର, ଲକ୍ଷ୍ମୀ ମୋବାଇଲ ଆଣ୍ଡ୍ ସର୍ଭିସେସ୍, ନାଲ୍କୋ, ଜେଏସ୍ଡବ୍ଲ୍ୟୁ ଷ୍ଟିଲ ଲିମିଟେଡ, ଏସ୍ପିରିଟ୍ ଟୟୋଟା, ଜିନ୍ଦଲ ଷ୍ଟିଲ୍ ଲିମିଟେଡ, ଟାଟା ଷ୍ଟିଲ, ଆପ୍ଟି ପ୍ଲସ, ଷ୍ଟଲୱାର୍ଟ, ଓମ୍ ଅଏଲ୍ ଆଣ୍ଡ୍ ଫ୍ଲୋର ମିଲ୍ସ ଲିମିଟେଡ, ଓକେସିଏଲ୍ ଏବଂ ଟିପିସିଓଡିଏଲ୍ ।