କୋଲକାତା: ଦେଶରେ ଏବେ ଏସଆଇର ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ନିର୍ବାଚନ ଆୟୋଗଙ୍କ ଦ୍ବାରା କରାଯାଇଥିଲା ଭୋଟର ତାଲିକାର ସ୍ବତନ୍ତ୍ର ବ୍ୟାପକ ସଂଶୋଧନ ବା ଏସଆଇର ପ୍ରକ୍ରିୟାରେ ତ୍ରୁଟି ଥବା ନେଇ ଅଭିଯୋଗ କରୁଛନ୍ତି ବିରୋଧୀ । ଏହାରି ମଧ୍ୟରେ, ପଶ୍ଚିମବଙ୍ଗ ବିଜେପି ସଭାପତି ଏବଂ ରାଜ୍ୟସଭା ସାଂସଦ ସମିକ ଭଟ୍ଟଚାର୍ଯ୍ୟ ରାଜ୍ୟରେ ପୁଣି ଥରେ ଏହି ସଂଶୋଧନ ପ୍ରକ୍ରିୟା କରାଇବାକୁ ଦାବି କରିଛନ୍ତି । ପୂର୍ବ ଟିଏମସି ସରକାର ସମୟରେ ଏହି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସେ ସନ୍ଦେହ କରିଛନ୍ତି । ସେତେବେଳେ ଏସଆଇଆର ପ୍ରକ୍ରିୟା ସହ ଜଡ଼ିତ କର୍ମଚାରୀଙ୍କୁ ମାଡ଼ ମରାଯାଇଥିଲା ଏବଂ ଅନେକଙ୍କ ପ୍ରମାଣପତ୍ରକୁ ଜାଳି ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । 

ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଟିଏମସି ସରକାର ସମୟରେ ଲୋକଙ୍କ ନଥିପତ୍ର ଛଡ଼ାଇ ନିଆଯାଇ ପୋଡ଼ି ଦିଆଯାଇଥିଲା । ନିର୍ବାଚନ ଅଧିକାରୀମାନଙ୍କୁ ଆକ୍ରମଣ କରାଯାଇଥିଲା । କାର୍ଯ୍ୟାଳୟଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା। ଏହା ସହିତ ବ୍ଲକ୍ ଉନ୍ନୟନ ଅଧିକାରୀ, ଆଙ୍ଗନବାଡ଼ି କର୍ମୀ ଏବଂ ବିଜେପିର ବୁଥ୍ ଲେଭଲ୍ ଏଜେଣ୍ଟମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଭୋଟ ଚୋରି ଅଭିଯୋଗରେ ଘେରିବା ପରିବର୍ତ୍ତେ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ପରିଚାଳନା ପାଇଁ ସମ୍ମାନିତ କରାଯିବା ଉଚିତ୍। ପଶ୍ଚିମବଙ୍ଗରେ ପୂର୍ବ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇନଥିବାରୁ ଏଠାରେ ଆଉ ଏକ ପୂର୍ଣ୍ଣାଙ୍ଗ SIR ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।   

ସେହିପରି କକ୍ରୋଚ୍ ଜନତା ପାର୍ଟି ଏବଂ ଅନ୍ୟ ଦଳଗୁଡ଼ିକ ଦ୍ୱାରା ଚାଲିଥିବା ପ୍ରତିବାଦ ଉପରେ ସମିକ ଭଟ୍ଟାଚାର୍ଯ୍ୟ ପ୍ରତିକ୍ରିୟା ଦେଇଛନ୍ତି ।  ସେ କହିଛନ୍ତି ଯେ, ଗଣତନ୍ତ୍ରରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ରହିଛି । କିନ୍ତୁ ଏହି ଆନ୍ଦୋଳନ ପଛରେ ଥିବା ରାଜନୈତିକ ଶକ୍ତିଗୁଡ଼ିକର ଆଭିମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରସଙ୍ଗହୀନ ହୋଇପଡ଼ିଥିବା ଦଳଗୁଡ଼ିକ ଜନସାଧାରଣଙ୍କ ସମର୍ଥନ ନପାଇ ଏଭଳି ଅରାଜକତା ସୃଷ୍ଟି କରୁଛନ୍ତି। ଗଣତନ୍ତ୍ରକୁ କେବେବି ‘ଭିଡ଼ତନ୍ତ୍ର’ ବଦଳାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ପ୍ରଶାସନ ଓ ନ୍ୟାୟପାଳିକାକୁ ସିଧାସଳଖ ଚ୍ୟାଲେଞ୍ଜ କରୁଥିବା ଶକ୍ତିମାନଙ୍କ ପ୍ରତି ସାବଧାନ କରାଇଛନ୍ତି ସମିକ ଭଟ୍ଟାଚାର୍ଯ୍ୟ । ତେବେ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ଦାବିକୁ ନିର୍ବାଚନ ଆୟୋଗ ଗ୍ରହଣ କରିବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିବ ।