ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ପୁନଃନିରୀକ୍ଷଣ(SIR)କୁ ନେଇ ପୂରା ଦେଶରେ ମାହୋଲ ସରଗରମ ରହିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଉଠୁଛି ପଡ଼ୁଛି ରାଜନୀତି। ଏ ସଂପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ତେବେ ଏହା ମଧ୍ୟରେ ନିର୍ବାଚନ ଆୟୋଗର ପ୍ରଶାସନିକ ଢାଞ୍ଚାରେ ବଡ଼ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ ୧୮ରୁ ୨୦ ମୁଖ୍ୟ ନିର୍ବାଚନ ଅଧିକାରୀ(CEO)ଙ୍କ ବଦଳି କରାଯାଇଛି। ଜ୍ଞାନେଶ କୁମାରଙ୍କ ୨୦ ମାସର କାର୍ଯ୍ୟକାଳରେ ECIରେ ଏହା ସବୁଠୁ ବଡ଼ ପ୍ରଶାସନିକ ଅଦଳବଦଳ ହୋଇଥିବା କୁହାଯାଉଛି।

ଦ ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀ, ବିଶେଷ କରି ଉପନିର୍ବାଚନ ଆୟୁକ୍ତ(DEC) ସ୍ତରରେ ଅନେକ ଗୁରୁତ୍ଵପୂର୍ଣ୍ଣ ଅଦଳ ବଦଳ କରାଯାଇଛି।

Also Read: "ଯେପର୍ଯ୍ୟନ୍ତ କାମ ପୂରା ନ ହେବ, ସେପର୍ଯ୍ୟନ୍ତ ଆମେ ଧାରଣାରେ ବସିରହିବୁ": ସୁପ୍ରିମକୋର୍ଟର ଦୁଇ ବିଚାରପତି କାହିଁକି ଦେଲେ ଚେତାବନୀ ?

କେତେ ଅଧିକାରୀଙ୍କ ହୋଇଛି ବଦଳି ?

ତଥ୍ୟ ଅନୁଯାୟୀ, ଗତ କିଛି ବର୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିୟମିତ ଭାବେ ବଦଳି ହୋଇଛି। ମାତ୍ର ୨୦୨୫-୨୬ ଅପେକ୍ଷାକୃତ ଅଧିକ ରହିଛି। ବିଶେଷ କରି ୨୦୨୫ ଫେବୃଆରୀରୁ ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ ଆୟୁକ୍ତ ହେବା ପରେ ଏହି ୨୦ ମାସରେ ୧୮ରୁ ୨୦ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଦଳି ହୋଇଛି।

ଏହା ପୂର୍ବରୁ ୨୦୨୨ ମେରୁ ୨୦୨୫ ଫେବୃଆରୀ ଏହି ୩୩ ମାସରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ କାର୍ଯ୍ୟକାଳରେ ପାଖାପାଖି ୨୩ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଦଳି ହୋଇଥିଲା। ପୁଣି ଏହି ଅବଧିରେ ୨୦୨୪ ଲୋକସଭା ନିର୍ବାଚନ ମଧ୍ୟ ରହିଥିଲା। ତେଣୁ ବଦଳି ହେବା ସ୍ଵାଭାବିକ ଥିଲା।

୪୨ ମାସ ପୂର୍ବର କଥା

ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଓ ସୁଶୀଲ ଚନ୍ଦ୍ରାଙ୍କ କାର୍ଯ୍ୟକାଳରେ ପ୍ରାୟ ୨୯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଦଳି ହୋଇଥିଲା। ଏହି ଅବଧିରେ ମଧ୍ୟ ଲୋକସଭା ନିର୍ବାଚନ ହୋଇଥିଲା। ରିପୋର୍ଟ ଅନୁସାରେ ଲୋକସଭା ନିର୍ବାଚନ ସମୟରେ ସ୍ଵାଭାବିକ ଭାବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଦଳ ବଦଳ ହୋଇଥାଏ। କିନ୍ତୁ ୨୦୨୫ ଏବଂ ୨୦୨୬ରେ ବ୍ୟତିକ୍ରମ ଦେଖା ଦେଇଛି। ଏହି ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀଙ୍କ ଦ୍ରୁତ ଗତିରେ ବଦଳି ହେଉଛି।

Also Read: ପୁଣି ଅପହରଣ! ନେହା ବୋରାଙ୍କୁ ଅଜଣା ଜାଗାକୁ ନେଇଛି ଦିଲ୍ଲୀ ପୁଲିସ, ଅଭିଯୋଗ ଆଣିଲେ ସହଯୋଗୀ

ଉପନିର୍ବାଚନ ଆୟୁକ୍ତସ୍ତରରେ ବି ଅଦଳ ବଦଳ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବ୍ୟତୀତ ନିର୍ବାଚନ ଆୟୋଗର ମୁଖ୍ୟାଳୟରେ ଉପନିର୍ବାଚନ ଆୟୁକ୍ତସ୍ତରରେ ମଧ୍ୟ ଅତି କମରେ ୪ ବଡ଼ ବଦଳି ହୋଇଛି। ରିପୋର୍ଟ ଅନୁସାରେ, ୨୦୨୫ ମେରେ ଭାନୁ ପ୍ରକାଶ ୟେତୁରୁଙ୍କ ନିଯୁକ୍ତି ହୋଇଥିଲା। ଏହା ପରେ ସେହି ବର୍ଷ ସେପ୍ଟେମ୍ବରରେ ପବନ କୁମାର ଶର୍ମାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା।

୨୦୨୬ ଅଗଷ୍ଟରେ ଉପନିର୍ବାଚନ ଆୟୁକ୍ତ ସଞ୍ଜୟ କୁମାରଙ୍କୁ ଅଚାନକ ତାଙ୍କର ମୂଳ କ୍ୟାଡରକୁ ପଠାଇ ଦିଆଯାଇଥିଲା। ଏହା ପରେ ଅକ୍ଟୋବରରେ ପ୍ରକାଶ ରାଜପୁରୋହିତଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହିପରି SIR ପ୍ରକ୍ରିୟା ସମୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ଆୟୋଗର ବରିଷ୍ଠ ପ୍ରଶାସନିକ ଅଧିକାରୀସ୍ତରରେ ମଧ୍ୟ ଲଗାତାର ପରିବର୍ତ୍ତନ ଦେଖିବାକୁ ମିଳିଛି। ତେବେ ଏମିତି ଅଦଳବଦଳ କେତେ ଯୁକ୍ତିଯୁକ୍ତ ତାହା ଆୟୋଗ ହିଁ କହି ପାରିବେ।