ନୂଆଦିଲ୍ଲୀ: ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରରେ ଥିବା କକ୍ରୋଚ୍ ପାର୍ଟିକୁ ନେଇ ଏକ ବଡ଼ ଖବର ସାମନାକୁ ଆସୁଛି । ‘କକ୍ରୋଚ୍ ଜନତା ପାର୍ଟି’କୁ ନିଜ ନାମରେ ପଞ୍ଜୀକୃତ କରିବା ପାଇଁ ହରିୟାଣାର ଜଣେ ଓକିଲ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି । ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥିବା ଏହି ଦଳର ପ୍ରତିଷ୍ଠାତା ଆମେରିକାରେ ରହୁଥିବା ହୋଇଥିବା ବେଳେ, ହରିୟାଣାର ଏହି ଓକିଲ ତାଙ୍କଠାରୁ ଅଲଗା ହୋଇ ସ୍ୱତନ୍ତ୍ର ଭାବେ ଏହାକୁ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ।

ନିଜକୁ ଦଳର ଜାତୀୟ ଆବାହକ (ନ୍ୟାସନାଲ୍ କନଭେନର୍) ବୋଲି ଦାବି କରୁଥିବା ଓକିଲ ସୁଧୀର ଜାଖଡ଼, 'ଜନ ପ୍ରତିନିଧି ଅଧିନିୟମ'ର ଧାରା ୨୯ (ଏ) ଅନୁଯାୟୀ ପଞ୍ଜୀକରଣ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ସଚିବଙ୍କ ନିକଟରେ ଆବେଦନ କରିଛନ୍ତି । ଏହି ଆବେଦନ ପତ୍ରରେ ସିଜେପିର କାକ୍ରୋଚ୍ (ଅସରପା) ଲୋଗୋ ଏବଂ ଜାଖଡ଼ ଓକିଲ ବୋଲି ଉଲ୍ଲେଖ ରହିଛି । ଜାଖଡ଼ଙ୍କ ଦ୍ବାରା ପଞ୍ଜୀକୃତ ହୋଇଥିବା ଏହି ସିଜେପି, ଦଳର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକୁ ନିଜର ବୋଲି ଦାବି କରିପାରେ ।

ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ବେକାର ଯୁବକ ଯୁବତୀଙ୍କ ଉପରେ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ ସିଜେପି ଆରମ୍ଭ ହୋଇଥିଲା । ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ନକଲି ଡିଗ୍ରୀଧାରୀ ଓକିଲ ଏବଂ ସୋସିଆଲ ମିଡିଆ ଆକ୍ଟିଭିଷ୍ଟଙ୍କୁ ଆକ୍ଷେପ କରି ‘କକ୍ରୋଚ’ ଶବ୍ଦ ବ୍ୟବହାର କରିଥିଲେ । ଏହାପରେ ଇଣ୍ଟରନେଟରେ ଏକ ବଡ଼ ଆନ୍ଦୋଳନ ସୃଷ୍ଟି ହୋଇଥିଲା ଏବଂ ସିଜେପି ନାମରେ ଏକ ଭର୍ଚୁଆଲ୍ ଦଳ ଗଠନ କରାଯାଇଥିଲା । ଏହି ପେଜ୍ ନିଜକୁ "ଅଳସୁଆ ଏବଂ ବେକାର ଯୁବକମାନଙ୍କ ସ୍ୱର" ବୋଲି ଦାବି କରିଥିଲା ।

ଓକିଲ ସୁଧୀର ଜାଖଡ଼ଙ୍କ କହିବା ଅନୁଯାୟୀ, ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଥିବା ଆକ୍ରୋଶ ଏବଂ ଏହି ଡିଜିଟାଲ୍ ସଂଗଠନର ବ୍ୟାପକତାକୁ ଦେଖି ସେ ଏହାକୁ ପ୍ରକୃତ ରାଜନୈତିକ ଦଳର ରୂପ ଦେବାକୁ ଚାହୁଁଛନ୍ତି । ସେ ନିର୍ବାଚନ କମିଶନଙ୍କୁ ଦେଇଥିବା ଦସ୍ତାବିଜରେ ଦର୍ଶାଇଛନ୍ତି ଯେ, ଏହି ଦଳ ସମ୍ବିଧାନର ଧାରା ୫୧(ଏ) ଅନୁଯାୟୀ ମୌଳିକ କର୍ତ୍ତବ୍ୟର ପ୍ରଚାର, ଗଣତାନ୍ତ୍ରିକ ଅଂଶଗ୍ରହଣ, ପରିବେଶ ସୁରକ୍ଷା, ପ୍ରାଣୀ କଲ୍ୟାଣ, ଆଇନଗତ ସଚେତନତା ଏବଂ ସ୍ୱଚ୍ଛତା ପାଇଁ କାମ କରିବ ।

ଜାଖଡ଼ କହିଛନ୍ତି, "ଯଦି ଅନ୍ୟ କେହି ଏହି ନାମକୁ ପ୍ରଥମେ ପଞ୍ଜୀକୃତ କରି ଏହାର ଅପବ୍ୟବହାର କରିଥାନ୍ତା, ତେବେ ସମଗ୍ର ଯୁବ ଆନ୍ଦୋଳନ ବ୍ୟର୍ଥ ହୋଇଯାଇଥାନ୍ତା । ତେଣୁ ସେଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଆମେ ନିଜେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଲୁ ।" ଯଦିଓ ସୁଧୀର ଜାଖଡ଼ ନିଜ ଆବେଦନ ପତ୍ରରେ ଦଳର ଲୋଗୋ ଭାବେ ଅସରପାର ଚିତ୍ର ବ୍ୟବହାର କରିଛନ୍ତି, କିନ୍ତୁ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ଏହି ଚିହ୍ନ ମିଳିବା ସମ୍ଭବ ନୁହେଁ । ନିର୍ବାଚନ ସଂକେତ (ସଂରକ୍ଷଣ ଏବଂ ଆବଣ୍ଟନ) ଆଦେଶ, ୧୯୬୮ ଅନୁଯାୟୀ ନିର୍ବାଚନ କମିଶନ ଜୀବଜନ୍ତୁ କିମ୍ବା କୀଟପତଙ୍ଗଙ୍କ ଚିହ୍ନ ଉପରେ କଟକଣା ଲଗାଇଛନ୍ତି । କେବଳ ‘ସିଂହ’ ଏବଂ ‘ହାତୀ’କୁ ଛାଡ଼ି ଅନ୍ୟ କୌଣସି ପଶୁପକ୍ଷୀଙ୍କ ଚିହ୍ନ ଦିଆଯାଏ ନାହିଁ ।