ଭୁବନେଶ୍ୱର : ଅଣ୍ଡାରେ ରହିଛି ପ୍ରଚୁର ପ୍ରୋଟିନ୍ ଓ ଅନେକ ଜରୁରୀ ପୋଷକତତ୍ତ୍ୱ। ଏହା ଶରୀରକୁ ଶକ୍ତି ଦେବା ସହ ମାଂସପେଶୀର ବିକାଶରେ ମଧ୍ୟ ସାହାଯ୍ୟ କରେ। କିନ୍ତୁ ଅଧିକ ଅଣ୍ଡା ଖାଇଲେ କ’ଣ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ? ହୁଏତ ଏବିଷୟରେ ଅଧିକାଂଶ ଲୋକ ଜାଣିନଥାନ୍ତି । ସାଧାରଣତଃ ଅଣ୍ଡାକୁ ପ୍ରୋଟିନ୍ର ଏକ ଭଲ ଉତ୍ସ ଭାବେ ବିବେଚନା କରାଯାଏ। ଏଥିରେ ଭିଟାମିନ୍ B12, କୋଲିନ୍ ଓ ଅନ୍ୟାନ୍ୟ ପୋଷକତତ୍ତ୍ୱ ମଧ୍ୟ ରହିଛି। ତେଣୁ ଅନେକ ଲୋକ ନିଜ ଦୈନନ୍ଦିନ ଡାଏଟରେ ଅଣ୍ଡାକୁ ସାମିଲ କରିଥାନ୍ତି।

ବିଶେଷଜ୍ଞଙ୍କ ମତରେ, ଅଧିକାଂଶ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କ ପାଇଁ ଦିନକୁ ଗୋଟିଏ ସମ୍ପୂର୍ଣ୍ଣ ଅଣ୍ଡା ଏକ ସନ୍ତୁଳିତ ଖାଦ୍ୟର ଅଂଶ ହୋଇପାରେ। ତେବେ ଦୁଇ କିମ୍ବା ତିନୋଟି ଅଣ୍ଡା ଖାଇବା ସମସ୍ତଙ୍କ ପାଇଁ ସମାନ ଭାବେ ଉପଯୁକ୍ତ ହୋଇନଥାଏ । କାରଣ, ଜଣେ ବ୍ୟକ୍ତିଙ୍କ ବୟସ, ଶାରୀରିକ ପରିଶ୍ରମ, ଖାଦ୍ୟାଭ୍ୟାସ ଏବଂ ସ୍ୱାସ୍ଥ୍ୟାବସ୍ଥା ଅନୁସାରେ ଅଣ୍ଡା ଖାଇବାର ପରିମାଣ ଭିନ୍ନ ହୋଇପାରେ।

ତେବେ ଆପଣଙ୍କୁ ଯଦି କୋଲେଷ୍ଟେରଲ୍ ଅଛି ତେବେ ଅଣ୍ଡା ପ୍ରତି ସାବଧାନ ହୁଅନ୍ତୁ | କାରଣ ଅଣ୍ଡାର କେଶରରେ କୋଲେଷ୍ଟେରଲ୍ ରହିଥାଏ। ଯେଉଁମାନଙ୍କ ରକ୍ତରେ ଖରାପ କୋଲେଷ୍ଟେରଲ୍ ଅଧିକ ରହିଛି, ହୃଦ୍ରୋଗ ଅଛି କିମ୍ବା ମଧୁମେହ ରହିଛି, ସେମାନେ ଅଣ୍ଡା ଖାଇବାର ପରିମାଣ ନେଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଅଧିକ ପ୍ରୋଟିନ୍ ଆବଶ୍ୟକ କରୁଥିବା ବ୍ୟକ୍ତି ଅଣ୍ଡାର ଧଳା ଅଂଶ ମଧ୍ୟ ଖାଇପାରିବେ। ଏଥିରେ ପ୍ରୋଟିନ୍ ଥିବାବେଳେ କୋଲେଷ୍ଟେରଲ୍ ନଥାଏ।

ତେବେ ମନେ ରଖନ୍ତୁ, ସ୍ୱାସ୍ଥ୍ୟ ପାଇଁ ଅଣ୍ଡାକୁ ଭଲ ଭାବରେ ସିଝାଇ କିମ୍ବା କମ୍ ତେଲରେ ପ୍ରସ୍ତୁତ କରି ଖାଇବା ଭଲ। ଏହା ସହିତ ପନିପରିବା, ଫଳ, ଡାଲି ଓ ଅନ୍ୟାନ୍ୟ ପୋଷକଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଜରୁରୀ। ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେଲେ ମଧ୍ୟ ଏହାର ପରିମାଣ ଆପଣଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟାଭ୍ୟାସ ଅନୁସାରେ ନିର୍ଦ୍ଧାରଣ କରିବା ଉଚିତ। କୌଣସି ଖାଦ୍ୟକୁ ଅତ୍ୟଧିକ ମାତ୍ରାରେ ଖାଇବା ପରିବର୍ତ୍ତେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ।