ନୂଆଦିଲ୍ଲୀ: ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପଛର କାରଣ ବି ଖୁବ୍ ଆଚମ୍ବିତ କଲା ଭଳି । ଜଣାପଡ଼ିଛି ବ୍ୟକ୍ତିଙ୍କ ପତ୍ନୀ ଅନ୍ୟ ଜଣେ ସହକର୍ମୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଏବଂ ତାଙ୍କ ସହ ରହିବାକୁ ଚାହୁଁଥିବା ଜାଣିବା ପରେ ସ୍ୱାମୀ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର ହୋଇ ଭାରତ ପଳାଇବାକୁ ଚେଷ୍ଟା କରୁଥିବାବେଳେ ଆମେରିକା ପୋଲିସ ହାତରେ ଧରାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ନାମ ଅଙ୍କୁର ପଟେଲ (୩୨) ଏବଂ ମୃତ ମହିଳା ଜଣକ ତାଙ୍କର ପତ୍ନୀ। ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଗତ କିଛି ମାସ ପୂର୍ବରୁ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ ଏବଂ ମହିଳାଜଣକ ୱିସକନ୍ସିନ୍ ସ୍ଥିତ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ।

ତେବେ, ଅଙ୍କୁରଙ୍କ ପତ୍ନୀ ଘରୁ ଚାଲିଯିବା ପରେ ଲୁଇସିଆନାକୁ ଚାଲିଯାଇଥିଲେ ଏବଂ ସେଠାରେ ଜଣେ ପୂର୍ବତନ ସହକର୍ମୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଘଟଣାଦିନ ମହିଳାଜଣକ ନିଜର ପ୍ରେମିକଙ୍କ ସହ ଅଙ୍କୁରଙ୍କ ଆପାର୍ଟମେଣ୍ଟକୁ ଯାଇଥିଲେ। ସେଠାରେ ସେମାନଙ୍କର ଝିଅ ଅଛି କି ନାହିଁ ତାହା ଜାଣିବାକୁ ଚାହିଁଥିଲେ, କିନ୍ତୁ ସେଠାରେ ଝିଅ ନଥିଲା।

ଏହି ସମୟରେ ଅଙ୍କୁର ପତ୍ନୀଙ୍କୁ ବୁଝାସୁଝା କରି ପୁନର୍ବାର ଏକାଠି ରହିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମହିଳାଜଣକ ସେହି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ନିଜର ନୂଆ ସାଥୀଙ୍କ ସହିତ ହିଁ ଜୀବନ ବିତାଇବାକୁ ଚାହୁଁଥିବା ସ୍ପଷ୍ଟ ଭାବେ କହିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଅଙ୍କୁର ଏକ ଧାରୁଆ ଅସ୍ତ୍ରରେ ପତ୍ନୀଙ୍କୁ ଆକ୍ରମଣ କରିଥିଲେ। ପରେ ପୋଲିସ ଜବତ କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଙ୍କ ଶରୀରରେ ଅନେକ କ୍ଷତ ଥିବା ଜଣାପଡ଼ିଛି।

Also Read: ଆମେରିକାରେ ବଢ଼ୁଛି ହିନ୍ଦୁ ବିରୋଧୀ ହିଂସା: ମନ୍ଦିରରେ ଗଣଗୁଳିକାଣ୍ଡ ଷଡଯନ୍ତ୍ର ଘଟଣାରେ ଚିନ୍ତା ବ୍ୟକ୍ତ କଲା ଭାରତ

ଭାରତ ପଳାଇବାକୁ କରୁଥିଲେ ପ୍ରୟାସ

ପତ୍ନୀଙ୍କୁ ହତ୍ୟା କରିବା ପରେ ଅଙ୍କୁର ସେଠାରୁ ଫେରାର ହୋଇଯାଇଥିଲେ। ସେ ଚିକାଗୋର ଓହାୟୋ’ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଯାଇ ଭାରତ ପଳାଇବା ପାଇଁ ଟିକେଟ କାଟିବାକୁ ଚେଷ୍ଟା କରିଥିଲେ । କିନ୍ତୁ କାଉଣ୍ଟର ବନ୍ଦ ଥିବାରୁ ସେ ସଫଳ ହୋଇନଥିଲେ। ଏହାପରେ ସେ ଏକ ହୋଟେଲରେ ରହି ହତ୍ୟାରେ ବ୍ୟବହୃତ ଛୁରୀକୁ ନଷ୍ଟ କରିଦେଇଥିଲେ ଏବଂ ପରେ ନୂଆ ପୋଷାକ କିଣିଥିଲେ।

ପରଦିନ ସେ ଭାରତ ଯିବା ପାଇଁ ବିମାନ ଟିକେଟ୍ ମଧ୍ୟ କିଣି ସାରିଥିଲେ, କିନ୍ତୁ ବିମାନରେ ଚଢ଼ିବା ପୂର୍ବରୁ ପୋଲିସ ତାଙ୍କୁ କାବୁ କରିନେଇଥିଲା। ପୋଲିସ ଜେରା ସମୟରେ ଅଙ୍କୁର ସ୍ୱୀକାର କରିଛନ୍ତି ଯେ ତାଙ୍କର ପତ୍ନୀଙ୍କୁ ହତ୍ୟା କରିବାର କୌଣସି ଉଦ୍ଦେଶ୍ୟ ନଥିଲା, କିନ୍ତୁ ଯେତେବେଳେ ସେ ଅନ୍ୟ ଜଣଙ୍କ ସହ ରହିବାକୁ ଜିଦ୍ ଧରିଲେ, ସେତେବେଳେ କ୍ରୋଧର ବଶବର୍ତ୍ତୀ ହୋଇ ସେ ଏଭଳି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ଆମେରିକା କୋର୍ଟରେ ଅଙ୍କୁରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି।