ମୁମ୍ବାଇ: ଦେଶ ଛାଡ଼ି ଚାଲିଯିବାକୁ ଦିଆଯାଇଥିବା ନିର୍ଦ୍ଦେଶ ବିରୁଦ୍ଧରେ ବମ୍ବେ ହାଇକୋର୍ଟରେ ଫେରାଦ ହେଲେ ଆମୀର ଖାନଙ୍କ ଭଣଜା ଅଭିନେତା ଇମ୍ରାନ ଖାନ। କେଉଁ ଆଧାରରେ ତାଙ୍କୁ ଦେଶ ଛାଡ଼ି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି, ତା’ର ପ୍ରମାଣ ରଖିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି।

ଦେଶର ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଅକ୍ଟୋବର ୧୦ ତାରିଖରେ ସିଜେପି ଆନ୍ଦୋଳନ କରିଥିଲା। ଆଉ ଇମ୍ରାନ ଖାନ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ। ତେଣୁ ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡ଼ି ଚାଲିଯିବାକୁ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ(FRRO) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ଜଣେ ଆମେରିକୀୟ ନାଗରିକ, ତାଙ୍କ ପାଖରେ ଓଭରସିଜ ସିଟିଜେନ ଅଫ୍ ଇଣ୍ଡିଆ (ଓସିଆଇ) କାର୍ଡ ଥିବା ଦର୍ଶାଇ FRRO ତାଙ୍କୁ ଦେଶ ଛାଡ଼ିବାକୁ କହିଥିଲା।

ଏହି ନିର୍ଦ୍ଦେଶ ବିରୁଦ୍ଧରେ ଇମ୍ରାନ ଖାନ ଶନିବାର ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଓକିଲ ଜୁଲଫିକର ମେମନ, ପରଭେଜ ମେମନ ଓ ଚିରାଗ ନାୟକ କୋର୍ଟରେ ଆବେଦନ କରିଥିବା ବେଳେ ସୋମବାର ଏହାର ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରିଛନ୍ତି। ପିଟିସନରେ ଇମ୍ରାନ ଦର୍ଶାଇଛନ୍ତି ଯେ ତାଙ୍କ ବିରୁଦ୍ଧରେ ଲାଗିଥିବା ଆଇନ ଉଲ୍ଲଂଘନ ଅଭିଯୋଗକୁ କର୍ତ୍ତୃପକ୍ଷ ପ୍ରମାଣିତ କରିବାରେ ଫେଲ୍ ମାରିଛନ୍ତି। ସେ କେବଳ ଓସିଆଇ କାର୍ଡଧାରୀ ହୋଇଥିବାରୁ ତାଙ୍କୁ ଦେଶ ଛାଡ଼ିବାକୁ କୁହାଯାଇଛି ବୋଲି ସେ ଆବେଦନରେ ଦର୍ଶାଇଛନ୍ତି।

ହିଂସା ଅଭିଯୋଗର ପ୍ରମାଣ ନାହିଁ

ଇମ୍ରାନ ଖାନଙ୍କୁ କରାଯାଇଥିବା ନୋଟିସ୍‌ରେ ତାଙ୍କୁ ଜଣେ ଆମେରିକୀୟ ନାଗରିକ ବୋଲି କୁହାଯାଇଥିଲା। ସେ ଇମିଗ୍ରେସନ ଏବଂ ଫରେନର୍ସ ଆକ୍ଟ, ୨୦୨୫ ଓ ଏହା ଅଧୀନରେ ଥିବା ନିୟମ ଏବଂ ଆଦେଶର ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଯଦି ନିର୍ଦ୍ଧାରିତ ସମୟ ଅନୁସାରେ ସେ ଦେଶ ନ ଛାଡ଼ନ୍ତି, ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି FRRO ନୋଟିସ୍‌ରେ କହିଥିଲା।

ଏପଟେ ଇମ୍ରାନ ଖାନ ତାଙ୍କ ଆବେଦନରେ କହିଛନ୍ତି ଯେ ନୋଟିସରେ ସେ କେଉଁ ନିୟମ ଉଲ୍ଲଂଘନ କେବେ ଓ କିପରି କରିଛନ୍ତି ସେ ବିଷୟରେ ସ୍ପଷ୍ଟତା ନାହିଁ। FRRO ତାଙ୍କୁ କେବଳ ଜଣେ ଆମେରିକୀୟ ନାଗରିକ ଭାବରେ ବ୍ୟବହାର କରିଛି। OCI କାର୍ଡଧାରକ ଭାବରେ ତାଙ୍କର ଜୀବନବ୍ୟାପୀ ବାସସ୍ଥାନ ଅଧିକାରକୁ ଅଣଦେଖା କରାଯାଇଛି ବୋଲି ସେ କହିଛନ୍ତି। ବିନା କୌଣସି ସତର୍କ ସୂଚନା, ବିନା କୌଣସି ତଦନ୍ତରେ ତାଙ୍କୁ ଦେଶ ଛାଡ଼ି ଯିବାକୁ ୧୪ ଦିନ ସମୟ ଦିଆଯାଇଛି ବୋଲି ସେ ଆବେଦନରେ ଦର୍ଶାଇଛନ୍ତି।

Also Read- ପଶ୍ଚିମବଙ୍ଗରେ ପୁଣି ଥରେ SIR କରାଇବାକୁ ଦାବି କଲେ ରାଜ୍ୟ ବିଜେପି ସଭାପତି

ଇମ୍ରାନ ଏଥିରେ ଆହୁରି କହିଛନ୍ତି ଯେ ଆନ୍ଦୋଳନ ସ୍ଥାନଟି କୌଣସି ପ୍ରତିବନ୍ଧକ ଏରିଆ ନଥିଲା କି ଓସିଆଇ କାର୍ଡଧାରକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ନିଷିଦ୍ଧ କରାଯାଇ ନାହିଁ। ସିସିଟିଭି ଫୁଟେଜ୍‌ରେ ଦେଖାଯାଉଥିବା ଦୃଶ୍ୟ ଅନୁସାରେ ଇମ୍ରାନ କୌଣସି ବ୍ୟାରିକେଡ୍ ଭାଙ୍ଗି ନାହାନ୍ତି। ମିଡିଆ ତାଙ୍କୁ ଘେରିଯିବା ପରେ ସେ ଚାଲିଯାଉଥିଲେ। ଏହାପରେ ପୁଲିସ ତାଙ୍କୁ ତାଙ୍କ ପତ୍ନୀ ଲେଖା ୱାଶିଂଟନ ଓ ସମ୍ପର୍କୀୟ ଭାଇ ଜାୟନଙ୍କୁ ଅଟକ ରଖିଥିଲା।

ଭାରତ ଛାଡିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅନୁଚିତ ବୋଲି କହିଛନ୍ତି ଇମ୍ରାନ। ତାଙ୍କ ଆବେଦନରେ, ଖାନ କହିଛନ୍ତି ଯେ ସେ ଦୁଇ ବର୍ଷ ବୟସରୁ ସେ ଭାରତରେ ରହୁଛନ୍ତି। ଏହା ଏକ ଏମିତି ମାମଲା, ଯେଉଁଥିରେ ଦୋଷ ପ୍ରମାଣିତ ହୋଇନି। ଯେଉଁଥିରେ ସହଜରେ ଜାମିନ ବି ମିଳିଯିବ। ଏପର୍ଯ୍ୟନ୍ତ କୌଣସି ଚାର୍ଜସିଟ୍ ଦାଖଲ ବି କରାଯାଇ ନାହିଁ। ଯିଏ ଆଜୀବନ ଏଇଠି ରହୁଛନ୍ତି, ସେଭଳି ବ୍ୟକ୍ତିଙ୍କୁ ଏଠାରୁ ବିଦା କରିଦେବା ଠିକ୍ ନୁହେଁ।

ସେ ଯୁକ୍ତି ଦେଇଛନ୍ତି ଯେ ଯଦି ତାଙ୍କୁ ଅନ୍ତରୀଣ ସହାୟତା ପ୍ରଦାନ କରାନଯାଏ, ତେବେ ତାଙ୍କୁ ଦେଶ, ତାଙ୍କ ଘର, ପରିବାର ଏବଂ ଜୀବିକା ଛାଡିବାକୁ ବାଧ୍ୟ କରାଯିବ। ଏପରିକି ତାଙ୍କୁ କ୍ଷତିପୂରଣ ଦିଆଯାଇପାରିବ ନାହିଁ। ନୋଟିସ୍‌ରେ କର୍ତ୍ତୃପକ୍ଷ ତାଙ୍କୁ ନେଇ ଥିବା କୌଣସି ସୁରକ୍ଷା ଚିନ୍ତା କିମ୍ବା ଜରୁରୀ ଆବଶ୍ୟକତା ପ୍ରକାଶ କରିନାହାଁନ୍ତି। ତେଣୁ ମାମଲାର ଚୂଡ଼ାନ୍ତ ଶୁଣାଣି ପର୍ଯ୍ୟନ୍ତ ନୋଟିସ ସ୍ଥଗିତ ରଖିଲେ କୌଣସି ସମସ୍ୟା ହେବ ନାହିଁ ବୋଲି ଇମ୍ରାନ ତାଙ୍କ ଆବଦେନରେ ଦର୍ଶାଇଛନ୍ତି।