ନୂଆଦିଲ୍ଲୀ: କମେଡିଆନ୍ ସମୟ ରୈନାଙ୍କ ଚର୍ଚ୍ଚିତ ଶୋ’ ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ ୨’କୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ଶୋ’ର ଗତ ସପ୍ତାହର ଏପିସୋଡରେ ବିହାର ଓ କଶ୍ମୀରକୁ ନେଇ ହୋଇଥିବା ଟିପ୍ପଣୀକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଆସୁଛି। ଏହି ପ୍ରସଙ୍ଗରେ ଏବେ ବଲିଉଡ ଗାୟକ ତଥା କଳାକାର କୈଳାସ ଖେର ମଧ୍ୟ ନିଜ ମତ ରଖିଛନ୍ତି।

‘ସୃଜନଶୀଳତାର ଅର୍ଥ ମର୍ଯ୍ୟାଦା ଭାଙ୍ଗିବା ନୁହେଁ’

ଏଏନ୍ଆଇ ସହ ଏକ ସ୍ୱତନ୍ତ୍ର ଆଲୋଚନା ସମୟରେ କୈଳାସ ଖେରଙ୍କୁ ସମୟ ରୈନା ଓ କମେଡିଆନ୍ ଶେରନ୍ ବର୍ମାଙ୍କ ମଧ୍ୟରେ ହୋଇଥିବା ବିବାଦୀୟ କଥାବାର୍ତ୍ତା ସମ୍ପର୍କରେ ପଚରାଯାଇଥିଲା। ଏହାର ଉତ୍ତରରେ ସେ ସଙ୍ଗୀତର ଉଦାହରଣ ଦେଇ କହିଛନ୍ତି ଯେ ସୃଜନଶୀଳତାର ଅର୍ଥ ନିୟମ କିମ୍ବା ମର୍ଯ୍ୟାଦାକୁ ଭାଙ୍ଗିଦେବା ନୁହେଁ।

Also Read- ଘରେ ଟିଭି ନାହିଁ, ଜୀବନରେ ଦେଖି ନ ଥିଲେ ଟ୍ରେନ୍: ବଡ଼ ପରଦାରେ ଡେବ୍ୟୁ କରିବେ କୋରାପୁଟର ସନା ଖେମୁଣ୍ଡି

କୈଳାସ ଖେର କହିଛନ୍ତି, ସଙ୍ଗୀତ କେବଳ ଗୋଟିଏ ସୁର କିମ୍ବା ଧୁନ୍ ନୁହେଁ। ଏହା ଲୋକଙ୍କୁ ହସାଇପାରେ, ଆନନ୍ଦ ଦେଇପାରେ, କିନ୍ତୁ ଏହା ଏକ ପ୍ରକାର ଅନୁଶାସନ ମଧ୍ୟ। ମୌଳିକ କଥାରେ ଭୁଲ୍ ହେଲେ ଅଜାଣତରେ କଳା ଅନ୍ୟ ଜଣଙ୍କୁ ଉପହାସ କରିବାର ମାଧ୍ୟମରେ ପରିଣତ ହୋଇପାରେ ବୋଲି ସେ କହିଛନ୍ତି।

‘ଭଦ୍ରାମୀରେ କଥା କହିବା ଦରକାର’

କୈଳାସ ଖେର ଆହୁରି କହିଥିଲେ ଯେ ପ୍ରତ୍ୟେକ ମଣିଷ ନିଜ କଥାବାର୍ତ୍ତା ସମୟରେ ସଚେତନ ଓ ସମ୍ବେଦନଶୀଳ ରହିବା ଆବଶ୍ୟକ। ତାଙ୍କ ମତରେ, ମର୍ଯ୍ୟାଦା ରକ୍ଷା କରି ମଧ୍ୟ ଲୋକଙ୍କୁ ହସାଇହେବ ଏବଂ ସେମାନଙ୍କ ହୃଦୟ ଜିତିହେବ। କୈଳାଶ ଆହୁରି କହିଥିଲେ ଯେ ପରସ୍ପରର ଭାବନାକୁ ଆଘାତ ନଦେଇ ହସାଇବା ଓ ମନୋରଞ୍ଜନ କରିବା ସମ୍ଭବ। ତେଣୁ ସାର୍ବଜନୀନ ଜୀବନରେ ଥିବା ବ୍ୟକ୍ତିମାନେ ନିଜ କଥା ଓ କାର୍ଯ୍ୟ ପ୍ରତି ଅଧିକ ସଚେତନ ରହିବା ଦରକାର ବୋଲି ସେ ମତ ଦେଇଛନ୍ତି।

‘ଖ୍ୟାତି ସହ ଆସେ ସମାଲୋଚନା’

ନିଜର ଦୀର୍ଘ କ୍ୟାରିୟର ସମ୍ପର୍କରେ ମଧ୍ୟ କୈଳାସ ଖେର କଥା ରଖିଥିଲେ। ତାଙ୍କ କହିବା ଅନୁସାରେ, ସଫଳତା ମିଳିଲେ ସମାଲୋଚକ, ନାପସନ୍ଦ କରୁଥିବା ଲୋକ ଓ ଈର୍ଷା କରୁଥିବା ଲୋକ ମଧ୍ୟ ରହିବେ। ଏହା ସଫଳତାର ଏକ ଅଂଶ ବୋଲି ସେ କହିଥିଲେ।

ସମୟ-ଶେରନ୍ ବିବାଦ?

ବିବାଦର ମୂଳ ‘ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ ୨’ର ଏକ ଏପିସୋଡ୍। ଏହି ଏପିସୋଡରେ ଅର୍ଚ୍ଚନା ପୁରଣ ସିଂହ ମଧ୍ୟ ପ୍ୟାନେଲିଷ୍ଟ ଭାବେ ଉପସ୍ଥିତ ଥିଲେ। ଶୋ’ ସମୟରେ ସମୟ ରୈନା ଓ ଶେରନ୍ ବର୍ମାଙ୍କ ମଧ୍ୟରେ ମଜାକ ଓ କଥା କଟାକଟି ଦେଖିବାକୁ ମିଳିଥିଲା।

ସମୟ ରୈନା ଶେରନ୍ ବର୍ମାଙ୍କ ବିହାରୀ ପୃଷ୍ଠଭୂମି ଏବଂ ଚାକିରି ପାଇଁ ଲୋକଙ୍କ ପ୍ରବାସକୁ ନେଇ ମଜାକ କରିଥିବା ଅଭିଯୋଗ ହୋଇଥିଲା। ଏହାର ଜବାବରେ ଶେରନ୍ ସମୟଙ୍କ କଶ୍ମୀରୀ ପରିଚୟକୁ ନେଇ ଟିପ୍ପଣୀ କରି। ଏବଂ କହିଥିଲେ “ଅତିକମରେ ମୁଁ ନିଜ ଇଚ୍ଛାରେ ନିଜ ରାଜ୍ୟ ଛାଡ଼ିଛି।”

ଏହି ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ବିବାଦ ତୀବ୍ର ହୋଇଥିଲା। କଶ୍ମୀରୀ ପଣ୍ଡିତ ଓ ବିହାରୀଙ୍କୁ ନେଇ ଅପମାନଜନକ ଟିପ୍ପଣୀ କରାଯାଇଥିବା ଅଭିଯୋଗରେ ଉଭୟ କଳାକାରଙ୍କୁ ଟ୍ରୋଲିଂ ଏବଂ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ତେବେ ଏହି ବିବାଦକୁ ନେଇ ସମୟ ରୈନା କିମ୍ବା ଶେରନ୍ ବର୍ମାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।