ଭୁବନେଶ୍ୱର: ଇଚ୍ଛାଶକ୍ତି ଏବଂ ସ୍ୱପ୍ନ ଦେଖିବାର ସାହସ ଥିଲେ, କୌଣସି ପ୍ରତିବନ୍ଧକ ଆପଣଙ୍କ ବାଟ ଓଗାଳି ପାରିବ ନାହିଁ । ଏହି କଥାକୁ ସତ କରି ଦେଖାଇଛନ୍ତି ଓଡ଼ିଶାର ଏକ ସାଧାରଣ ଗାଁର ପୁଅ । ଯାହାଙ୍କ ଘରେ ଦିନେ ଟିଭି ନଥିଲା, ଆଜି ସେ ବଡ଼ ପରଦାରେ ନିଜ ଅଭିନୟର ଯାଦୁ ଦେଖାଇବାକୁ ଯାଉଛନ୍ତି । ନିଜ ଜିଲ୍ଲାର ମୁଖ୍ୟ ସହର ବାହାରକୁ କେବେ ପାଦ କାଢ଼ି ନଥିବା ଏବଂ ଜୀବନରେ କେବେ ଟ୍ରେନ୍ ଦେଖିନଥିବା ଯୁବକ, ପ୍ରଥମ ଥର ଟ୍ରେନ୍‌ରେ ବସି ଆସି ପହଞ୍ଚିଛନ୍ତି ରାଜଧାନୀ ଭୁବନେଶ୍ୱରରେ ।

ଏହା ହେଉଛି ଓଡ଼ିଆ ସିନେମା ‘ମାଳିପୁଟ ମେଲୋଡି’ର ନବାଗତ ଅଭିନେତା ସନା ଖେମୁଣ୍ଡିଙ୍କ ନିଜସ୍ୱ କାହାଣୀ । କୋରାପୁଟର ଏକ ସୁଦୂର ତଥା ଛୋଟ ଅଞ୍ଚଳରୁ ଆସିଥିବା ସନାଙ୍କ ଏହି ପ୍ରେରଣାଦାୟୀ ଯାତ୍ରା ଏବେ ସମସ୍ତଙ୍କ ମନ ଛୁଇଁଛି ।

ଆଗାମୀ ୧୮ ତାରିଖରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ବହୁ ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମ 'ମାଳିପୁଟ ମେଲୋଡି' । ଏହି ସିନେମାର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି । ଏହି ବିଶେଷ ସ୍କ୍ରିନିଂରେ ଯୋଗଦେବା ପାଇଁ ସନା ପ୍ରଥମ ଥର ପାଇଁ ନିଜ ଗାଁରୁ ବାହାରି ଭୁବନେଶ୍ୱର ଆସିଥିଲେ । ‘ମାଳିପୁଟ ମେଲୋଡି’ରେ ସନାଙ୍କ ଚରିତ୍ର ଜୀବନ୍ତ ହୋଇଉଠିଛି ।

ଫିଲ୍ମରେ କୋରାପୁଟର ସ୍ଥାନୀୟ ଲୋକେ ଓ କଳାକାର ଶାମିଲ ଅଛନ୍ତି । କୌଣସି ବଡ଼ ଷ୍ଟାର୍ଟକାଷ୍ଟକୁ ନେଇ ଚଳଚ୍ଚିତ୍ରଟି କରାଯାଇ ନାହିଁ । କିନ୍ତୁ ଏହାର କାହାଣୀ ସ୍ୱତନ୍ତ୍ର ରହିଛି । କୋରାପୁଟର ସଂସ୍କୃତି, ସେଠାକାର ରହଣିର ଝଲକ ଓ କୋରାପୁଟ ସୌନ୍ଦର୍ଯ୍ୟ ଏହି ଫିଲ୍ମରେ ରହିଛି । ୪ଟି କାହାଣୀକୁ ନେଇ ଫିଲ୍ମଟି କରାଯାଇଛି । ନିର୍ଦ୍ଦେଶକ ବିଶାଳ ପଟ୍ଟନାୟକ ଏହି ଚଳଚିତ୍ରରେ ବାସ୍ତବିକତାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଫିଲ୍ମର ଓଡିଶାର ମହକ ଏହି ଫିଲ୍ମରେ ଥିବା କହିଛନ୍ତି ବିଶାଳ । କାହାଣୀ ଦର୍ଶକଙ୍କୁ ବେଶ ପସନ୍ଦ ହେବ ବୋଲି ପ୍ରଯୋଜକଙ୍କ ଆଶା ରହିଛି ।