ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାଠାରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସରେ ଭାରତୀୟ ପାରା-ଆଥଲେଟ୍ ଚମତ୍କାର ପ୍ରଦର୍ଶନ କରି ରେକର୍ଡ ପଦକ ଜିତିଛନ୍ତି । ଭାରତୀୟ ଦଳ ୩୦ ସ୍ୱର୍ଣ୍ଣ ସହିତ ସର୍ବକାଳୀନ ଶ୍ରେଷ୍ଠ ୧୧୪ଟି ପଦକ ହାସଲ କରିଛି । ଚଳିତ ସଂସ୍କରଣରେ ଭାରତ ଶୁକ୍ରବାର ଗୋଟିଏ ଦିନରେ ସର୍ବାଧିକ ୯ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି ।

ଦେଶର ଚୂଡ଼ାନ୍ତ ପଦକ ତାଲିକାରେ ୩୦ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଏବଂ ୪୯ଟି ବ୍ରୋଞ୍ଜ ପଦକ ରହିଛି । ୨୦୨୩ ହାଙ୍ଗଜୋ ଗେମ୍ସରେ ଭାରତ ୨୭ଟି ସ୍ୱର୍ଣ୍ଣ ସମେତ ୧୦୮ଟି ପଦକ ଜିତିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ସଂସ୍କରଣରେ ହାଙ୍ଗଜୋରେ ପ୍ରତିନିଧିତ୍ୱ କରିଥିବା ଖେଳାଳିଙ୍କ ସଂଖ୍ୟାର ମାତ୍ର ଅଧା ଆଥଲେଟ୍ ପ୍ରତିନିଧିତ୍ୱ କରୁଥିଲେ । ମାତ୍ର ୧୬୮ ଜଣ ଆଥଲେଟଙ୍କୁ ନେଇ ଗଠିତ ଭାରତୀୟ ଦଳର ଏହି ସଫଳତା ବେଶ ମହତ୍ୱ ରଖୁଛି ।

ଆଥଲେଟିକ୍ସ ଏବଂ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ବର୍ଷା

ଆଥଲେଟିକ୍ସ ଭାରତ ସବୁଠାରୁ ବଡ଼ ପଦକ ଜିତିଛି । ଏଥିରେ ମୋଟ ୬୫ଟି ପଦକ ଆସିଛି, ଯାହା ଗତ ସଂସ୍କରଣଠାରୁ ୧୨ଟି ଅଧିକ । ତେବେ ଶୁକ୍ରବାର ବ୍ୟାଡମିଣ୍ଟନ୍, ସୁଟିଂ ଏବଂ ତୀରନ୍ଦାଜରେ ସ୍ୱର୍ଣ୍ଣ ବିଜୟୀ ପ୍ରଦର୍ଶନ ଚର୍ଚ୍ଚାରେ ରହିଥିଲା । ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ସୁମିତ ଆଣ୍ଟିଲଙ୍କ ନେତୃତ୍ୱରେ ପୁରୁଷ F42-44/61-64 ମିଶ୍ରିତ ଇଭେଣ୍ଟରେ ଭାରତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ସୁନିଶ୍ଚିତ କରିଥିଲେ । ସୁମିତ୍ ୭୨.୪୬ ମିଟର ଦୂରକୁ ଜାଭେଲିନ୍ ପକାଇଥିବାବେଳେ ମହେନ୍ଦ୍ର ଗୁର୍ଜର ୫୯.୦୩ ମିଟର ସହିତ ରୌପ୍ୟ ଏବଂ ସନ୍ଦୀପ ସଞ୍ଜୟ ସର୍ଗର ୬୪.୪୮ ମିଟର ସହିତ ବ୍ରୋଞ୍ଜ ପଦକ ଅଧିକାର କରିଥିଲେ । ପ୍ୟାରିସ୍ ପାରାଲିମ୍ପିକ୍ସ ଚାମ୍ପିଅନ୍ ନୀତେଶ କୁମାର ଏବଂ ଗେମ୍ସରେ ଡେବ୍ୟୁ କରିଥିବା ନବୀନ ଶିବକୁମାରଙ୍କ ନେତୃତ୍ୱରେ ଭାରତୀୟ ବ୍ୟାଡମିଣ୍ଟନ୍ ଦଳ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛି ।

ସୁଟର ମୋନା ଅଗ୍ରୱାଲ ମହିଳା ୫୦ ମିଟର ରାଇଫଲ୍ ୩ ପୋଜିସନ୍ସ SH1 ଟାଇଟଲ୍ ଜିତିବା ପାଇଁ ୩୫୭.୫ ପଏଣ୍ଟ ସ୍କୋର୍ କରି ବିଶ୍ୱ ରେକର୍ଡ କରିଛନ୍ତି । ଭାରତର ସନ୍ତରଣକାରୀମାନେ ମଧ୍ୟ ଆଶାଠାରୁ ଭଲ ପ୍ରଦର୍ଶନ କରି ତିନୋଟି ରୌପ୍ୟ ପଦକ ସମେତ ମୋଟ ୧୧ଟି ପଦକ ସହିତ ଗେମ୍ସ ଶେଷ କରିଛନ୍ତି ।