ମସ୍କୋ,୨୬ /୦୩: ଗୋଟିଏ ଦିଗରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଚାଲିଛି । ଅନ୍ୟ ଦିଗରେ ୟୁକ୍ରେନ ଏବଂ ଋଷର ଲଢେଇ ୪ ବର୍ଷ ଟପିଲାଣି । ୟୁକ୍ରେନର ଅନେକ ଜାଗାରେ ଋଷିଆ ମିସାଇଲ ମାଡ କରୁଛି । ବଡ ବଡ ପ୍ରତିଷ୍ଠାନକୁ ଟାର୍ଗେଟ୍ କରାଯାଉଛି । ବିବାଦୀୟ ଅଞ୍ଚଳକୁ ଋଷ କବଜା କରିବାକୁ ଚାହୁଁଛି। କିଛି ଜାଗାକୁ ଅକ୍ତିଆର ମଧ୍ୟ କରିଛି । ଏସବୁ ଭିତରେ ସାମ୍ନାକୁ ଆସିଛି ବଡ ଖବର ।

ରିପୋର୍ଟ ଅନୁସାରେ, ଋଷ ଯେଉଁ ସବୁ ଜାଗାକୁ ଅକ୍ତିଆର କରିଛି ସେ ସବୁରେ ଅନ୍ୟ ଏକ ଦେଶ ଏବେ କାୟା ମେଲାଇବାରେ ଲାଗିଛି । ୟୁକ୍ରେନର ସୂତ୍ରାନୁସାରେ ଯୁଦ୍ଧ ପରେ ଏହି ସବୁ ଜାଗାରେ କିଛି ଦେଶ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି ।

​​​​​​​Also Read :- ଆମେରିକା ସହ ସାଲିସ କରିବନି ଇରାନ, ତେହେରାନ ଉପରେ ଆଖି ଉଠେଇବାକୁ ଶହେ ଥର ଭାବିବେ ଶତ୍ରୁ ଦେଶ

ନୂଆ ଦାବି

ୟୁକ୍ରେନ୍ ରାଜନେତା ପିଓଟର୍ ଆଣ୍ଡ୍ରିୟ୍ୟୁଚେନକୋ କହିଛନ୍ତି ଯେ, ଋଷ ଯେଉଁ ସବୁ ଜାଗାକୁ ବେଆଇନ ଭାବେ ଦଖଲ କରିଛି ସେଠାରେ ଚାଇନାର ଗତିବିଧି ବୃଦ୍ଧି ପାଇଛି । ଏନେଇ ପୂର୍ବରୁ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁସାରେ ଚାଇନା ଏଠାରେ ନିଜର କାୟା ବିସ୍ତାର କରିବା ଆରମ୍ଭ କଲାଣି । ଏହାକୁ ୟୁକ୍ରେନ ଗୁରୁତର ସହ ନେବା ଆବଶ୍ୟକ ।

ସେ ଆହୁରି କହିଛନ୍ତି ଯେ, କିଛି ଦିନ ତଳେ ଋଷିଆ ଏବଂ ଚାଇନାର ଅଧିକାରୀଙ୍କ ମଧ୍ୟରେ ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଭିନ୍ନ ସରଞ୍ଜାମ ଏବଂ ଜିନିଷ ପତ୍ର ପରିବହନ ପାଇଁ ଏହି ବୁଣାମଣା କରାଯାଇଛି । ଚାଇନା ସିଧାସଳଖ ଭାବେ ଏଠାରେ କିଛି ପ୍ରକଳ୍ପ କରିବ ନା ନାହିଁ ତାହା ସ୍ପଷ୍ଟ ହୋଇନି । କିନ୍ତୁ ବିଭିନ୍ନ ସରଞ୍ଜାମ ଯୋଗାଇବା ପାଇଁ ଉଭୟ ଦେଶ ଡିଲ୍ କରିଛନ୍ତି ।

ସେ ଆହୁରି ଦାବି କରିଛନ୍ତି ଯେ, ବିବାଦୀୟ ଅଞ୍ଚଳରେ ଥିବା ଏକ ୟୁନିଭର୍ସିଟିର କିଛି ପ୍ରତିନିଧି ନିକଟରେ ଚାଇନା ଗସ୍ତ କରିଥିଲେ । ସେମାନେ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବେଜିଂର ସିଲକ୍ ରୋଡ୍ ପ୍ରକଳ୍ପ ବାବଦରେ ଆଲୋଚନା ହୋଇଥିଲା । ଯାହା ବିଦେଶର ଚାଇନାର ଦବଦବା ବୃଦ୍ଧି କରିଥାଏ । ଏହାଦ୍ୱାରା ୟୁକ୍ରେନର ଜାଗାରେ ଚାଇନା ନିଜର ପତିଆରା ଜାହିର କରିବା ନେଇ ଲକ୍ଷ୍ୟ ରଖିଛି ।

ଆହୁରି ମଧ୍ୟ ୟୁକ୍ରେନ୍ ରାଜନେତା କହିଛନ୍ତି ଯେ, ଋଷିଆର ରିଅଲ ଇଷ୍ଟ୍ରେଟ୍ କିମ୍ବା କନଷ୍ଟ୍ରକସନ୍ ଭିତ୍ତିଭୂମି ସେତେ ସୁଦୃଢ ନୁହେଁ । ତେଣୁ ବେଆଇନ ଭାବେ ଅଧିକୃତ ଅଞ୍ଚଳରେ ଚାଇନାକୁ ମସ୍କୋ ନିମନ୍ତ୍ରଣ କରିଛି । ଏହାଦ୍ୱାରା ଚାଇନା ନିଶ୍ଚିତ ରୂପେ ୟୁକ୍ରେନର ଏହି ଜାଗାରେ ନିଜର ପ୍ରକଳ୍ପ କାର୍ଯ୍ୟ ହାତକୁ ନେବୋଲି ପିଓଟର୍ ପ୍ରକାଶ କରିଛନ୍ତି ।