Rupee Hits All-Time Low: ଭାରତୀୟ ଅର୍ଥନୀତି ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆନ୍ତର୍ଜାତୀୟ ବଜାରରେ ଆମେରିକୀୟ ଡଲାରର ପ୍ରଭାବ ଏବଂ ବିଶ୍ୱସ୍ତରୀୟ ଆର୍ଥିକ ଅସ୍ଥିରତା ଯୋଗୁ ଭାରତୀୟ ଟଙ୍କାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମୁଦ୍ରା (ଟଙ୍କା) ଆମେରିକୀୟ ଡଲାର ତୁଳନାରେ୯୬ଟଙ୍କା ଅତିକ୍ରମ କରି ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୦.୩% ଦୁର୍ବଳ ହୋଇ ୯୬.୦୫ ରେ ପହଞ୍ଚିଛି, ଯାହା ପୂର୍ବ ଟ୍ରେଡିଂ ସେସନ ଏହାର ସର୍ବକାଳୀନ ସର୍ବନିମ୍ନ ୯୫.୯୫୭୫ ଛୁଇଁଛି।

କାହିଁକି କମୁଛି ଟଙ୍କାର ମୂଲ୍ୟ?
ପଶ୍ଚିମ ଏସିଆରେ ସଂଘର୍ଷ ଓ ପ୍ରମୁଖ ବିଶ୍ୱ ତୈଳ ପରିବହନ ପଥ, ହର୍ମୁଜ୍ ପ୍ରଣାଳୀ ଚାରିପାଖରେ ଉତ୍ତେଜନା ଲାଗି ରହିଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ଏଥିପାଇଁ ଗତ କିଛି ସପ୍ତାହ ମଧ୍ୟରେ ଟଙ୍କା ଚାପରେ ରହିଛି।

ଶୁକ୍ରବାର ଦିନ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୧୧୦ ଆମେରିକୀୟ ଡଲାର ପାଖାପାଖି ରହିଥିବାରୁ ଭାରତର ଆମଦାନୀ ବିଲ୍ ନେଇ ଚିନ୍ତା ବୃଦ୍ଧି ପାଇଛି ଏବଂ ଦେଶର ବାହ୍ୟ କ୍ଷେତ୍ର ଉପରେ ଚାପ ସୃଷ୍ଟି ହୋଇଛି।

Also Read- India-UAE MOU: ଭାରତ ଓ ୟୁଏଇ ସମ୍ପର୍କରେ ନୂଆ ଅଧ୍ୟାୟ: ୫ ବିଲିୟନ ଡଲାରର ପୁଞ୍ଜି ନିବେଶ ସହ ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ବଡ଼ ଚୁକ୍ତି

ଭାରତ ଏହାର ୮୫% ରୁ ଅଧିକ ଅଶୋଧିତ ତୈଳ ଆବଶ୍ୟକତା ଆମଦାନୀ କରେ ଏସବୁ ଆମଦାନୀ ଆମେରିକୀୟ ଡଲାରରେ କରାଯାଏ। ତେଣୁ ଏକ୍ଷେତ୍ରରେ ରୁପୀ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥିତିରେ ରହିଛି।

ଦୁର୍ବଳ ଟଙ୍କା ଆମଦାନୀକୁ ମଧ୍ୟ ମହଙ୍ଗା କରିଥାଏ କାରଣ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଆମେରିକୀୟ ଡଲାରରେ କିଣାଯାଏ। ଏହା ମୁଦ୍ରାସ୍ଫୀତି, ଇନ୍ଧନ ଖର୍ଚ୍ଚ ଏବଂ ସାମଗ୍ରିକ ଅର୍ଥନୀତି ଉପରେ ଚାପ ବୃଦ୍ଧି କରେ।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକୀୟ ଟ୍ରେଜେରି ୟିଲ୍ଡରେ ବୃଦ୍ଧି ଏବଂ ଅଶୋଧିତ ତୈଳ (Crude Oil) ଦର ବଢ଼ିବା ଯୋଗୁ ଡଲାର ଶକ୍ତିଶାଳୀ ହେବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ୁଛି। ଏହା ବ୍ୟତୀତ ବିଦେଶୀ ସଂସ୍ଥାଗତ ନିବେଶକମାନେ (FII) ଭାରତୀୟ ପୁଞ୍ଜି ବଜାରରୁ ନିଜର ପାଣ୍ଠି ପ୍ରତ୍ୟାହାର କରିବା ଫଳରେ ଟଙ୍କା ଉପରେ ଚାପ ବଢ଼ିଛି।

ସାଧାରଣ ଜନତାଙ୍କ ଉପରେ ପ୍ରଭାବ
ଟଙ୍କାର ମୂଲ୍ୟ ହ୍ରାସ ପାଇବା ଦ୍ୱାରା ଆମଦାନୀ ବ୍ୟୟ ବହୁଳ ହେବ। ବିଶେଷ କରି ଭାରତ ବାହାରୁ ଆଣୁଥିବା ତୈଳ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଏବଂ ଯନ୍ତ୍ରପାତିର ଦାମ ବଢ଼ିବ। ଏହାର ପ୍ରଭାବରେ ଦେଶରେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ ବଢ଼ିବାର ଆଶଙ୍କା ରହିଛି। ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ବିଦେଶ ଭ୍ରମଣ କରୁଥିବା ଲୋକଙ୍କ ପକେଟ ଉପରେ ମଧ୍ୟ ଏହା ବଡ଼ ବୋଝ ସଦୃଶ ହେବ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଟଙ୍କାର ଏହି ଅହେତୁକ ପତନକୁ ରୋକିବା ପାଇଁ ହସ୍ତକ୍ଷେପ କରିପାରେ ବୋଲି ଆଶା କରାଯାଉଛି। ତେବେ ବିଶ୍ୱ ବଜାରର ସ୍ଥିତି ଯଦି ଏହିପରି ରହେ, ତେବେ ଆଗକୁ ଟଙ୍କା ଆହୁରି ଦୁର୍ବଳ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

Also Read- ଆପଣ ଏବେ ବିନା Customs Dutyରେ ଦୁବାଇରୁ କେତେ ସୁନା ଆଣି ପାରିବେ ଭାରତ? ଜାଣନ୍ତୁ ପୁରୁଷ, ମହିଳା ଓ ପିଲାଙ୍କ ପାଇଁ ସୀମା