ପୁରୀ ୨୧।୧୦: ଶ୍ରୀମନ୍ଦିରରେ ଆଜି ଦଶହରା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି। ପବିତ୍ର ଦଶହରାରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯାଇଥିଲା। ଏହି ବେଶରେ ପାଞ୍ଚଖଣ୍ତ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା। ସକାଳ ଧୂପ ନୀତି ସରିବା ପରେ ଆୟୁଧ ମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥିଲା। ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ, ଚକ୍ର ଆୟୁଧ ଲାଗି କରିଥିଲେ। ତେବେ ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ସୁନାବେଶ ଯେଉଁ ଭକ୍ତ ମାନେ ଦର୍ଶନ କରିଥାନ୍ତି ସେମାନଙ୍କୁ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।

ତେବେ ମହାପ୍ରଭୁଙ୍କ ପାଖରେ ଆୟୁଧ ଲାଗି ପରେ ମଦନମୋହନ ଓ ରାମକୃଷ୍ଣ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ମହାଖଳାକୁ ବିଜେ କରିବା ପରେ ସେଠାରେ ଆଳତୀ ବଢ଼ିବା ପରେ ମଦନ ମୋହନଙ୍କ ସହ ଦୁର୍ଗାମାଧବ ସିଂହାସନକୁ ବିଜେ କରିଥାନ୍ତି। ଏହାସହ ତିନି ବାଡ଼ରେ ମଙ୍ଗଳାର୍ପଣା କରାଯାଇଥାଏ। ଏହି ଅବସରରେ ଜଗନ୍ନାଥ ବଲ୍ଲଭ ମଠରେ ଠାକୁରଙ୍କୁ ପ୍ରସାଦ ଲାଗି ଓ ବନ୍ଦାପନା କରାଯିବା ପରେ ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି।

ସେପଟେ ଗୁରୁବାର ଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହେବ। କାର୍ତ୍ତିକ ନୀତିକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। କାର୍ତ୍ତିକ ନୀତି ଅବସରରେ ମହାପ୍ରଭୁଙ୍କ ନିକଟରେ ସ୍ବତନ୍ତ୍ର ବାଳଧୂପ ସହ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଏପଟେ ମଙ୍ଗଳବାର ବିଭିନ୍ନ ଶକ୍ତୀପୀଠରେ ମା'ଙ୍କର ବିଶ୍ରାମ ଥିବାବେଳେ ଆଜି ଦଶମୀ ପୂଜା ଅନୁଷ୍ଠିତ ହୋଇଛି। ଦଶହରା ଅବସରରେ ମା’ ବିମଳାଙ୍କ ପ୍ରତିନିଧି ଭାବେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପୂଜା ପାଉଥିବା ମା’ କାକୁଡ଼ିଖାଇଙ୍କ ଆଜି ରାତିରେ ବିସର୍ଜନ ସହ ଗୁରୁବାର ଅନ୍ୟ ସମସ୍ତ ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା ଅନୁଷ୍ଠିତ ହେବ। ଏକାଦଶୀ ଦୀପ ଉଠିବା ପରେ ସମସ୍ତ ଗୋଷାଣୀଙ୍କ ବିସର୍ଜନ ଅନୁଷ୍ଠିତ ହେବ। ଆଜି ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହ ଗୋଷାଣୀ ମାନଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି।

Also Read:- India Chem 2026ରେ ଓଡ଼ିଶାର ନିବେଶ ଅଭିଯାନ, ରାସାୟନିକ ଶିଳ୍ପରେ ପୁଞ୍ଜିନିବେଶ ଆକର୍ଷିବେ CM ମାଝୀ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଗୁରୁବାର ସମସ୍ତ ଗୋଷାଣୀଙ୍କ ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ କିଭଳି ଅନୁଷ୍ଠିତ ହେବ ସେ ନେଇ ପୁରୀ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Watch Video: