ପୁରୀ ୨୫।୧୦: ରାତି ପାହିଲେ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ସରକାରଙ୍କ ଦ୍ଵାରା କରାଯାଇଥିବା ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀ ମାନେ ଆସି ପହଞ୍ଚିବା ପରେ ନିଜର ସମସ୍ତ ପ୍ରମାଣପତ୍ର ଦେଇ ପଞ୍ଜିକରଣ କରିଛନ୍ତି । ପୁରୀରେ ମୋଟ ତିନୋଟି ସ୍ଥାନ ବୃନ୍ଦାବତୀ ନିବାସ, ମୋଚି ସାହି କଲ୍ୟାଣ ମଣ୍ଡପ, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ହବିଷ୍ୟାଳୀ ଶିବିର ବ୍ୟବସ୍ଥା କରାଯାଇଛି । ଏହି ଶିବିରରେ ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାନୀୟ ଜଳ, ଶୌଚାଳୟ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପୋଲିସ ବ୍ୟବସ୍ଥା, ସହାୟତା କେନ୍ଦ୍ର, ଏବଂ ପ୍ରତ୍ୟେକ ଦିନ ଜଗନ୍ନାଥ ଦର୍ଶନ ସହିତ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

ହବିଷ୍ୟାଳୀଙ୍କ ପାଇଁ ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ ନେଇ ବ୍ୟବସ୍ଥା ମଧ୍ୟ କରାଯାଇଛି । ହବିଷ୍ୟାଳୀଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ହବିଷ୍ୟାଳୀ ଶିବିର ରେ ସ୍ବାସ୍ଥ୍ୟ ଶିବିର କରାଯାଇଛି । ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଲେ ମେଡିକାଲ୍ ନେବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ତୀର୍ଥ ପୁଷ୍କରିଣୀରେ ହବିଷ୍ୟାଳୀ ମାନେ ସ୍ନାନ କରିବାକୁ ଦୃଷ୍ଟିରେ ରଖାଯାଇ ସେଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହବିଷ୍ୟାଳୀଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମୀଙ୍କୁ ନିୟୋଜିତ କରାଯାଇଛି ।

ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହିତ ହଜାର ହଜାର ଭକ୍ତ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଣୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଭିତରେ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯାଇଛି । ଅନ୍ୟ ଭକ୍ତ ମାନେ ମଧ୍ୟ ମହାପ୍ରଭୁଙ୍କୁ କିଭଳି ସୁରୁଖୁରୁରେ ଦର୍ଶନ କରିପାରିବେ ସେନେଇ ନାଟମଣ୍ଡପ ଭିତରେ ପୋଲିସ, ଜେଟିପିଙ୍କୁ ମୁତୟନ କରାଯିବାର ବ୍ୟବସ୍ଥା ହୋଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

Also Read:- ସମ୍ଭାବ୍ୟ ବାତ୍ୟାକୁ ନେଇ ହାଇଆଲର୍ଟ: ୭ ଜିଲ୍ଲା ଉପରେ ନଜର, ମନ୍ତ୍ରୀଠୁ ଅଧିକାରୀ ସମସ୍ତେ ଆଲର୍ଟ

କାର୍ତ୍ତିକ ମାସରେ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ, ଅତିରିକ୍ତ ଏସପି, ଡିଏସପି ଇନ୍ସପେକ୍ଟର, ସବ ଇନ୍ସପେକ୍ଟରଙ୍କୁ ମୁତୟନ କରାଯାଇଛି । ସେହିପରି ବିଭିନ୍ନ ହବିଷ୍ୟାଳୀ ଶିବିରରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସିସିଟିଭିରେ ସମଗ୍ର ଅଞ୍ଚଳକୁ ପୋଲିସ ପକ୍ଷରୁ ନଜର ରଖାଯାଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତ ମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପୋଲିସ କର୍ମଚାରୀଙ୍କୁ ଏସପି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ତୀର୍ଥ ପୁଷ୍କରିଣୀ ସହିତ ମହୋଦଧିରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।