ନୂଆଦିଲ୍ଲୀ: ଦୁବାଇରେ ସୁନାର ସୁଲଭ ମୂଲ୍ୟ ଭାରତୀୟ ଉପଭୋକ୍ତାଙ୍କୁ ପ୍ରାୟତଃ ଆକର୍ଷିତ କରିଥାଏ। ତେବେ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ ଦୁବାଇରୁ ଭାରତକୁ ସୁନା ଆମଦାନୀ ଉପରେ କିଛି କଟକଣା ଲଗାଇଛନ୍ତି। ଏଣୁ ଦୁବାଇରୁ ଭାରତକୁ ସୁନା ଆଣୁଥିବା ଯେ କୌଣସି ବ୍ୟକ୍ତି ଅଧିକାରୀକ ଆବଶ୍ୟକତା ସମ୍ପର୍କରେ ଜାଣି ରଖିବା ଉଚିତ। ଯଦି ଜଣେ ପୁରୁଷ ବ୍ୟକ୍ତି ଦୁବାଇରୁ ଭାରତ ଆସୁଥାନ୍ତି ସାଙ୍ଗରେ ସର୍ବାଧିକ ୨୦ ଗ୍ରାମ ବା ୫୦ ହଜାର ଟଙ୍କାର ସୁନା ଆଣି ପାରିବେ। ଏହି ସୁନା ପାଇଁ ତାଙ୍କୁ କୌଣସି କଷ୍ଟମ ଡ୍ୟୁଟି ଦେବାକୁ ପଡିବ ନାହିଁ।

ପୁରୁଷଙ୍କ ଲାଗି ସୁନା ଆଣିବା ସୀମା
ଏହି ସୀମା ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତି ସ୍ୱର୍ଣ୍ଣ ମୁଦ୍ରା ଅଥବା ବିସ୍କୁଟ ବି ଆଣି ପାରନ୍ତି। ତେବେ ଯଦି ସୁନା ୨୦ ଗ୍ରାମରୁ ଅଧିକ ହୋଇଥାଏ ତେବେ ଅତିରିକ୍ତ ଗ୍ରାମ ପାଇଁ ତାଙ୍କୁ ପ୍ରତି ଗ୍ରାମ ହିସାବରେ କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କ ପୈଠ କରିବାକୁ ପଡିବ। ଯଦି କୌଣସି ପୁରୁଷ ଯାତ୍ରୀ ୨୦ରୁ ୫୦ ଗ୍ରାମ ସୁନା ସାଙ୍ଗରେ ଆଣିଥାନ୍ତି ତେବେ ତାଙ୍କୁ ସୀମା ଶୁଳ୍କ ବାବଦେ ୩% ପୈଠ କରିବାକୁ ପଡିବ। ସେହିପରି ଯଦି ସେ ୫୦ରୁ ୧୦୦ ଗ୍ରାମ ସୁନା ଆଣିଥାନ୍ତି ତେବେ ଏହି ଶୁଳ୍କ ତାଙ୍କୁ ୬% ଲାଗୁ ହେବ। ଯଦି ୧୦୦ ଗ୍ରାମରୁ ଅଧିକ କିଣି ଆଣିଥାନ୍ତି ତେବେ ତାଙ୍କୁ ୧୦% ଶୁଳ୍କ ଦେବାକୁ ପଡିବ।

ମହିଳାଙ୍କ ଲାଗି ସୀମା
ସେହିପରି କୌଣସି ମହିଳା ଯାତ୍ରୀଙ୍କ ଲାଗି ବିନା ଶୁଳ୍କରେ ସୁନା ଆଣିବା ସୀମା ୪୦ ଗ୍ରାମ ବା ଅଧିକତମ ମୂଲ୍ୟ ୧ଲକ୍ଷ ଟଙ୍କା ନିର୍ଦ୍ଧାରିତ ହୋଇଛି।ଦୁବାଇରୁ ଫେରିବା ସମୟରେ ମହିଳାମାନେ ସ୍ୱର୍ଣ୍ଣ ଆଭୂଷଣ, ମୁଦ୍ରା ଅଥବା ଛଡ ଆକାରରେ ୪୦ ଗ୍ରାମ ସୁନା ବିନା କଷ୍ଟମ ଡ୍ୟୁଟିରେ ସାଙ୍ଗରେ ଆଣିପାରିବେ। ତେବେ ଏହି ସୀମାରୁ ଅଧିକ ସୁନା ଆଣିଲେ ତାଙ୍କୁ ଶୁଳ୍କ ପୈଠ କରିବାକୁ ପଡିବ। ଏଥିରେ ଯଦି କୌଣସି ମହିଳା ଯାତ୍ରୀ ୪୦ରୁ ୧୦୦ ପର୍ଯ୍ୟନ୍ତ ସୁନା ଆଣିଥାନ୍ତି ତାଙ୍କୁ ୩% କଷ୍ଟମ ଡ୍ୟୁଟି ପୈଠ କରିବାକୁ ପଡିବ। ସେହିପରି ଏହା ଯଦି ୧୦୦ରୁ ୨୦୦ ଗ୍ରାମ ମଧ୍ୟରେ ହୁଏ ତେବେ ଏଥି ପାଇଁ ୬% ଓ ୨୦୦ ଗ୍ରାମରୁ ଅଧିକ ଓଜନର ସୁନା ପାଇଁ ୧୦ ପ୍ରତିଶତ ଶୁଳ୍କ ଲାଗୁ ହେବ।

ପିଲାଙ୍କ ପାଇଁ ସୀମା
ଯଦି ଦୁବାଇରୁ ଫେରୁଥିବା ପିଲାଙ୍କ ଦେହରେ ସ୍ୱର୍ଣ୍ଣାଳଙ୍କାର ଥାଏ ଏହାର ନିଶୁଳ୍କ ସୀମା ୪୦ ଗ୍ରାମ ମଧ୍ୟରେ ରହି ପାରିବ। ଏଥିରେ ସୁନା ଉପହାର ମଧ୍ୟ ସାମିଲ। ତେବେ ପିଲାଙ୍କୁ ସାଙ୍ଗରେ ଆଣିଥିବା ବୟଷ୍କ ବ୍ୟକ୍ତିଙ୍କୁ ତାଙ୍କ ସହ ସମ୍ପର୍କର ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ପଡିବ। ପିଲାଙ୍କ ଦ୍ୱାରା ଅଣାଯାଇଥିବା ଅତିରିକ୍ତ ସୁନା ପାଇଁ ସୀମା ଶୁଳ୍କ ପୈଠ କରିବା ବାଧ୍ୟତାମୂଳକ। ୪୦ରୁ ୧୦୦ ଗ୍ରାମ ମଧ୍ୟରେ ସୁନା ପାଇଁ ୩% ସୀମା ଶୁଳ୍କ ଲାଗିବ। ସେହିପରି ୧୦୦ରୁ ୨୦୦ ଗ୍ରାମ ସୁନା ପାଇଁ ୬% ଓ ୨୦୦ ଗ୍ରାମରୁ ଅଧିକ ସୁନା ପାଇଁ ୧୦% ଶୁଳ୍କ ପୈଠ କରିବାକୁ ପଡିବ।

ସ୍ୱର୍ଣ୍ଣ ମୁଦ୍ରା ଆଣିଲେ
ଆମଦାନୀ ସ୍ୱର୍ଣ୍ଣ ମୁଦ୍ରାର ଓଜନ ପ୍ରତି ଯାତ୍ରୀ ୧୦୦ ଗ୍ରାମରୁ କମ୍ ଥାଏ ତେବେ ତା ଉପରେ ୧୦% ସୀମା ଶୁଳ୍କ ଲାଗୁ ହେବ। ଯଦି ସ୍ୱର୍ଣ୍ଣ ମୁଦ୍ରାର ମିଳିତ ଓଜନ ୨୦ରୁ ୧୦୦ ଗ୍ରାମ ମଧ୍ୟରେ ତେବେ ମୂଲ୍ୟର ୧୦ ପ୍ରତିଶତ ସୀମା ଶୁଳ୍କ ଲାଗୁ ହେବ। ଯଦି ଆମଦାନୀ ସୁନାମୁଦ୍ରାର ମୋଟ ଓଜନ ୨୦ ଗ୍ରାମରୁ କମ୍ ହୁଏ ତେବେ ଏଥି ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ ଅନୁସାରେ ଭାରତୀୟ ପାସପୋର୍ଟଧାରୀ ଓ ମୂଳ ଭାରତୀୟଙ୍କ ଲାଗି ସୁନା ଉପରେ ୧୨.୫% ରିହାତି ଓ ୧.୨୫ ପ୍ରତିଶତ ସାମାଜିକ କଲ୍ୟାଣ ଅଧିଭାର ମଧ୍ୟ ଲାଗୁ ହେବ।

ଦେଖାଇବାକୁ ହେବ ଶୁଦ୍ଧତା ଓ କ୍ରୟ ପ୍ରମାଣ
ଦୁବାଇରୁ ଭାରତ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସୁନା କ୍ରୟ ବିଲ୍ ଶୁଦ୍ଧତା ପ୍ରମାଣପତ୍ର ଭଳି କାଗଜପତ୍ର ଉପସ୍ଥାପନ କରିବାକୁ ପଡିବ। ଆପଣ ଆଣିଥିବା ସବୁ ସୁନା ବିସ୍କୁଟ ଉପରେ ସଠିକ ସୂଚନା ଅଙ୍କିତ ଥିବା ଆବଶ୍ୟକ। ଯେଉଁଥିରେ ବିସ୍କୁଟର ଓଜନ ଓ କ୍ରମାଙ୍କ ଥିବ। ଯାତ୍ରୀ ଯଦି ଭୁଲ ସୂଚନା ଦିଅନ୍ତି ତେବେ ତାଙ୍କ ବିରୋଧରେ ଜରିମନା ମଧ୍ୟ ଲାଗୁ ହୋଇ ପାରେ। ଯଦି ଆବଶ୍ୟକ ପଡେ ସୁନା ଜବତ ମଧ୍ୟ ହୋଇ ପାରେ। ଯଦି କୌଣସି ଭାରତୀୟ ଦୁବାଇରୁ ଆଣିଥିବା ସୁନା ଶୁଳ୍କ ମୁକ୍ତ ସୀମାରୁ ଅଧିକ ଥାଏ ତେବେ ଏୟାରପୋର୍ଟରେ ତାଙ୍କୁ ଏହାର ସୂଚନା ଦେବାକୁ ହେବ। ନିର୍ଦ୍ଧାରିତ ସୀମାରୁ ଅଧିକ ସୁନା ସାଙ୍ଗରେ ଆଣିଥିବା ଭାରତୀୟ ଯାତ୍ରୀ ଏୟାରପୋର୍ଟର ରେଡ ଚ୍ୟାନେଲ ଉପଯୋଗ କରି ଏହା ଜଣାଇବେ ଯେ ସେ ଦୁବାଇରୁ ଶୁଳ୍କ ଯୋଗ୍ୟ ସୁନା ଆଣିଛନ୍ତି।

Also Read..Dubai Gold: ଦୁବାଇରେ ଶସ୍ତାରେ ବିକ୍ରି ହେଉଛି ସୁନା, ଜଣେ ଭାରତୀୟ କେତେ ଅଳଙ୍କାର ଆଣିପାରିବେ ?