ନୂଆଦିଲ୍ଲୀ ୨୫।୧୦: ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଘନୀଭୂତ ହେଉଛି । ଯଦିଓ ଏହି ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ ବାପଟ୍‌ଲା ଏବଂ ବିଶାଖାପଟନମ୍ ମଧ୍ୟରେ ଅତିକ୍ରମ କରିବା ନେଇ ଆକଳନ କରିଛି ଆଇଏମ୍‌ଡି । ଆନ୍ଧ୍ର ଆଡ଼କୁ ମୁହାଁଇବ ବାତ୍ୟା କିନ୍ତୁ ଓଡ଼ିଶାରେ ଉଡ଼ାଇବ କମ୍ ବୁଡ଼ାଇବ ବେଶୀ । ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଥିବା କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ବଙ୍ଗୋପସାଗରରେ ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହା ସୋମବାର ସକାଳ ସୁଦ୍ଧା ଏକ ବାତ୍ୟାର ରୂପ ନେବାର ସମ୍ଭାବନୀ ରହିଛି । ଏହା ୨୭ ରୁ ୨୮ ତାରିଖ ମଧ୍ୟରେ ଏକ ଅଧିକ ଶକ୍ତିଶାଳୀ ଭୟଙ୍କର ବାତ୍ୟାର ରୂପ ନେଇପାରେ । ସମୁଦ୍ର ଅଶାନ୍ତ ରହିଥିବାରୁ ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ରହିଥିବା ବେଳେ ଝଟକା ପବନ ବେଗ ୭୦ କିଲୋମିଟର ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିବା ବେଳେ ୧୪୦ କିଲୋମିଟର ପର୍ଯ୍ୟନ୍ତ ଝଟକା ପବନ ବହିବାର ସମ୍ଭାବନା ରହିଛି ।

ଓଡ଼ିଶା ଉପରେ ପ୍ରଭାବ ଏବଂ ବର୍ଷାର ପୂର୍ବାନୁମାନ

ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳକୁ ସିଧାସଳଖ ଅତିକ୍ରମ କରୁନଥିଲେ ମଧ୍ୟ ଏହାର ପରୋକ୍ଷ ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ବିଶେଷ ଭାବେ ପଡ଼ିବ । କୋରାପୁଟ, ରାୟଗଡ଼ା, ଗଜପତି, ମାଲକାନଗିରି ଏବଂ ଗଞ୍ଜାମ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

ବର୍ଷା: ୨୭ ତାରିଖରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ୨୮ ତାରିଖରେ ସମଗ୍ର ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ୨୦ ରୁ ୩୦ ସେ.ମି. ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

Also Read:- ସୋମବାର ସକାଳ ସୁଦ୍ଧା ବାତ୍ୟା ! ୨୭ରେ ଭୀଷଣ, ୨୮ରେ ଅତି ଭୀଷଣ ସମ୍ଭାବନା

ପ୍ରବଳ ବର୍ଷା ଓ ପବନ ଯୋଗୁଁ କ୍ଷେତରେ ଥିବା ପାଚିଲା ଧାନ ତଥା ଅନ୍ୟାନ୍ୟ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ଦୃଶ୍ୟମାନତା କମିବା କାରଣରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇପାରେ । ତେବେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

​​​​​​​