ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଗସ୍ତ ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ଆଣିଦେଇଛି। ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ମଧ୍ୟରେ ୫ ବିଲିୟନ ଡଲାରର ପୁଞ୍ଜିନିବେଶ, ପ୍ରତିରକ୍ଷା ସହଯୋଗ ଏବଂ ଶକ୍ତି କ୍ଷେତ୍ରରେ ରଣନୈତିକ ଭାଗିଦାରୀ ଆଦି ଚୁକ୍ତି ରହିଛି।

ବର୍ତ୍ତମାନ ଇରାନ ଆମେରିକା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀରେ ପରିବହନ ବନ୍ଦ ରହିଥିବାରୁ ସାରା ବିଶ୍ୱରେ ଶକ୍ତି ସଂକଟ ଦେଖା ଦେଇଛି। ବର୍ତ୍ତମାନ ଦୁନିଆ ବାଣ୍ଟି ହୋଇଯାଇଛି। ଏଭଳି ଭୂରାଜନୈତିକ ଅସ୍ଥିରତା ଭିତରେ ଭାରତ ଓ ୟୁଏଇ ଉଭୟ ପକ୍ଷ ସ୍ଥିରତା, ପରସ୍ପର ସମ୍ପର୍କ ମଜଭୁତ ରଖିବା ଏବଂ ଆର୍ଥିକ ସ୍ଥିରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Also Read- ଦକ୍ଷିଣ ଭାରତରେ ଶ୍ରମିକ ସଂକଟ: ଫ୍ଲାଇଟ୍ ଟିକେଟ, ଲଗଜୁରି ବସ ପଠାଇବା ଓ ଅଧିକ ଦରମା ଦେବା ପରେ ବି ଆସୁ ନାହାନ୍ତି ଶ୍ରମିକ
 

ପୁଞ୍ଜି ନିବେଶ ଓ ଅର୍ଥନୈତିକ ଅଭିବୃଦ୍ଧି

UAE ଭାରତର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ ୫ ବିଲିୟନ ଆମେରିକୀୟ ଡଲାର ପୁଞ୍ଜିନିବେଶ କରିବାକୁ ସମ୍ମତି ପ୍ରକାଶ କରିଛି। ଏହି ବିପୁଳ ପରିମାଣର ଅର୍ଥ ଭାରତର ପରିବହନ, ବନ୍ଦର ଏବଂ ଲଜିଷ୍ଟିକ୍ସ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଏକ ନୂତନ ଶିଖରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ପ୍ରତିରକ୍ଷା ଓ ସୁରକ୍ଷା ଚୁକ୍ତି

ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଭାରତ ଏବଂ UAE ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି (Defence Pact) ସ୍ୱାକ୍ଷରିତ ହୋଇଛି। ଏହା ଅଧୀନରେ ଉଭୟ ଦେଶ ମିଳିତ ସମରାଭ୍ୟାସ, ଗୋପନୀୟ ସୂଚନା ଆଦାନପ୍ରଦାନ ଏବଂ ପ୍ରତିରକ୍ଷା ସାମଗ୍ରୀର ସହ-ଉତ୍ପାଦନ ଉପରେ ଗୁରୁତ୍ୱ ଦେବେ। ସାମୁଦ୍ରିକ ସୁରକ୍ଷା ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଏହି ବୁଝାମଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଶକ୍ତି ସୁରକ୍ଷା ଓ ଗ୍ରୀନ ଏନର୍ଜି

ଶକ୍ତି କ୍ଷେତ୍ରରେ ଭାରତର ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି UAE ସହ ଅନେକ ଏନର୍ଜି ଡିଲ୍ ହୋଇଛି। ଏଥିରେ ପାରମ୍ପରିକ ତୈଳ ଓ ଗ୍ୟାସ ସହିତ ଅକ୍ଷୟ ଶକ୍ତି (Renewable Energy) ଏବଂ ଗ୍ରୀନ ହାଇଡ୍ରୋଜେନ ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତର ଶକ୍ତି ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ UAE ଏକ ଭରସାଯୋଗ୍ୟ ସହଯୋଗୀ ଭାବେ ଉଭା ହୋଇଛି।

ରଣନୈତିକ ପେଟ୍ରୋଲିୟମ ଭଣ୍ଡାର ଉପରେ ବୁଝାମଣାପତ୍ର

ଭାରତର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ୟୁଏଇ ସହିତ ରଣନୈତିକ ପେଟ୍ରୋଲିୟମ ଭଣ୍ଡାର ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ବର୍ତ୍ତମାନ ସମୟରେ ଆଞ୍ଚଳିକ ଉତ୍ତେଜନା ଯୋଗୁ ଅସ୍ଥିର ଅଶୋଧିତ ବଜାର ଏବଂ ଯୋଗାଣ ବାଧା ମଧ୍ୟରେ ଏହି ଚୁକ୍ତି ଭାରତ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶ ମଧ୍ୟରେ ପୂର୍ବରୁ ଏ ସମ୍ପର୍କିତ ଗଭୀର ସମ୍ପର୍କ ରହିଛି। ୟୁଏଇର ADNOC (Abu Dhabi National Oil Company) ହେଉଛି ଏକମାତ୍ର ବିଦେଶୀ କମ୍ପାନୀ, ଯିଏ କି ଭାରତର ଭୂତଳ ଭଣ୍ଡାରରେ ତୈଳ ସଂରକ୍ଷଣ କରୁଛି। ତେଣୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଡିଲ୍ ରଣନୈତିକ ସହଯୋଗକୁ ଆହୁରି ଘନିଷ୍ଠ କରିବ। ଭାରତ ପାଇଁ ଏକ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣକୁ ସୁନିଶ୍ଚିତ କରିବା ସହ ୟୁଏଇକୁ ଏହାର ବିସ୍ତାରିତ ଅଶୋଧିତ ତୈଳ ଉତ୍ପାଦନ କ୍ଷମତା ପାଇଁ ଭାରତ ଭଳି ଏକ ସ୍ଥିର, ଦୀର୍ଘକାଳୀନ ବଜାର ପ୍ରଦାନ କରିବ।

Also Read- Gold, Silver Price Today : ହଠାତ୍ ପୂରା ଖସିଲା ସୁନା ଦର, ୧୮ ହଜାର ଶସ୍ତା ହୋଇଗଲା, ରୁପା ଦରରେ ୧.୧୮ ଲକ୍ଷ ଟଙ୍କା ହ୍ରାସ

LPG ଯୋଗାଣ ଚୁକ୍ତି

ଉଭୟ ପକ୍ଷ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ ଯୋଗାଣ ଉପରେ ଏକ ଚୁକ୍ତିନାମା ମଧ୍ୟ କରିଛନ୍ତି। ଯାହାର ଲକ୍ଷ୍ୟ ହେଉଛି ଭାରତକୁ ସ୍ଥିର ଏବଂ ଦୀର୍ଘକାଳୀନ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା। କାରଣ ଭାରତ ବର୍ତ୍ତମାନ ତୈଳ ସଂକଟର ପ୍ରଭାବକୁ ଜନତାଙ୍କ ଉପରେ କମ ପକାଇବା ପାଇଁ ଆମଦାନୀକୁ ବିବିଧକରଣ କରିବାକୁ ଚେଷ୍ଟା କରୁଛି। ତେଣୁ ଏହା ଖୁବ ଗୁରୁତ୍ୱପୂର୍ଣ୍ଣ। ଇଣ୍ଡିଆନ ଅଏଲ କର୍ପୋରେସନ (IOCL) ଏବଂ ADNOC ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଦୀର୍ଘ ସମୟ ପାଇଁ ପ୍ରାଥମିକତା ଭିତ୍ତିରେ UAE ଭାରତକୁ ଏଲପିଜି ଯୋଗାଇବ। ଏଥିରେ ଭାରତର ଘରୋଇ LPG ଆବଶ୍ୟକତାର ପ୍ରାୟ ୪୦ ପ୍ରତିଶତ ପୂରଣ ହେବ।

ଜାହାଜ ମରାମତି କ୍ଲଷ୍ଟର ସ୍ଥାପନ ପାଇଁ ବୁଝାମଣାପତ୍ର

ପ୍ରଧାନମନ୍ତ୍ରୀଙ୍କ ୟୁଏଇ ଗସ୍ତରେ ଗୁଜରାଟର ଭାଡିନାରରେ ଏକ ଜାହାଜ ମରାମତି କ୍ଲଷ୍ଟର ସ୍ଥାପନ ପାଇଁ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହା ଭାରତର ସାମୁଦ୍ରିକ ଭିତ୍ତିଭୂମି ଇକୋସିଷ୍ଟମକୁ ସୁଦୃଢ଼ କରିବ ଏବଂ ଜାହାଜ ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ଏକ ଆଞ୍ଚଳିକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ସପୋର୍ଟ କରିବ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ କେବଳ ବ୍ୟବସାୟିକ ନୁହେଁ, ବରଂ ଦୁଇ ଦେଶର ସାଂସ୍କୃତିକ ଓ ରଣନୈତିକ ସମ୍ପର୍କକୁ ମଧ୍ୟ ମଜବୁତ କରିଛି। ଏହି ନୂଆ ଚୁକ୍ତିନାମାଗୁଡ଼ିକ ଆଗାମୀ ଦଶକରେ ଦକ୍ଷିଣ ଏସିଆ ଏବଂ ମଧ୍ୟପ୍ରାଚ୍ୟର ଭୂ-ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।