ନୂଆଦିଲ୍ଲୀ, ୨୮। ୦୭ : ଭାରତରେ ଧନୀ ଏବଂ କୋଟିପତିଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଲୋକସଭାରେ ପ୍ରକାଶ ପାଇଥିବା ଏକ ତଥ୍ୟ ଅନୁଯାୟୀ, ଆସେସମେଣ୍ଟ ବର୍ଷ (AY) ୨୦୨୫-୨୬ ରେ ଦେଶରେ ୧୦୦ କୋଟି କିମ୍ବା ତା’ଠାରୁ ଅଧିକ ଗ୍ରସ୍ ମୋଟ ଆୟ ଘୋଷଣା କରିଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୫୦୦ ଅତିକ୍ରମ କରିଛି।

ଗତ ବର୍ଷ ଅପେକ୍ଷା ଏହି ସଂଖ୍ୟାରେ ପ୍ରାୟ ୩୯ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି। ୪ ବର୍ଷରେ ଏହା ୪ ଗୁଣାକୁ ବୃଦ୍ଧି ପାଇଛି I ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଆସେସମେଣ୍ଟ ବର୍ଷ ୨୦୨୧-୨୨ ରେ ଏଭଳି ରୂପିଆ କୋଟିପତିଙ୍କ ସଂଖ୍ୟା ମାତ୍ର ୧୪୨ ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ ୫୭୬ ରେ ପହଞ୍ଚିଛି।

ଜାତୀୟ ଆୟ ଏବଂ ସର୍ଭେ କହୁଛି, ଦେଶରେ ଆୟର ସଠିକ୍ ଆକଳନ ପାଇଁ ସରକାରୀ ସ୍ତରରେ ନିର୍ଦ୍ଦିଷ୍ଟ ପଦ୍ଧତି ନଥିବାରୁ ଗବେଷକମାନେ ଆୟକର ରିଟର୍ନ ତଥ୍ୟ ଉପରେ ନିର୍ଭର କରନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ପରିସଂଖ୍ୟାନ ମନ୍ତ୍ରଣାଳୟ ଦ୍ୱାରା ଦେଶର ପ୍ରଥମ "ଜାତୀୟ ପରିବାର ଆୟ ସର୍ଭେ" କରାଯାଉଛି। ସେହି ଅନୁସାରେ ଦେଖିବାକୁ ଗଲେ ଜିଡିପି ତଥ୍ୟ ତଥ୍ୟ କହୁଛି , ୨୦୨୫-୨୬ ରେ ଭାରତର ପ୍ରକୃତ ମୁଣ୍ଡପିଛା ଜାତୀୟ ଆୟ ୨.୪୧ ଲକ୍ଷ ଟଙ୍କା ରହିଛି, ଯାହା ଗତ ବର୍ଷ ଅପେକ୍ଷା ୮ ପ୍ରତିଶତ ଅଧିକ ଦେଖିବାକୁ ମିଳିଛି I

ଅନ୍ୟପଟେ ବିଶ୍ୱସ୍ତରୀୟ ଆର୍ଥିକ ତଥ୍ୟ ପ୍ରଦାନକାରୀ ସଂସ୍ଥା 'ଫୋର୍ବସ୍' ଅନୁଯାୟୀ ଭାରତରେ ମୋଟ ୨୨୯ ଜଣ 'ଡଲାର କୋଟିପତି' ଅଛନ୍ତି, ଯାହା ଯାଞ୍ଚ କରାଯାଇଥିବା ନେଟ୍ ଓ୍ଵର୍ଥ ଆଧାରରେ ଜଣାପଡିଛି । ଦେଶରେ ବଢ଼ୁଥିବା ଆୟ ଏବଂ ସମ୍ପତ୍ତିର ଅସମାନତାକୁ ନେଇ ସଂସଦରେ ପ୍ରଶ୍ନ ଉଠିଥିବାବେଳେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଗିନି ଗୁଣାଙ୍କ ( ଅସମାନତା ମାପିବା ଯନ୍ତ୍ର) ହ୍ରାସ ପାଇଛି, ଯାହା ଆର୍ଥିକ ବ୍ୟବଧାନ କମୁଥିବାର ସୂଚନା ଦିଏ। ତଥାପି, 'ବିଶ୍ୱ ଅସମାନତା ରିପୋର୍ଟ ୨୦୨୬ ଅନୁଯାୟୀ ଭାରତରେ ଆୟ ଓ ସମ୍ପତ୍ତିର ଅସମାନତା ଏବେ ବି ବିଶ୍ୱର ସର୍ବାଧିକ ସ୍ତରରେ ରହିଛି।

୨୦୨୨ -୨୩ ରେ ୧୦୦ କୋଟି ତଦୁର୍ଧ୍ୱ ଆୟ ବର୍ଗରେ ୩୦୧ ବ୍ୟକ୍ତିବିଶେଷ ଥିଲେ I ୨୦୨୩-୨୪ ରେ ଏହା ୨୮୪ କୁ ଖସିବା ପରେ ,୨୦୨୪ -୨୫ ରେ ୪୧୫ କୁ ବୃଦ୍ଧି ପାଇଥିଲା I ବର୍ତ୍ତମାନ ଏହା ୫୦୦ ପାର କରିଯାଇଛି I ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ କହିବା ଅନୁସାରେ ଆୟ ଏବଂ ସମ୍ପତି ଅସମାନତାକୁ ହ୍ରାସ କରି ନିଯୁକ୍ତି ସୃଷ୍ଟି ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ଗ୍ରହଣ କରିଛନ୍ତି I ଏଥିରେ ରହିଛି ଏକ ପ୍ରଗତିଶିଳ ଆୟକର ଢାଞ୍ଚା I ଯାହା ଭାରତରେ କୋଟିପତି ସୃଷ୍ଟି କରିବାରେ ସାହାଯ୍ୟ କରୁଛି I