ରାୟଗଡ଼ା: ନଦୀରେ ବୁଡ଼ି ଜଣେ ବାଳକର ଦୁଃଖଦ ମୃତ୍ୟୁ। ଉଦ୍ଧାର ପରେ ଆମ୍ବୁଲାନ୍ସ ପହଞ୍ଚିବାରେ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିବା ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ କରିଛନ୍ତି। ଶେଷରେ ଆମ୍ବୁଲାନ୍ସ ନଆସିବାରୁ ପ୍ରାୟ ଅଢ଼େଇ କିଲୋମିଟର ଦୂର ଯାଏଁ ବାଳକଙ୍କ ମୃତଦେହକୁ ବୋହି ହସ୍ପିଟାଲ ନେଇଥିଲେ ପରିବାର ସଦସ୍ୟ। ଏହି ଘଟଣାକୁ ନେଇ ରାୟଗଡ଼ାରେ ସ୍ୱାସ୍ଥ୍ୟସେବା ଓ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ରାୟଗଡ଼ା ସହରର ନୂଆସାହି ଅଞ୍ଚଳରେ ଏହି ଅଘଟଣ ଘଟିଛି। କହ୍ନେଇ କୈଶଲ୍ୟା ନାମକ ଜଣେ ବାଳକ ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ। ଏନେଇ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ଅପରାହ୍ନ ପ୍ରାୟ ୪ଟାରେ ବାଳକଙ୍କୁ ଉଦ୍ଧାର କରାଯାଇଥିଲା।

ତେବେ ଉଦ୍ଧାର ପରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଏହା ପହଞ୍ଚିବାରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିବା ମୃତ ବାଳକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଆମ୍ବୁଲାନ୍ସ ନଆସିବାରୁ ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ବାଳକଙ୍କ ମୃତଦେହକୁ ପ୍ରାୟ ଅଢ଼େଇ କିଲୋମିଟର ବୋହି ରାୟଗଡ଼ା ସରକାରୀ ହସ୍ପିଟାଲକୁ ନେଇଥିଲେ।

Also Read: ଏନଏସିରେ କାର୍ଯ୍ୟରତ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା

ଏହି ଘଟଣା ପରେ ଜିଲ୍ଲାରେ ଆମ୍ବୁଲାନ୍ସ ସେବାର ଅଭାବ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ଉପଲବ୍ଧତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାୟଗଡ଼ା ସରକାରୀ ହସ୍ପିଟାଲକୁ ଅଧିକ ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ମୃତ ବାଳକଙ୍କ ସମ୍ପର୍କୀୟ ବିଧାୟକ, ସାଂସଦ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଦୁର୍ଦ୍ଦଶାର ସାମ୍ନା କୌଣସି ପରିବାରକୁ କରିବାକୁ ନପଡ଼େ, ସେଥିପାଇଁ ଜିଲ୍ଲାରେ ଆମ୍ବୁଲାନ୍ସ ସେବାକୁ ସୁଦୃଢ଼ କରିବାକୁ ଦାବି ହୋଇଛି।