ନୂଆଦିଲ୍ଲୀ: ପୋଲିସ ଏଏସଆଇଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ । ଜଣେ ନେତାଙ୍କୁ ଫସାଇବା ପାଇଁ ରଚିଥିବା ଷଡ଼ଯନ୍ତ୍ରରେ ଏବେ ସେ ନିଜେ ଫସିଛନ୍ତି। ପୋଲିସ ବିଭାଗକୁ ଲଜ୍ଜିତ କଲାଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ପଞ୍ଜାବ ଖନ୍ନା ସହରରୁ । ଶିବସେନା ନେତାଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ଜଣେ ପୋଲିସ ଏଏସଆଇ କରିଥିବା କାରନାମା ଏବେ ପଦାରେ ପଡ଼ିଛି । ଏଏସଆଇ ଜଣକ ନେତାଙ୍କୁ ଫସାଇବା ପାଇଁ ତାଙ୍କ ଘରେ ମାଦକ ଦ୍ରବ୍ୟ ରଖୁଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଭିଡିଓ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ପୋଲିସ ଶିବସେନା ନେତା ମହନ୍ତ କାଶ୍ମୀର ଗିରିଙ୍କ ଡ୍ରାଇଭର ଗୁରଜନ୍ତ ସିଂହକୁ ସାଢ଼େ ସାତ ଗ୍ରାମ ହେରୋଇନ୍ ସହ ଗିରଫ କରିଥିଲା। ପଚରାଉଚରା ବେଳେ ସେ, ନେତାଙ୍କ ନାମ ନେଇଥିବା ଦର୍ଶାଇ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।

ହେଲେ ଶନିବାର ଦିନ ସାଧା ପୋଷାକରେ ସିଆଇଏ (CIA) ବିଭାଗରେ କାର୍ଯ୍ୟରତ ଏଏସଆଇ ସୁଖଦେବ ସିଂହ ନେତାଙ୍କ ଘରେ ପହଞ୍ଚିଥିଲେ। ସେ ଜାଣି ନଥିଲେ ଯେ, ରୁମ୍ ଭିତରେ ସିସିଟିଭି କ୍ୟାମେରା ଲାଗିଛି। କ୍ୟାମେରାରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ଏଏସଆଇ ଜଣକ ନିଜ ହାତରେ ଗଦି ତଳେ କିଛି ସାମଗ୍ରୀ ଲୁଚାଉଛନ୍ତି । ଏହାର କିଛି ସମୟ ପରେ ପୋଲିସର ଅନ୍ୟ ଅଧିକାରୀମାନେ ସେଠାରେ ପହଞ୍ଚି ତଲାସି କରି ସେହି ଗଦି ତଳୁ ୩୦ ଗ୍ରାମ ହେରୋଇନ୍ ଜବତ ହୋଇଥିବା ଦାବି କରିଥିଲେ ଏବଂ ମହନ୍ତ କାଶ୍ମୀର ଗିରିଙ୍କୁ ଗିରଫ କରିଥିଲେ।

ଆରମ୍ଭ ହୋଇଛି କଡ଼ା କାର୍ଯ୍ୟାନୁଷ୍ଠାନ

ତେବେ ତଦନ୍ତକ୍ରମେ ଶନିବାର ସନ୍ଧ୍ୟାରେ କ୍ୟାମେରା ଫୁଟେଜ୍ ବରିଷ୍ଠ ଅଧିକାରୀମାନଙ୍କ ହାତକୁ ଆସିବା ପରେ ସମଗ୍ର କାର୍ଯ୍ୟାନୁଷ୍ଠାନ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଭିଡିଓରେ ଏଏସଆଇ ସୁଖଦେବ ସିଂହଙ୍କ କଳାକାରନାମା ସ୍ପଷ୍ଟ ପ୍ରମାଣିତ ହେବା ପରେ ଖନ୍ନାର ବରିଷ୍ଠ ପୋଲିସ ଅଧୀକ୍ଷକ (SSP) ଦର୍ପଣ ଆହଲୁୱାଲିଆ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Also Read: ବଢ଼ିଲା ବିବାଦ, ସ୍ପଷ୍ଟୀକରଣ ଦେଲେ ଧୀରେନ୍ଦ୍ର ଶାସ୍ତ୍ରୀ: କହିଲେ- ‘‘କାହାର ଭାବନା ଆଘାତ ପାଇଥିଲେ କ୍ଷମା ପ୍ରାର୍ଥନା କରୁଛି’’

ଏଏସଆଇ ସୁଖଦେବ ସିଂହଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଶିବସେନା ନେତା ମହନ୍ତ କାଶ୍ମୀର ଗିରିଙ୍କୁ ଏହି ମାମଲାରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜଣେ ଏସ୍‌ପି (SP) ସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଛି। ଏହି ଘଟଣା ପରେ ପୋଲିସ ବିଭାଗର କାର୍ଯ୍ୟଶୈଳୀ ଏବଂ ଜବତ କରାଯାଇଥିବା ସାମଗ୍ରୀର ପ୍ରମାଣ ନେଇ ସାଧାରଣରେ ବ୍ୟାପକ ଚର୍ଚ୍ଚା ଓ ଅସନ୍ତୋଷ ପ୍ରକାଶ ପାଇଛି। ଏସଆଇଟି ଟିମ୍ ଏହି ମାମଲାରେ ସଂପୃକ୍ତ ଅନ୍ୟ ପୋଲିସକର୍ମୀଙ୍କ ଭୂମିକା ଏବଂ ସମସ୍ତ ଦିଗକୁ ନେଇ ଗଭୀର ତଦନ୍ତ ଚଳାଇଛି।