ବ୍ରହ୍ମପୁର: ବେଆଇନ ନିଷିଦ୍ଧ ତମାଖୁ ଓ ନକଲି ଗୁଟଖା କାରବାର ବିରୋଧରେ ବ୍ରହ୍ମପୁର ବଡ଼ବଜାର ପୁଲିସର ବଡ଼ ଧରଣର ଚଢ଼ାଉ। ବଡ଼ବଜାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ନିଷିଦ୍ଧ ଓ ଲେବଲବିହୀନ ଗୁଟଖା ଜବତ କରିଛି ପୁଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ନିଷିଦ୍ଧ ଓ ନିମ୍ନମାନର ତମାଖୁ ଉତ୍ପାଦ ସଂରକ୍ଷଣ ଏବଂ ବିକ୍ରୟ କରାଯାଉଥିବା ନେଇ ବଡ଼ବଜାର ପୁଲିସକୁ ନିର୍ଭରଯୋଗ୍ୟ ସୂଚନା ମିଳିଥିଲା । ଏହାପରେ ପୁଲିସର ଏକ ଟିମ୍ ବଡ଼ବଜାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ଗୌଡ଼ା ସାହି, ବାଛୁବାରୀ ସାହି ଓ ଶଙ୍କର ବଜାରରେ ଥିବା ତିନୋଟି ଖୁଚୁରା ଦୋକାନରେ ଯାଞ୍ଚ ବେଳେ ବିପୁଳ ପରିମାଣର ନିଷିଦ୍ଧ ଗୁଟଖା ଜବତ ହୋଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଗୋକୁଳ ଡିଲକ୍ସ ମିକ୍ସ ଏବଂ ବିନ୍ଦାସ ଗୋକୁଳ ଡିଲକ୍ସ ମିକ୍ସ ବ୍ରାଣ୍ଡର ଗୁଟଖା ରହିଛି। ଏହି ଗୁଟଖା ପ୍ୟାକେଟ୍ଗୁଡ଼ିକରେ ଉତ୍ପାଦନ ଓ ମିଆଦ ତାରିଖ ଉଲ୍ଲେଖ ନଥିବା ସହ FSSAI ଲାଇସେନ୍ସ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ନଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି।

Also Read: କୋଟିଆରେ ପୁଣି ଉତ୍ତେଜନା: ଆନ୍ଧ୍ର ଏଜେଣ୍ଟ ଓ ଗ୍ରାମବାସୀ ମୁହାଁମୁହିଁ; ମୁତୟନ ହେଲେ ୧୫ ପ୍ଲାଟୁନ ପୋଲିସ

ଏହି ଚଢ଼ାଉରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ନିଷିଦ୍ଧ ତମାଖୁ ଉତ୍ପାଦର ବେଆଇନ ସଂରକ୍ଷଣ ଓ ବିକ୍ରୟ ଉପରେ ରୋକ୍ ଲଗାଇବା ପାଇଁ ପୁଲିସର ଏଭଳି ଅଭିଯାନ ଜାରି ରହିବା ନେଇ ଆଶା କରାଯାଉଛି। ତେବେ ଏହି ବେଆଇନ କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହି ଗୁଟଖା କେଉଁଠାରୁ ଆସୁଥିଲା, ସେନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି।