ନୂଆଦିଲ୍ଲୀ: ବାପାକୁ ନୃଶଂସ ଭାବରେ ପ୍ରେସର କୁକର୍‌ ଢ଼ାଙ୍କୁଣୀ ଏବଂ ଛୁରୀରେ ଆକ୍ରମଣ କରି ମାରିଦେଲା ଝିଅ । ସାମାନ୍ୟ ଫୋନ୍‌କୁ ନେଇ ଆରମ୍ଭ ହୋଇଥିବା କଳିରୁ ହତ୍ୟାକାଣ୍ଡ । ବାପା ଫୋନ୍‌ ଛଡ଼ାଇ ତଳେ ଫିଙ୍ଗିଦେବାରୁ ଝିଅର ଉନ୍ମତ୍ତକାଣ୍ଡ । ୨୨ ବର୍ଷୀୟା ଯୁବତୀ ନିଜ ବାପାଙ୍କୁ ହତ୍ୟା କରିବା ଘଟଣା ଗୁଜରାଟର ସୁରଟ ସହରରେ ଘଟିଛି । ହତ୍ୟାକାରୀ ଝିଅ କାଜଲ ଓରଫ ବିକ୍ରମକୁ ଅମରୋଲି ଥାନା ପୁଲିସ ଗିରଫ କରିଛି ।

ଅକ୍ଟୋବର ୩୧ ତାରିଖ ରାତି ପ୍ରାୟ ୧୦:୩୦ ରେ ଅମରୋଲି ଥାନା ଅନ୍ତର୍ଗତ କୋସାଡ୍ ଆବାସ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ମୃତକ ବ୍ୟକ୍ତି ରମେଶ କୈଳାସ ରାଜପୁତ । ରାଜପୁତ ଘରେ ନିଜ ସ୍ତ୍ରୀ ମଞ୍ଜୁବେନ୍ ଏବଂ ଝିଅ କାଜଲଙ୍କ ସହ ଥିଲେ। କାଜଲର ମାଆଙ୍କ ଅଭିଯୋଗ ଅନୁଯାୟୀ, ଘରକାମ ନକରି ମୋବାଇଲ୍‌ରେ ନିୟମିତ ଗେମ୍ ଖେଳିବାକୁ ନେଇ ବାପା-ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ରମେଶ ଝିଅ କାଜଲକୁ ଫୋନ୍‌ ବନ୍ଦ କରି ଘରକାମରେ ସାହାଯ୍ୟ କରିବାକୁ କହିଥିଲେ। ଝିଅ କଥା ନଶୁଣିବାରୁ ସେ ବିରକ୍ତ ହୋଇ କାଜଲ ହାତରୁ ମୋବାଇଲ୍ ଫୋନ୍‌ଟି ଛଡ଼ାଇ ନେଇ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ।

ଫୋନ୍ ଭାଙ୍ଗିଯିବାରୁ କାଜଲ ନିଜର କ୍ରୋଧ ସମ୍ଭାଳି ପାରିନଥିଲା। ସେ ସାଙ୍ଗେ ସାଙ୍ଗେ ରୋଷେଇ ଘରୁ ପ୍ରେସର୍ କୁକର୍‌ର ଢାଙ୍କୁଣୀ ଆଣି ବାପାଙ୍କ ମୁଣ୍ଡକୁ ଆଘାତ ଦେଇଥିଲା। ପରେ ସେ ଏକ ପନିପରିବା କଟା ଛୁରୀରେ ବାପାଙ୍କ ପେଟକୁ ଭୁସି ଦେଇଥିଲା । ଫଳରେ ରମେଶ ଗୁରୁତର ଆହାତ ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଘର ବାହାରକୁ ଆସି ଚିତ୍କାର କରି ତଳେ ପଡ଼ିଯାଇଥିଲେ ।

ଚିତ୍କାର ଶୁଣି ପଡ଼ୋଶୀ ତୁରନ୍ତ  ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ମେଡିକାଲ୍ ଟିମ୍ ସେଠାରେ ପହଞ୍ଚି ପରୀକ୍ଷା କରିବା ପରେ ରମେଶଙ୍କର ମୃତ୍ୟୁ ହୋଇସାରିଥିବା କହିଥିଲେ। ଏହାପରେ ମୃତକଙ୍କ ସ୍ତ୍ରୀ ମଞ୍ଜୁବେନ୍ ନିଜ ଝିଅ କାଜଲ ବିରୋଧରେ ଅମରୋଲି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଝିଅ କାଜଲକୁ ଗିରଫ କରିଥିଲା । ସୁରଟ୍ ଏସିପି କହିଛନ୍ତି ଯେ, ମାମଲାରେ ଅଧିକ ତଦନ୍ତ ଜାରି ରହିଛି।