ନୂଆଦିଲ୍ଲୀ: ଭାରତରେ ସ୍ମାର୍ଟଫୋନ ବିକ୍ରିରେ ବଡ଼ ଧରଣର ହ୍ରାସ ହୋଇଛି ବୋଲି ନିକଟରେ ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଥିଲା। ବଡ଼ ବଡ଼ ପୂଜା ସେଲ୍ ଗୁଡିକରେ ମଧ୍ୟ ମୋବାଇଲ ଫୋନ୍ ବିକ୍ରି ହୋଇ ନଥିଲା ବୋଲି ବିଭିନ୍ନ ମିଡିଆ ରିପୋର୍ଟ କରିଥିଲେ। ଏମିତିକି ରିପୋର୍ଟରେ, ଆପଲ ପ୍ରତି ଭାରତୀୟଙ୍କ ମୋହଭଙ୍ଗ ହୋଇଛି ବୋଲି ମଧ୍ୟ କୁହାଯାଇଥିଲା।

ହେଲେ ଆପଲ ସିଇଓ ଜନ ଟର୍ନ୍ସ ଅର୍ଣ୍ଣିଂଙ୍ଗ୍ସ କଲରେ ଯାହା ସୂଚନା ଦେଇଛନ୍ତି ତାହା ମିଡିଆ ରିପୋର୍ଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ କହିଛନ୍ତି ଯେ ବିଶ୍ୱ ସ୍ତରରେ ସ୍ମାର୍ଟଫୋନ ମାର୍କେଟ୍‌ରେ ମନ୍ଥରତା ଓ ସପ୍ଲାଏରେ ବାଧା ସତ୍ତ୍ୱେ ସେପ୍ଟେମ୍ବର ତ୍ରୈମାସିକରେ ଆପଲ ଭାରତରୁ ହିଁ ସର୍ବାଧିକ ରେଭିନ୍ୟୁ ହାସଲ କରିଛି। ତେବେ କମ୍ପାନୀ କେତେ ରେଭିନ୍ୟୁ ପାଇଛି ସେ ନେଇ କିନ୍ତୁ ଜନ କୌଣସି ଖୁଲାସା କରି ନାହାନ୍ତି।

ତେବେ ବିଶ୍ୱ ସ୍ତରରେ କମ୍ପାନୀର ରାଜସ୍ୱ ୧୧୪.୫ ଅରବ ଡଲାର( ୧୦.୮୦ ଲକ୍ଷ କୋଟି ଟଙ୍କା)କୁ ବୃଦ୍ଧି ପାଇଛି। ଏହା ଗତ ବର୍ଷର ସମାନ ତ୍ରୈମାସିକରେ ୧୦୨.୫ ବିଲିୟନ ଡଲାର ଅପେକ୍ଷା ୧୨% ବୃଦ୍ଧି ପାଇଛି। ସେହିପରି ସମ୍ପୂର୍ଣ୍ଣ ଗୋଟିଏ ବର୍ଷରେ ଆପଲ୍ ୪୭୯ ଅରବ କିମ୍ବା ପ୍ରାୟ ₹୪୫ ଲକ୍ଷ କୋଟିର ରେକର୍ଡ ରାଜସ୍ୱ ହାସଲ କରିଛି। ଯାହା ଗତ ବର୍ଷ ୪୧୬ ଅରବ ଡଲାର ଥିଲା।

ଅପଗ୍ରେଡ୍ କାରଣରୁ ଭାରତରେ ରେକର୍ଡ ରେଭିନ୍ୟୁ ପାଇଲା ଆପଲ

ଆଇଫୋନ ଅପଗ୍ରେଡ୍ କରିବା ଦ୍ୱାରା ଭାରତୀୟ ଗ୍ରାହକମାନେ ପୁରୁଣା ଆଇଫୋନ ଦେଇ ନୂଆ ଆଇଫୋନ ନେଇଛନ୍ତି। ଏହି କାରଣରୁ କମ୍ପାନୀ ଭାତରେ ଭଲ ଆୟ କରିଛି। ଏହା ବାଦ୍ ମ୍ୟାକ୍ କମ୍ପ୍ୟୁଟର୍ସ ଓ ସର୍ଭିସେଜ୍ ବିଜନେଶ ବି ଭାରତରେ କମ୍ପାନୀକୁ ଭଲ ଗ୍ରୋଥ ଦେଇଛି। ତେଣୁ ଟର୍ନସ୍ ଭାରତକୁ କମ୍ପାନୀର ଗ୍ରୋଥରେ ଏକ ଗ୍ଲୋବାଲ ଇଞ୍ଜିନ ବୋଲି କହିଛନ୍ତି। ଭାରତରେ ଏତେ ଗ୍ରୋଥ୍ ହେବାର ୪ଟି ମୁଖ୍ୟ କାରଣ ଥାଇପାରେ।

Also Read- ଅକ୍ଟୋବରରେ ୟୁପିଆଇ ପେମେଣ୍ଟରେ ରେକର୍ଡ: ପ୍ରତିଦିନ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର

୧. ନୋ-କଷ୍ଟ ଇଏମ୍ଆଇ ଓ ସହଜ ଋଣ ଯୋଗୁ ମହଙ୍ଗା ଡିଭାଇସ ବଜେଟ୍ରେ ଆସୁଛି।
୨. ପୁରୁଣା ଫୋନ ଉପରେ ଭଲ ଦାମ ମିଳୁଛି। ତେଣୁ ଗ୍ରାହକ ପୁରୁଣା ଫୋନ ଦେଇ ଅପଗ୍ରେଡ୍ ଫୋନ କିଣୁଛନ୍ତି।
୩. ଏହାର ଆଉ ଏକ କାରଣ ହେଲା ଆଇଫୋନ ମେଡ-ଇନ ଇଣ୍ଡିଆ ହୋଇଥିବାରୁ ଏହାର ସପ୍ଲାଏ ଓ ଉପଲବ୍ଧତା ବଢ଼ିଛି।
୪. ଟିୟର-୨ ଓ ଟିୟର-୩ ସହରରେ ଷ୍ଟୋର୍ସ ଓ ରିସେଲର୍ସଙ୍କର ପହଞ୍ଚ ବଢ଼ାଇବା ବି ଏକ କାରଣ।

ଭାରତରେ ଆପଲ ପେ ଲଞ୍ଚ

ଆଇଫୋନ ଓ ମ୍ୟାକ୍ବୁକର ଭଲ ବିଜନେଶ ପରେ ଭାରତରେ ଆପଲ ପେ ଲଞ୍ଚ କରିଛି କମ୍ପାନୀ। ସିଇଓ ଜନ ଟର୍ନ୍ସ କହିଛନ୍ତି କମ୍ପାନୀ ଏକ୍ସିସ ବ୍ୟାଙ୍କ ସହ ମିଶି ଭାରତରେ ଆପଲ ପେ ଲଞ୍ଚ କରିଛି। ଏହା ମାଧ୍ୟମରେ ଏବେ ଭାରତୀୟ ଆଇଫୋନ ଯୁଜର୍ସ ଅଧିକ ସୁରକ୍ଷିତ ଓ ଦ୍ରୁତ ଡିଜିଟାଲ ପେମେଣ୍ଟ କରିପାରିବେ ବୋଲି ସିଇଓ କହିଛନ୍ତି।