ନୂଆଦିଲ୍ଲୀ: ବିଶ୍ୱ ବଜାରରେ ସ୍ମାର୍ଟଫୋନ୍ ବିକ୍ରି ମନ୍ଥର ରହିଥିବା ଏବଂ ବିଭିନ୍ନ ଯୋଗାଣ ସମସ୍ୟା ସତ୍ତ୍ୱେ ଆପଲ୍ (Apple) ସେପ୍ଟେମ୍ବର ତ୍ରୈମାସରେ ଭାରତୀୟ ବଜାରରୁ ଏହାର ସର୍ବକାଳୀନ ସର୍ବାଧିକ ରାଜସ୍ବ ଆୟ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜନ୍ ଟର୍ନସ୍ (John Ternus) ଏକ ଆର୍ଥିକ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଏହି ସମୟ ଅବଧିରେ ବିଶ୍ୱସ୍ତରରେ ଆପଲର ମୋଟ ଆୟ ବୃଦ୍ଧି ପାଇ ୧୧୪.୫ ବିଲିୟନ ଡଲାର ବା ପ୍ରାୟ ୧୦.୮୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଗତବର୍ଷ ଏହି ତ୍ରୈମାସରେ କମ୍ପାନୀର ଆୟ ୧୦୨.୫ ବିଲିୟନ ଡଲାର ଥିଲା, ଯାହାକି ବର୍ତ୍ତମାନ ପ୍ରାୟ ୧୨% ଅଧିକ ଅଟେ । ସେହିପରି ସମଗ୍ର ଆର୍ଥିକ ବର୍ଷରେ ଆପଲ୍ ୪୭୯ ବିଲିୟନ ଡଲାର ବା ପ୍ରାୟ ୪୫ ଲକ୍ଷ କୋଟି ଟଙ୍କାର ରେକର୍ଡ ଆୟ କରିଛି । ଯାହା ଗତବର୍ଷ ୪୧୬ ବିଲିୟନ ଡଲାର ଥିଲା ।

ବଡ଼ କଥା ହେଲା ଭାରତୀୟ ବଜାରରେ ଏହି ବୃଦ୍ଧି ପଛରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି ଆଇଫୋନର ଦବଦବା । ବିଶେଷ କରି ଯେଉଁ ୟୁଜର୍ସମାନେ ସେମାନଙ୍କର ପୁରୁଣା ଆଇଫୋନ୍ ବଦଳାଇ ନୂତନ ମଡେଲକୁ ଅପଗ୍ରେଡ୍ କରିଛନ୍ତି । ସେମାନଙ୍କ ସଂଖ୍ୟା ବହୁତ ଅଧିକ ରହିଛି ।

ଏହାସହିତ ମ୍ୟାକ୍ କମ୍ପ୍ୟୁଟର ଏବଂ ବିଭିନ୍ନ ସର୍ଭିସେସ୍ ବ୍ୟବସାୟ ମଧ୍ୟ ଭାରତରେ କମ୍ପାନୀର ସ୍ଥିତିକୁ ଅଧିକ ମଜଭୁତ କରିଛି । CEO ଜନ୍ ଟର୍ନସ୍ ଭାରତକୁ ଆପଲର ବିଶ୍ୱବ୍ୟାପୀ ବ୍ୟବସାୟ ପାଇଁ ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ୍ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ନୋ-କଷ୍ଟ EMI ଏବଂ ସହଜ ଋଣ, ପୁରୁଣା ଫୋନ୍ର ଭଲ ଏକ୍ସଚେଞ୍ଜ ଭାଲ୍ୟୁ, 'ମେଡ୍ ଇନ୍ ଇଣ୍ଡିଆ'ର ପ୍ରଭାବ, ଛୋଟ ସହରଗୁଡ଼ିକରେ ପ୍ରବେଶ ଆଦି କମ୍ପାନିଙ୍କୁ ଖୁବ୍ ସୁହାଇଛି ।

ଭାରତରେ ଲଞ୍ଚ ହେଲା 'ଆପଲ୍ ପେ'

ଆର୍ଥିକ ସମୀକ୍ଷା ବୈଠକରେ ଜନ୍ ଟର୍ନସ୍ ଆଉ ଏକ ବଡ଼ ଘୋଷଣା କରିଛନ୍ତି । କମ୍ପାନୀ ଆକ୍ସିସ୍ ବ୍ୟାଙ୍କ (Axis Bank) ସହଭାଗିତାରେ ଭାରତରେ 'ଆପଲ୍ ପେ' (Apple Pay) ସେବା ଆରମ୍ଭ କରିଦେଇଛି । ଏହା ଜରିଆରେ ବର୍ତ୍ତମାନ ଭାରତୀୟ ଆଇଫୋନ୍ ୟୁଜର୍ସମାନେ ଅଧିକ ସୁରକ୍ଷିତ ଏବଂ ସହଜରେ ଡିଜିଟାଲ୍ ପେମେଣ୍ଟ କରିପାରିବେ ।

Also Read: ଅକ୍ଟୋବରରେ ୟୁପିଆଇ ପେମେଣ୍ଟରେ ରେକର୍ଡ: ପ୍ରତିଦିନ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର

ମାର୍ଜିନରେ ହ୍ରାସ ଆଶଙ୍କା, ସେୟାରରେ ଗିରଫଦାରୀ

ମେମୋରି (Memory) ଦର ବୃଦ୍ଧି ପାଇବା କାରଣରୁ ଆଗାମୀ ଦିନରେ ଗ୍ରସ୍ ମାର୍ଜିନ କମିପାରେ ବୋଲି ଆକଳନ କରାଯାଇଛି । ଏହି ଚେତାବନୀ ପରେ ପ୍ରି-ମାର୍ଜିନ ଟ୍ରେଡିଂରେ ଆପଲ୍ର ସେୟାର ପ୍ରାୟ ୪% ପର୍ଯ୍ୟନ୍ତ ଖସିଯାଇଛି ।

ସେପ୍ଟେମ୍ବର ତ୍ରୈମାସରେ କମ୍ପାନୀର ଗ୍ରସ୍ ମାର୍ଜିନ ହ୍ରାସ ପାଇ ୪୭.୯%ରେ ରହିଛି, ଯାହାକି ଡିସେମ୍ବର ତ୍ରୈମାସରେ ଆହୁରି କମି ୪୫% ରୁ ୪୬% ଭିତରେ ରହିବାର ସମ୍ଭାବନା ରହିଛି। ମେମୋରି ମହଙ୍ଗା ହେବା ସହିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସଞ୍ଚାଳିତ ସିରି (Siri)ର ସମ୍ପ୍ରସାରଣ ପାଇଁ ହେଉଥିବା ଅଧିକ ଖର୍ଚ୍ଚ ଏହି ମାର୍ଜିନ ହ୍ରାସର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।