ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ଏହା ପୂର୍ବରୁ ଭାରତ ପାଞ୍ଚ ମ୍ୟାଚର ଟି-୨୦ ସିରିଜକୁ ୩-୨ରେ ଜିତି ନେଇଛି। ଏବେ ଦିନିକିଆ ସିରିଜ୍ ଉପରେ ସଭିଙ୍କ ନଜର। ବୁଧବାର ଅକଲାଣ୍ଡର ସେଡନ ପାର୍କରେ ଖେଳାଯିବ ପ୍ରଥମ ଦିନିକିଆ। ତେବେ ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଟିମର ଦିନିକିଆ ରେକର୍ଡ ଭଲ ନାହିଁ। ଟିମ୍ ୨୦୧୯ଠୁ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜରେ ଜିତି ନାହିଁ। ଗିଲ୍ ଭାରତର ଏହି ମରୁଡ଼ିକୁ ଶେଷ କରିବାକୁ ଚାହିଁବେ।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ପ୍ରଥମ ଦିନିକିଆ ପାଇଁ ଟପ୍-୪ ବ୍ୟାଟିଂ କ୍ରମ ସ୍ପଷ୍ଟ କରିଛନ୍ତି। ଗିଲ୍ ଏବଂ ରୋହିତ ଇନିଂସ ଓପନ କରିବେ। ଏହା ପରେ ତିନି ନମ୍ବରରେ କ୍ରିଜକୁ ଓହ୍ଲାଇବେ ବିରାଟ କୋହଲି ଏବଂ ଚାରି ନମ୍ବରରେ ଉପଅଧିନାୟକ ଶ୍ରେୟସ ଆୟର ବ୍ୟାଟିଂ କରିବେ।

ଏମିତି ହୋଇପାରେ ମିଡିଲ୍ ଅର୍ଡର

ଶୀର୍ଷ କ୍ରମରେ ଚାରୋଟି ଡାହାଣହାତୀ ବ୍ୟାଟର ରହିଥିବା ବେଳେ ପାଞ୍ଚ ନମ୍ବରରେ ଅଧିନାୟକ ଗିଲ୍ ବାମହାତୀ ବ୍ୟାଟରଙ୍କୁ ସୁଯୋଗ ଦେଇ ପାରନ୍ତି। ୧୫ ଜଣିଆ ଦଳରେ ଇଶାନ କିଶନ ରହିଛନ୍ତି। ମାତ୍ର ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବା ମୁସ୍କିଲ। ତେଣୁ ଏମିତି ପରିସ୍ଥିତିରେ ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିପାରେ। ଏହା ପରେ ଓ୍ଵିକେଟ୍ କିପର ବ୍ୟାଟର କେଏଲ ରାହୁଲଙ୍କୁ ଆକ୍ସନରେ ଦେଖିବାକୁ ମିଳିବ। ସାତ ଏବଂ ଆଠ ନମ୍ବରରେ ନୀତିଶ କୁମାର ରେଡ୍ଡୀ ଏବଂ ନମନ ଧୀର ଖେଳିବାର ଯଥେଷ୍ଟ  ସମ୍ଭାବନା ରହିଛି।

ବୋଲିଂରେ ଭାରତ ତିନି ଜଣ ସ୍ପେଶାଲିଷ୍ଟ ଦ୍ରୁତ ବୋଲର ସହିତ ମଇଦାନକୁ ଓହ୍ଲାଇବେ। ଏମିତିରେ ଗୁରନୂର ବ୍ରାର ଓ ମହମ୍ମଦ ସିରାଜଙ୍କ ସହିତ ଅଂଶୁଲ କମ୍ବୋଜଙ୍କୁ ଆକ୍ସନରେ ଦେଖିବାକୁ ମିଳିପାରେ। ବାକି ବୋଲିଂର ଦାୟିତ୍ଵ ଅକ୍ଷର ପଟେଲ, ନମନ ଧୀର ଓ ନୀତିଶ ରେଡ୍ଡୀଙ୍କ କାନ୍ଧରେ ରହିପାରେ।

ପ୍ରଥମ ଦିନିକିଆ ପାଇଁ ସମ୍ଭାବିତ ଏକାଦଶ

ରୋହିତ ଶର୍ମା, ଶୁଭମନ ଗିଲ୍(ଅଧିନାୟକ), ବିରାଟ କୋହଲି,  ଶ୍ରେୟସ ଆୟର, ଅକ୍ଷର ପଟେଲ୍, କେଏଲ ରାହୁଲ(ଓ୍ଵିକେଟ କିପର), ନୀତିଶ କୁମାର ରେଡ୍ଡୀ, ନମନ ଧୀର, ଅଂଶୁଲ କମ୍ବୋଜ, ଗୁରନୂର ବ୍ରାର ଓ ମହମ୍ମଦ ସିରାଜ।