ନୂଆଦିଲ୍ଲୀ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ରବିବାର ଇଣ୍ଟି ମେଣ୍ଟ ପକ୍ଷରୁ କରାଯାଇଥିବା ବିଶାଳ ରାଲିରେ ହୋଇଥିବା ବ୍ୟବସାୟିକ କ୍ଷତି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କୌଣସି ଆନ୍ଦୋଳନ ସ୍ଥଳକୁ ଦଖଲ କରାଯାଇପାରିବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି।

ଆନ୍ଦୋଳନ ଯୋଗୁ ଦୋକାନ ବଜାର ବନ୍ଦ ରହିବାରୁ କୋଟି କୋଟି ଟଙ୍କା ବ୍ୟବସାୟିକ କ୍ଷତି ହୋଇଥିଲା। ଏନେଇ ବାଣିଜ୍ୟ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମଙ୍ଗଳବାର ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ ସମେତ ପ୍ରଶାସନ ପକ୍ଷରୁ ଉତ୍ତର ମାଗିଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ସମେତ ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି ମୋହନା ମାମଲାର ଶୁଣାଣି କରିଥିଲେ। ଘଟଣାରେ ଅନ୍ୟମାନଙ୍କୁ ମଧ୍ୟ ନିଜ ପକ୍ଷ ରଖିବାରୁ ସୁଯୋଗ ମିଳିବା ଉଚିତ ବୋଲି ଖଣ୍ଡପୀଠ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଆନ୍ଦୋଳନ ବେଳେ ପୁଲିସର ବର୍ବରତା, ଦିଲ୍ଲୀ ମେଟ୍ରୋ ବନ୍ଦ କରିବା ଏବଂ ଇଣ୍ଟରନେଟ୍ ବନ୍ଦ କରିବା ଆଦି ମାମଲା ଉଠିଥିଲା। ତେବେ ଜୀବନ ଜୀବିକ ସହ ଆନ୍ଦୋଳନକୁ ବାଲାନ୍ସ କରିବା ନେବା ଉଚିତ ବୋଲି କୋର୍ଟ କହିଥିଲେ।

ଆନ୍ଦୋଳନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯିବା ଉଚିତ ବୋଲି କହି ସିଜେଆଇ କହିଥିଲେ “ଆପଣ ଗୋଟିଏ ସ୍ଥାନକୁ ସବୁବେଳେ ଦଖଲ କରିପାରିବେ ନାହିଁ। ତେବେ କୃଷକ ଓ ସାମ୍ବାଦିକମାନେ କୁଆଡ଼େ ଯିବେ ? ସମସ୍ତଙ୍କୁ ଆନ୍ଦୋଳନ କରିବାର ଅଧିକାର ରହିଛି। ନିର୍ଦ୍ଦିଷ୍ଟ ସ୍ଥାନ ପାଇଁ ନିର୍ଦ୍ଦିଷ୍ଟ ସମୟ ବି ଦିଆଯିବା ଉଚିତ୍।”

ସୂର୍ଯ୍ୟକାନ୍ତ ଆହୁରି କହିଛନ୍ତି ଯେ ପ୍ରତିବାଦ ପାଇଁ ଅନୁମତି ପ୍ରଦାନ କରୁଥିବା ନିର୍ଦ୍ଦେଶଗୁଡ଼ିକରେ ସର୍ତ୍ତାବଳୀକୁ ମଧ୍ୟ ସଠିକ୍ ଭାବେ ଦର୍ଶାଇବା ଉଚିତ। " ମୁଁ ପ୍ରତିବାଦ କରୁଛି, ଆପଣ କରିପାରିବେ ନାହିଁ, ଏମିତି କହିବା ଆପଣ ଅନ୍ୟ ଲୋକଙ୍କୁ ବାଧା ଦେଇପାରିବେ ନାହିଁ ବୋଲି ସିଜୋଇ କହିଛନ୍ତି।

୧୧ ହଜାର କୋଟି କ୍ଷତି

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ବିଶାଳ ରାଲିର ଆୟୋଜନ କରିଥିଲା ବିରୋଧୀ ଇଣ୍ଡି ମେଣ୍ଟ । ବିରୋଧୀଙ୍କ ବିଶାଳ ସମାବେଶ ଯୋଗୁଁ, ଦିଲ୍ଲୀର ବ୍ୟବସାୟୀ ବଡ଼ କ୍ଷତି ସହିଛନ୍ତି । ବିଶୃଙ୍ଖଳା ଏବଂ ଭୟର ପରିବେଶ ଯୋଗୁଁ କାରବାର ପୂରା ଠପ୍ ହୋଇପଡ଼ିଥିଲା। ଫଳରେ ନଭେମ୍ବର ୧ ତାରିଖରେ ବ୍ୟବସାୟୀ ପ୍ରାୟ ୧୧ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଲି ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (CTI)ର ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଦାବି କରିଛନ୍ତି।

Also Read-ଭାରତ ସହିତ ବାଣିଜ୍ୟ ବନ୍ଦ କରି ଏବେ ପସ୍ତଉଛି ପାକିସ୍ତାନ, ସହିଲାଣି ୪୦୦୦ କୋଟି ଡଲାରର କ୍ଷତି

ସେ କହିଛନ୍ତି ଯେ, ରାମଲୀଳା ମଇଦାନ ଆଖପାଖ ଅଞ୍ଚଳରେ ଥିବା ପ୍ରାୟ ସାଢ଼େ ତିନି ଲକ୍ଷ ଦୋକାନ ମଧ୍ୟରୁ ପାଖାପାଖି ୮୦ ପ୍ରତିଶତ ଦୋକାନ ବନ୍ଦ ରହିଥିଲା। ପ୍ରାୟ ୧୦ ଲକ୍ଷ ଲୋକ ଓ ହଜାର ହଜାର ଗାଡ଼ି ଆସିବା ନେଇ ପ୍ରଚାର ହେବା ପରେ ବ୍ୟବସାୟୀମାନେ ନିଜ ନିଜର ଦୋକାନ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ। କେବଳ ଦୋକାନ ବନ୍ଦ ରହିନଥିଲା, ବରଂ ଦିଲ୍ଲୀ ବାହାରୁ ଏବଂ ପାଖ ସହରଗୁଡ଼ିକରୁ ଆସୁଥିବା ୩ ରୁ ୪ ଲକ୍ଷ ନିୟମିତ ଗ୍ରାହକ ଓ ବ୍ୟବସାୟୀ ମଧ୍ୟ ବଜାରକୁ ଆସିପାରିନଥିଲେ। ଏହାସହିତ ଶିଳ୍ପାଞ୍ଚଳ ଓ ଟ୍ରାନ୍ସପୋର୍ଟ ହବ୍ରୁ ମାଲ୍ ପରିବହନ କରୁଥିବା ପ୍ରାୟ ୫,୦୦୦ ଗାଡ଼ିର ଚଳାଚଳ ଠପ୍ ହୋଇଯାଇଥିଲା।

ସେ ଆହୁରି କହିଛନ୍ତି, ପୁରୁଣା ଓ ମଧ୍ୟ ଦିଲ୍ଲୀର ବଜାରଗୁଡ଼ିକ ଗୋଦାମ ପରିବର୍ତ୍ତେ ଦୈନନ୍ଦିନ ଯୋଗାଣ ଉପରେ ନିର୍ଭର କରନ୍ତି । କିନ୍ତୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବାରୁ ବ୍ୟବସାୟ ହୋଇପାରିଲା ନାହିଁ । ଦୀପାବଳି ଏବଂ ଧନତେରସ ଭଳି ପ୍ରମୁଖ ପର୍ବପର୍ବାଣି ଆଗକୁ ରହିଛି। ଯେଉଁ ସମୟରେ ଦୈନିକ ୧୦,୦୦୦ ରୁ ୧୨,୦୦୦ କୋଟି ଟଙ୍କାର କାରବାର ହୋଇଥାଏ, ସେହି ସମୟରେ ଏପରି ସମାବେଶ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ତେବେ ଏହି କ୍ଷତିର ଭରଣା କିଏ କରିବ ବୋଲି ସିଟିଆଇ ଅଧ୍ୟକ୍ଷ ପ୍ରଶ୍ନ କରିଛନ୍ତି ।

ବାଣିଜ୍ୟ ସଂଗଠନ ଦାବି କରିଛି ଯେ ବାରମ୍ବାର ହେଉଥିବା ରାଜନୈତିକ ରାଲି, ଏବଂ ଆନ୍ଦୋଳନ ଯୋଗୁ ଦିଲ୍ଲୀର ବ୍ୟବସାୟଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି। ଗତ ମାସରେ ପ୍ରାୟ ୧୪ ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି ସେ ଦାବି କରିଛନ୍ତି।

ଆନ୍ଦୋଳନ ସମୟରେ ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ମାମଲାର ଅଲଗା ଶୁଣାଣି ହେବ

ମଙ୍ଗଳବାର ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମହିଳା ସାମ୍ବାଦିକଙ୍କ ଉପରେ ହୋଇଥିବା ଅସଦାଚରଣ ମାମଲାକୁ ବି ଗୁରୁତ୍ୱର ସହ ନେଇଥିଲେ। ଏହି ମାମଲାକୁ ଅନ୍ୟ ମାମଲା ସହ ଅଲଗା ରଖାଯିବ। ଏହାର ଶୁଣାଣି ଅଲଗା ଭାବେ ନଭେମ୍ବର ୨୩ ତାରିଖରେ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।