ମୁମ୍ଵାଇ ୦୯।୧୧; ଥିଏଟରକୁ ଆସିଛି ନିତେଶ ତିୱରୀଙ୍କ ‘ରାମାୟଣ’। ୪୦୦୦ କୋଟି ବଜେଟ୍ରେ ପ୍ରସ୍ତୁତ ଏହି ଫିଲ୍ମରେ କଳାକାରମାନେ ପିନ୍ଧିଥିବା ପ୍ରତ୍ୟେକ ଆଭୂଷଣକୁ ଟ୍ରାଇବ୍ ଆମ୍ରପାଲି ପ୍ରସ୍ତୁତ କରିଛି । ଜୟପୁରର ଏହି ବିଶ୍ୱସ୍ତରୀୟ ବ୍ରାଣ୍ଡ ଏସ୍ଏସ୍ ରାଜାମୌଲୀଙ୍କ ବ୍ଲକବଷ୍ଟର ତେଲୁଗୁ ଫିଲ୍ମ ‘ବାହୁବଲୀ’ ଓ କଙ୍ଗନା ରଣାୱତଙ୍କ ‘ମଣିକର୍ଣ୍ଣିକା’ ସହିତ କାମ କରିଥିଲା । ତେବେ ‘ରାମାୟଣ’ ସହ ଯୋଡ଼ି ହେବା ବଡ଼ ପରଦାରେ ସବୁଠୁ ସ୍ମରଣୀୟ କାମ ବୋଲି ଏହାର କ୍ରିଏଟିଭ୍ ଡାଇରେକ୍ଟର ଓ ସିଇଓ ତରଙ୍ଗ ଅରୋରା କହିଛନ୍ତି ।

ଫିଲ୍ମର ଟ୍ରେଲର୍ ରିଲିଜ୍ ପରଠୁ ସୋସିଆଲ ମିଡିଆ ୟୁଜର୍ ଦାବି କରିଆସୁଛନ୍ତି, ଫିଲ୍ମରେ ବ୍ୟବହୃତ ଆଭୂଷଣ ରାମାୟଣ କାଳର ବୋଲି ମନେ ହେଉନାହିଁ । ଅନେକ ଅଭିଯୋଗ କରିଛନ୍ତି, ବିବାହ ସମୟରେ ସୀତା ପିନ୍ଧିଥିବା ଗହଣା ସେ ସମୟର ନ ଥିଲା । ଏହାର ଜବାବରେ ତରଙ୍ଗ ଅରୋରା ଗଣମାଧ୍ୟମକୁ କହିଛନ୍ତି, ଆମେ କ’ଣ ପ୍ରକୃତରେ ଏ ବିଷୟରେ ଜାଣିଛୁ? ସେତେବେଳେ ଏହି ଆଭୂଷଣ ନ ଥିଲା ବୋଲି କହିବା ମଧ୍ୟ ଭୁଲ ହୋଇପାରେ । ଆମ ଜ୍ଞାନ ଅନୁସାରେ କେବଳ ଆମକୁ ଅନୁମାନ କରି ଆଭୂଷଣ ପ୍ରସ୍ତୁତ କରିବାକୁ ପଡ଼େ ।

ସେ ଆହୁରି ସ୍ପଷ୍ଟ କରିଛନ୍ତି, ‘ରାମାୟଣ’ର ଉଭୟ ଭାଗରେ ପ୍ରଦର୍ଶିତ ସମସ୍ତ ଆଭୂଷଣକୁ ଜୟପୁରରେ ସମ୍ପୂର୍ଣ୍ଣ ରୂପେ ହାତରେ ପ୍ରସ୍ତୁତ କରାଯାଇଛି । ଦୀର୍ଘ ଅଢ଼େଇ ବର୍ଷ ଧରି ୧୫୦ରୁ ଅଧିକ କାରିଗର ଏଥିରେ କାମ କରିଛନ୍ତି । କେତେ ଡିଜାଇନ୍ ପ୍ରକୃତରେ ପ୍ରସ୍ତୁତ ହୋଇଛି, ତାହା କହିବା ମୁସ୍କିଲ । କାରଣ ମନଲାଖି ଆଭୂଷଣ ପାଇବା ପୂର୍ବରୁ ଗୋଟିଏ ଡିଜାଇନକୁ ବାରମ୍ବାର ବଦଳାଯାଇଛି । ଫିଲ୍ମ ପାଇଁ ୪୦୦୦ରୁ ଅଧିକ ଆଭୂଷଣ ପ୍ରସ୍ତୁତ କରିଥିବା ତରଙ୍ଗ କହିଛନ୍ତି । ତା’ପୂର୍ବରୁ ଆଭୂଷଣର ପ୍ରାୟ ୧୦ ହଜାର ଡିଜାଇନ୍ ପ୍ରସ୍ତୁତ ହୋଇଥିଲା । ଏଆଇ ଯୁଗରେ ସବୁକିଛି ସମ୍ଭବ, କିନ୍ତୁ ମଣିଷର ସ୍ପର୍ଶ ଓ ଆତ୍ମା ନିହିତ ଥିବା କଳାର କୌଣସି ବିକଳ୍ପ ନାହିଁ।