ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି। ଚାରିଆଡ଼େ ଦୀପର ଆଲୋକ, ରଙ୍ଗବେରଙ୍ଗର ଆଲୋକମାଳା ଆଉ ଉତ୍ସବର ମାହୋଲ। ଏହି ପର୍ବ କେବଳ ଦୀପ ଜାଳିବା କିମ୍ବା ବାଣ ଫୁଟାଇବାର ପର୍ବ ନୁହେଁ, ବରଂ ଧନ, ସମୃଦ୍ଧି ଓ ସୁଖଶାନ୍ତିର ଦେବୀ ମା’ ଲକ୍ଷ୍ମୀଙ୍କୁ ଘରକୁ ଆମନ୍ତ୍ରଣ କରିବାର ଏକ ପବିତ୍ର ଅବସର। ଏହି ଦିନ ଘରେ ଘରେ ମା’ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ। ଧାର୍ମିକ ବିଶ୍ୱାସ ରହିଛି, ଦୀପାବଳି ରାତିରେ ବିଧିବିଧାନ ଅନୁସାରେ ମା’ଙ୍କୁ ପୂଜା କଲେ ଘରେ ସୁଖ, ସମୃଦ୍ଧି ଓ ଧନଧାନ୍ୟ ବୃଦ୍ଧି ହୋଇଥାଏ। ତେବେ ଅନେକ ସମୟରେ ପୂଜା ପ୍ରସ୍ତୁତି ସମୟରେ ଆମେ ଛୋଟ ଛୋଟ କଥାକୁ ଅଣଦେଖା କରିଦେଉ। ଯାହାକୁ ଧାର୍ମିକ ଦୃଷ୍ଟିରୁ ଅଶୁଭ ବୋଲି ବିବେଚନା କରାଯାଏ। ତେଣୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା ସମୟରେ ଏହି ସବୁ ଭୁଲ୍ କରିବାଠାରୁ ଦୂରେଇ ରୁହନ୍ତୁ ।

୧. ଅପରିଷ୍କାର ଘରେ କରନ୍ତୁ ନାହିଁ ପୂଜା- ମା’ ଲକ୍ଷ୍ମୀଙ୍କ ପୂଜା ପୂର୍ବରୁ ଘରକୁ ଭଲ ଭାବେ ସଫା କରନ୍ତୁ। ଧାର୍ମିକ ମାନ୍ୟତା ଅନୁସାରେ, ମା’ ଲକ୍ଷ୍ମୀ ସ୍ୱଚ୍ଛ ଓ ସୁନ୍ଦର ପରିବେଶରେ ବାସ କରନ୍ତି। ତେଣୁ ଦୀପାବଳି ପୂର୍ବରୁ ଘର ସଫା କରିବା ସହ ପୂଜାସ୍ଥାନକୁ ଫୁଲ ଓ ଦୀପରେ ସଜାଇବା ଶୁଭ ବୋଲି ମନେ କରାଯାଏ।

୨. ଭଙ୍ଗା ମୂର୍ତ୍ତିରେ କରନ୍ତୁ ନାହିଁ ପୂଜା- ଦୀପାବଳି ପୂଜା ସମୟରେ ମା’ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ମୂର୍ତ୍ତିର ବିଶେଷ ମହତ୍ତ୍ୱ ରହିଛି। ତେଣୁ ପୂଜାରେ କେବେ ବି ଭଙ୍ଗା ମୂର୍ତ୍ତି ରଖିବା ଉଚିତ ନୁହେଁ । ପୂଜା ପୂର୍ବରୁ ମୂର୍ତ୍ତିଗୁଡ଼ିକୁ ଭଲ ଭାବେ ସଫା କରି ସୁନ୍ଦର ଭାବେ ସଜାଇ ରଖନ୍ତୁ।

୩. ଦୀପ ନ ଜାଳି ପୂଜା କରନ୍ତୁ ନାହିଁ- ଦୀପାବଳିର ମୁଖ୍ୟ ଆକର୍ଷଣ ହେଉଛି ଦୀପ । ଏହି ପର୍ବରେ ଦୀପ ଜାଳିବାର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ମାନ୍ୟତା ଅନୁସାରେ, ଦୀପର ଆଲୋକ ଅନ୍ଧକାର ଦୂର କରିବା ସହ ଜୀବନରେ ସକାରାତ୍ମକତା ଓ ଶୁଭତ୍ୱର ପ୍ରତୀକ। ତେଣୁ ଲକ୍ଷ୍ମୀ ପୂଜା ସମୟରେ ଘିଅ କିମ୍ବା ତେଲର ଦୀପ ଜାଳିବା ଉଚିତ। ପୂଜାସ୍ଥଳୀ ସହ ଘରର ମୁଖ୍ୟ ଦ୍ୱାରରେ ମଧ୍ୟ ଦୀପ ଜାଳିବାର ପରମ୍ପରା ରହିଛି।

୪. ପୂଜା ସମୟରେ ଝଗଡ଼ା କିମ୍ବା ଯୁକ୍ତିତର୍କ କରନ୍ତୁ ନାହିଁ- ପର୍ବପର୍ବାଣୀରେ ଘରର ପରିବେଶ ଶାନ୍ତ ଓ ଆନନ୍ଦମୟ ରହିବା ଆବଶ୍ୟକ। ବିଶେଷକରି ଦୀପାବଳି ରାତିରେ ମା’ ଲକ୍ଷ୍ମୀଙ୍କ ପୂଜା ସମୟରେ ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡ଼ା, ପାଟିତୁଣ୍ଡ କିମ୍ବା ଅପଶବ୍ଦ ପ୍ରୟୋଗ କରିବା ଅନୁଚିତ ବୋଲି ମାନ୍ୟତା ରହିଛି। ପୂଜା ସମୟରେ ମନକୁ ଶାନ୍ତ ରଖି ଭକ୍ତି ଓ ଶ୍ରଦ୍ଧାର ସହ ମା’ଙ୍କ ଆରାଧନା କରିବା ଉଚିତ। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଆନନ୍ଦର ସହ ପୂଜା କଲେ ଘରେ ସୁଖଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ।

୫. ଅପରିଷ୍କାର ପୋଷାକ ପିନ୍ଧି ପୂଜା କରନ୍ତୁ ନାହିଁ - ପୂଜା ପୂର୍ବରୁ ସ୍ନାନ କରି ସଫା ଓ ପରିଷ୍କାର ପୋଷାକ ପିନ୍ଧିବା ଉଚିତ। ଧାର୍ମିକ ବିଶ୍ୱାସ ଅନୁସାରେ, ପୂଜା ସମୟରେ ଶରୀର ଓ ମନର ପବିତ୍ରତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। ତେଣୁ ଅପରିଷ୍କାର କିମ୍ବା ପୂର୍ବରୁ ପିନ୍ଧିଥିବା ମଇଳା ପୋଷାକରେ ପୂଜା କରିବାଠାରୁ ଦୂରେଇ ରହିବା ଉଚିତ। ପରିଷ୍କାର ପୋଷାକ ପିନ୍ଧି ଏକାଗ୍ର ମନରେ ପୂଜା କରିବା ଶୁଭ ବୋଲି ବିବେଚନା କରାଯାଏ।

୬. ପୂଜା ସାମଗ୍ରୀ ଅଧା ରଖନ୍ତୁ ନାହିଁ- ଅନେକ ସମୟରେ ପୂଜା ଆରମ୍ଭ କରିବା ପରେ ଆବଶ୍ୟକ ସାମଗ୍ରୀ ଖୋଜିବାକୁ ପଡ଼ିଥାଏ। ଏହାଦ୍ୱାରା ପୂଜାରେ ବାରମ୍ବାର ବାଧା ସୃଷ୍ଟି ହୁଏ। ତେଣୁ ଦୀପାବଳି ପୂଜା ପୂର୍ବରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଏକାଠି କରି ରଖିବା ଉଚିତ। ଯେପରିକି ଫୁଲ, ଅକ୍ଷତ, ରୋଲି, ଧୂପ, ଦୀପ, ଫଳ, ମିଠା ଓ ନୈବେଦ୍ୟ ଆଦି। ନିଜ ସାମର୍ଥ୍ୟ ଅନୁସାରେ ଭକ୍ତିର ସହ ମା’ଙ୍କୁ ଭୋଗ ଅର୍ପଣ କରନ୍ତୁ। ପୂଜା ସାମଗ୍ରୀ ପ୍ରତି ଧ୍ୟାନ ଦେବା ସହ ପୂଜାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରନ୍ତୁ।

୭. ମା’ ଲକ୍ଷ୍ମୀଙ୍କ ସହ ପ୍ରଭୁ ଗଣେଶଙ୍କୁ ପୂଜା କରିବାକୁ ଭୁଲନ୍ତୁ ନାହିଁ- ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହ ପ୍ରଭୁ ଗଣେଶଙ୍କ ପୂଜା କରିବାର ବିଶେଷ ପରମ୍ପରା ରହିଛି। ହିନ୍ଦୁ ଧର୍ମରେ ପ୍ରଭୁ ଗଣେଶଙ୍କୁ ପ୍ରଥମ ପୂଜ୍ୟ ଦେବତା ଭାବେ ଗ୍ରହଣ କରାଯାଏ। ସେ ବିଘ୍ନବିନାଶକ ଓ ଶୁଭ କାର୍ଯ୍ୟର ଆରମ୍ଭକର୍ତ୍ତା। ଅନ୍ୟପଟେ ମା’ ଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟ ଓ ସମୃଦ୍ଧିର ଦେବୀ। ତେଣୁ ଦୀପାବଳିରେ ମା’ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା କରିବାର ପରମ୍ପରା ରହିଛି।

ଦୀପାବଳି କେବଳ ଧନସମ୍ପତ୍ତି ପାଇଁ ପ୍ରାର୍ଥନା କରିବାର ପର୍ବ ନୁହେଁ, ବରଂ ଜୀବନରୁ ଅନ୍ଧକାର ଦୂର କରି ଆଲୋକ, ଶାନ୍ତି ଓ ସକାରାତ୍ମକତାକୁ ଆପଣାଇବାର ଅବସର। ଏଠାରେ ଉଲ୍ଲେଖିତ ୭ଟି କଥା ଧାର୍ମିକ ମାନ୍ୟତା ଓ ପରମ୍ପରା ଉପରେ ଆଧାରିତ।