ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିର ଚାନ୍ଦାଚୋରି ବିବାଦ କ୍ରମଶଃ ଏବେ ରାଜନୈତିକ ରୂପ ନେବାରେ ଲାଗିଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଚାନ୍ଦାଚୋରି ଅଭିଯୁକ୍ତ ରାମଶଙ୍କର ଓରଫ ଟିନ୍ନୁ ଯାଦବଙ୍କ ନାମ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ ଯୋଡିଥିଲେ। ଏଣୁ ଦୁବେଙ୍କୁ ଲିଗାଲ ନୋଟିସ୍ ଜାରି ହୋଇଛି। ସମାଜବାଦି ପାର୍ଟି (ସପା) ଅଧିବକ୍ତା ସଭା ଅଧ୍ୟକ୍ଷ କୃଷ୍ଣ କହ୍ନେୟା ପାଲ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ସପା ମୁଖ୍ୟଙ୍କ ବିରୋଧରେ ମାନହାନୀ, ଚରିତ୍ର ହନନ ଓ ଦୁର୍ଭାବନାପୂର୍ଣ୍ଣ ସାମଗ୍ରୀ ପ୍ରକାଶିତ କରିବା କାରଣରୁ ଲିଗାଲ ନୋଟିସ୍ ଜାରି ହୋଇଥିବା ପାଲ କହିଛନ୍ତି।

ନୋଟିସ୍ ରେ ଉଲ୍ଲେଖ କରାଯାଇଛି ଯେ ‘ଆପଣ (ନିଶିକାନ୍ତ ଦୁବେ) ସମାଜବଦୀ ପାର୍ଟି ଓ ଅଖିଳେଶ ଯାଦବଙ୍କ ପ୍ରତି ଜାଣିଶୁଣି ଘୃଣା ଉଦ୍ରେକ ପାଇଁ ଏପରି ମାନହାନୀକାରକ ସାମଗ୍ରୀ/ ଟିପ୍ପଣୀ ସେୟାର କରିଛନ୍ତି ଯାହା ସମାଜବାଦୀ ପାର୍ଟି ବିରୋଧରେ ପ୍ରତ୍ୟକ୍ଷରୂପେ ଘୃଣା ଉଦ୍ରେକ କରୁଛି, ଏଣୁ ଏହା ରାଜଦ୍ରୋହ ଅଟେ ’। ଏଥିରେ କୃଷ୍ଣ କହ୍ନେୟା ପାଲ ଦୁବେଙ୍କୁ ସପ୍ତାହକ ମଧ୍ୟରେ ସପା ଓ ଅଖିଳେଶ ଯାଦଙ୍କ ପକ୍ଷରେ କ୍ଷମାଯାଚନା ପ୍ରକାଶିତ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଦୁବେ ଅଖିଳେଶ ଓ ଟିନ୍ନୁଙ୍କ ମଧ୍ୟରେ ସମ୍ପର୍କ ଥିବାର ଅଭିଯୋଗ କରି ‘ କଣ ଟିନ୍ନୁ ଟିପୁଙ୍କ ସହ କଥା ହେଉଥିଲା?’ ବୋଲି ଆରୋପ ଲଗାଇଥିଲେ।

ପ୍ରସଙ୍ଗରେ ଦୁବେ ସରଭନପ୍ରସାଦ ବାଲାସୁବ୍ରମଣ୍ୟମଙ୍କ ଏକ ଏକ୍ସ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଲେଖା ଥିଲା ରାମଶଙ୍କର ଯାଦବ ଓରଫ ଟିନ୍ନୁ ଯାଦବ ଓ ଅଖିଳେଶ ଯାଦବଙ୍କ ମଧ୍ୟରେ କଥିତ ସମ୍ପର୍କ ରାମମନ୍ଦିର ଚାନ୍ଦାଚୋରି ମାମଲା କୁ ଆହୁରି ଚାଞ୍ଚଲ୍ୟକର କରିଛି। ପୋଷ୍ଟରେ ଲେଖା ଯାଇଛି ଯେ ‘ପୋଲିସ ଯାଞ୍ଚ ଓ ମୋବାଇଲ କଲ ଡିଟେଲ ରେକର୍ଡର ବିଶ୍ଲେଷଣ ଅନୁସାରେ ଟିନ୍ନୁ ଯାଦବ କଥିତ ରୂପେ ଅଖିଳେଶଙ୍କ ସହ ନିୟମିତ ସମ୍ପର୍କରେ ଥିଲେ ଓ ଟିନ୍ନୁ ଦିନକୁ ଥରେ ଦୁଇଥର ଅଖିଳେଶଙ୍କ ସହ କଥା ହେଉଥିଲେ’। ରେକର୍ଡରୁ ଏହା ବି ଜଣା ପଡିଛି ଯେ ଗିରଫର ଠିକ ଦିନକ ପୂର୍ବରୁ ଟିନ୍ନୁ ଯାଦବ ଅଖିଳେଶଙ୍କ ସହ ତିନିଥର ଫୋନରେ କଥା ହୋଇଥିଲା।

ଏଥିରେ ଦାବି କରାଯାଇଛି ଯେ ପେଷାରେ ଟେମ୍ପୋ ଚାଳକ ଟିନ୍ନୁ ଯାଦବ କଥିତ ରୂପେ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ହୋଇ ରାମମନ୍ଦିର ଅଧିକାରୀଙ୍କ ବିଶ୍ୱାସ ଭାଜନ ହୋଇଥିଲା ଓ ତାକୁ ଭକ୍ତଙ୍କ ଦାନ ଏକତ୍ର କରିବା ଓ ଗଣିବାର କାମ ସମର୍ପଣ କରାଯାଇଥିଲା। ‘ଯଦି ରିପୋର୍ଟ କରାଯାଇଥିବା ଫୋନ କଲ ସଠିକ ତେବେ ଏହି କଥାବାର୍ତ୍ତାର ପ୍ରକୃତି ଓ ଉଦ୍ଦେଶ୍ୟର ନିରପେକ୍ଷ ଯାଞ୍ଚ ହେବା ଆବଶ୍ୟକ। ସେ ଏତେ ଥର ସମ୍ପର୍କରେ କାହିଁକି ରହୁଥିଲେ ଏହା ଏକ ଗୁରୁତର ପ୍ରଶ୍ନ,ଯାହା ସାବଧାନ ପୂର୍ବକ ଯାଞ୍ଚ ହେବା ଆବଶ୍ୟକ।’

ସପା ମୁଖିଆ ଅଖିଳେଶ ଯାଦବ ସୋମବାର ରାମଶଙ୍କରଙ୍କ ସମ୍ପର୍କରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦୁବେଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଇଥିଲେ। ଅଖିଳେଶ ତାଙ୍କ ଏକ୍ସ ପୋଷ୍ଟରେ ଚେତାବନୀ ଦେଇଥିଲେ ଯଦି ଦୁବେ ତୁରନ୍ତ ‘ମିଥ୍ୟା’ ପୋଷ୍ଟ ଡିଲିଟ ନ କରିବେ ତେବେ ପୋଲିସ ଅଭିଯୋଗ କରାଯିବ। ଅଖିଳେଶ ଯାଦବ ଲେଖିଥିଲେ ଯେ ରାମଙ୍କ ଗାରିମା, ସାମାଜିକ ମର୍ଯ୍ୟଦା, ଶିଷ୍ଟତା ଓ ସଂସଦୀୟ ପରମ୍ପରାକୁ ସମ୍ମାନ କରି ଆମ୍ଭେ ବିଜେପି ସାଂସଦଙ୍କୁ ଏହି ମିଥ୍ୟା ପୋଷ୍ଟ ହଟାଇବାକୁ ୧୦ ମିନିଟ୍ ସମୟ ଦେଉଛୁ, ଅନ୍ୟଥା ତାଙ୍କ ବିରୋଧରେ ତତ୍କାଳ ଏଫଆଇଆର ରୁଜୁ କରାଯିବ।

ଏହି ନୋଟିସ୍ ଉପରେ ପ୍ରତିକ୍ରିୟା ଦେଇ ଦୁବେ ମଙ୍ଗଳବାର ଏକ୍ସ ରେ ଏକ ପୋଷ୍ଟ କରି ‘ଅଖିଳେଶଜୀ ଆପଣଙ୍କ ଭଳି ଓକିଲ ନିଜ ପ୍ରତିଷ୍ଠାକୁ ନିଜେ ମାଟି କରୁଛନ୍ତି। ଯଦି ଏଥିରେ ଆପଣଙ୍କ ମାନହାନୀ ହୋଇଛି ତେବେ ଲିଗାଲ ନୋଟିସ୍ ଆପଣଙ୍କୁ ହିଁ ପଠାଇବାକୁ ପଡିବ। ଆଇନ ଏହା ହିଁ କହୁଛି, ମୁଁ ଏହି ଆଇନଗତ ଚିଠା ପ୍ରସ୍ତାବ ପ୍ରସ୍ତୁତି କମିଟିର ସଦସ୍ୟ ଥିଲି। ଏଣୁ ଏ ବିଷୟରେ ମୋତେ ଜଣା। ଆପଣ ନିଜକୁ କେଉଁ ଅବସ୍ଥାରେ ପକାଇ ଦେଲେ? କିଛି ଖାଇ ଦେଉ ନାହାନ୍ତି କାହିଁକି, ଅନୁନ୍ୟ ଏକ ଭିକ୍ସ ଚକୋଲେଟ୍ କାହିଁକି ନୁହେଁ’।

ତେବେ କୃଷ୍ଣ କହ୍ନେୟା ପାଲ ଦୁବେଙ୍କୁ ବିରୋଧ କରି ମାନହାନୀ ନୋଟିସ୍ ର ବିନ୍ଦୁ ୧୩ ଆଡକୁ ଇଶାରା କରିଛନ୍ତି। ଆପଣ (ନୋଟିସ୍ ପ୍ରାପ୍ତ କର୍ତ୍ତା)ଙ୍କ ଦ୍ୱାରା ସତ୍ୟାପିତ ଏକ୍ସ ଆକାଉଣ୍ଟରୁ ସେୟାର କରାଯାଇଥିବା ମାନହାନୀକାରକ, ଅପମାନଜନକ, ଆପତ୍ତିଜନକ ଓ ଜାତିବାଦୀ ଟିପ୍ପଣୀ ଯୋଗୁ ସାଧାରଣ ଜନତାଙ୍କ ନଜରରେ ମୋ ଛବି ଖରାପ ହୋଇଥିବା ଅଭିଯୋଗ କରିଛନ୍ତି।