ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପରେ ଦଳରେ ଦେଖା ଦେଇଥିବା ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ବିଜେଡିରେ ମିଶିଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବି ବିଜେଡିରେ ସାମିଲ୍ ହୋଇଛନ୍ତି। ବୁଧବାର ସକାଳେ ଶଙ୍ଖ ଭବନ ଆସି ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା ଓ ଦେବୀ ମିଶ୍ରଙ୍କ ଉପସ୍ଥିତିରେ ସାମିଲ୍ ହୋଇଛନ୍ତି। ଏହି ଦୁଇ ନେତା ଅତୀତରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତେବେ ଏହି ଦୁଇ ନେତା ବିଜେଡିରେ ସାମିଲ ହେବା ଦ୍ଵାରା ବାଲେଶ୍ଵର ଜିଲ୍ଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି।

ଦୁଇ ନେତାଙ୍କ ଆଗମନ ବାଲେଶ୍ଵର ବିଜେଡିକୁ ମଜବୁତ କରିବାରେ ସହାୟକ ହୋଇପାରେ। ଦୁଇ ନେତା ସେହି ସମୟରେ ବିଜେଡିକୁ ଫେରିଛନ୍ତି ଯେଉଁ ସମୟରେ ବାଲେଶ୍ଵରର ଟାଣୁଆ ନେତା ରବୀନ୍ଦ୍ର ଜେନା କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ତାଙ୍କ ପତ୍ନୀ ତଥା ବସ୍ତା ବିଧାୟକ ସୁବାସିନୀ ଜେନା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଆଗାମୀ ଦିନରେ ସେ ବିଜେଡି ଛାଡିବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ରଘୁନାଥ ମହାନ୍ତିଙ୍କ ପରି ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କ ଘରବାହୁଡ଼ା ବିଜେଡି ଶିବିରକୁ କିଛିଟା ଆଶ୍ଵସ୍ତି ଦେବ।

Also Read: ବିଜେଡିରେ ଘନଉଛି ଆଭ୍ୟନ୍ତରୀଣ କନ୍ଦଳ, ପ୍ରଭାତଙ୍କ ବାସଭବନରେ ଏକାଠି ହେଲେ ୧୩ କର୍ପୋରେଟର

୨୦୧୯ରେ ବିଜେଡି ଛାଡ଼ିଥିଲେ ରଘୁନାଥ

ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ରେ ବିଜେଡି ଛାଡି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ। ଅବଶ୍ୟ ସେ ଏହା ପୂର୍ବରୁ ୫ ଥର ବସ୍ତାରୁ ବିଧାୟକ ହୋଇଥିଲେ। ଏମିତିକି ବିଜେଡିର ଜଣେ ଟାଣୁଆ ନେତା ଭାବରେ ମଧ୍ୟ ସେ ଖୁବ୍ ପରିଚିତ ଥିଲେ।

ହେଲେ ବଧୂ ନିର୍ଯାତନା ମାମଲାରେ ଛନ୍ଦି ହେବା ଯୋଗୁ ବିଜେଡିରୁ ନିଲମ୍ବିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଦଳୀୟ ଟିକେଟ ନମିଳିବାରୁ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ ରଘୁନାଥ ମହାନ୍ତି। ମାତ୍ର ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ିଥିଲେ।

୨୦୨୦ରେ ବିଜେଡି ଛାଡ଼ିଥିଲେ ପ୍ରଦୀପ

ଜୀବନ ପ୍ରଦୀପ ଦାସ ପ୍ରଥମେ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ୱର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇ ସାମିଲ ହୋଇଥିଲେ ଏବଂ ଟିକେଟ ପାଇ ବାଲେଶ୍ବର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୪ରେ ମଧ୍ୟ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ସେ ପରାଜୟର ସାମ୍ନା କରିଥିଲେ। ମାତ୍ର ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ହେଲେ ବିଜେଡି ଉପନିର୍ବାଚନ ପାଇଁ ପ୍ରଦୀପଙ୍କୁ ପୁନଃ ଟିକେଟ ଦେଇନଥିଲା।

Also Read: ରାଜ୍ୟସଭା ନିର୍ବାଚନ ବଦଳାଇଲା ବିଧାନସଭା ଚିତ୍ର, ୧୧ ବିଧାୟକଙ୍କ ପାଇଁ ଆଲଟମେଣ୍ଟ ହେବ ନୂଆ ସିଟ୍

ବରଂ ଅଭିଯୋଗ ହୋଇଥିଲା ଯେ, ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିଥିଲେ। ଯାହାକୁ ନେଇ ବିଜେଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏମିତିରେ ୨୦୨୦ ନଭେମ୍ବର ମାସରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ହେବା ପର ଦିନ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।୨୦୨୧ ଜାନୁଆରୀ ମାସରେ ସେ ପୁଣି ବିଜେପିରେ ଯୋଗ ଦେଇଥିଲେ। ହେଲେ ଏବେ ୫ ବର୍ଷ ପରେ ସେ ବିଜେପିରୁ ପୁଣି ଇସ୍ତଫା ଦେଇଛନ୍ତି।