କଟକ: ରାଜ୍ୟସଭା ନିର୍ବାଚନ ସରି ଯାଇଛି। ହେଲେ ଏଥିରୁ ଉଠିଥିବା ଧୂଆଁ ଥମିବାର ନାଁ ନେଉନି। ନିର୍ବାଚନ ପୂର୍ବରୁ ପ୍ରଥମେ ବାପା ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ ହୋଇଥିଲେ। ଏହା ପରେ କ୍ରସ ଭୋଟିଂ କରି ପୁଅ ତଥା ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳ ନିଲମ୍ବିତ ହୋଇଛନ୍ତି। ଏହା ପରେ କଟକ ବିଜେଡି ଏକପ୍ରକାର ଅସ୍ଥିତ ହୋଇ ଉଠିଛି। ସୌଭିକଙ୍କ ନିଲମ୍ବନକୁ ଜୋରଦାର ବିରୋଧ କରିଛନ୍ତି କଟକ ବିଜେଡିର କର୍ମୀ। ଏହା ମଧ୍ୟରେ ପ୍ରଭାତ ବିଶ୍ୱାଳଙ୍କ ଘରେ ମେଳି କରିଛନ୍ତି ବିଜେଡି କର୍ପୋରେଟର।

୧୩ ବିଜେଡି କର୍ପୋରେଟର ଆଜି ପ୍ରଭାତଙ୍କ ମହାନଦୀ ବିହାର ବାସ ଭବନରେ ଏକାଠି ହୋଇଛନ୍ତି। ଏହା ପରେ ଆରମ୍ଭ ହୋଇଛି ରୁଦ୍ଧ ଦ୍ଵାର ବୈଠକ। ଏଦୃଶ୍ୟ ବୟାନ କରୁଛି ଚୌଦ୍ୱାର କଟକ ବିଧାନସଭା କ୍ଷେତ୍ରରେ ଘନଉଛି ବିଜେଡି କଳି। ପ୍ରଭାତ ବିଶ୍ଵାଳ ଦଳରୁ ବହିସ୍କୃତ ହେବା ଏବଂ ବିଧାୟକ ସୌଭିକ ବିଶ୍ଵାଳ ବିଜେଡିରୁ ନିଲମ୍ବିତ ହେବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଜି କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର କିଛି କର୍ପୋରେଟର ଖୋଲାଖୋଲି ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ।

Also Read: ବିଜୁ ଜନତା ଦଳକୁ ଭାଙ୍ଗିବା ପାଇଁ ପ୍ରଭାତ ବିଶ୍ୱାଳଙ୍କୁ ଟେଣ୍ଡର ଦେଇଛି ବିଜେପି: ଲେଖାଶ୍ରୀ ସାମନ୍ତସିଂହାର

ମେଳି ହେଲେ ୧୩ କର୍ପୋରେଟର

କର୍ପୋରେଟରଙ୍କ ଏହି ରୁଦ୍ଧ ଦ୍ଵାରା ବୈଠକରେ ସାମୁହିକ ଇସ୍ତଫା ନେଇ କିଛି ବଡ଼ ନିଷ୍ପତି କିମ୍ବା ଆଗାମୀ ରଣନୀତି ନେଇ ବଡ଼ ନିଷ୍ପତ୍ତି ହୋଇପାରେ। ରାତିରେ ଏହି ଭଳି ଏକାଠି ହୋଇ ଗୋଟିଏ ନିର୍ବାଚନ ମଣ୍ଡଳୀର ୧୩ ବିଜେଡି କର୍ପୋରେଟ ନିଲମ୍ବିତ ବିଧାୟକଙ୍କ ଘରେ ଏକାଠି ହେବ ଅନେକ କିଛି ସୂଚାଉଛି। ରୁଦ୍ଧଦ୍ବାର ବୈଠକରେ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ଦମୟନ୍ତୀ ମାଝୀ, ଅରବିନ୍ଦ ଜେନା, ସୌଭାଗିନୀ ଜେନା, ବିଶ୍ଵ ବନ୍ଦିତା ପଣ୍ଡା, ପଦ୍ମିନୀ ସାହୁ, ସୁବ୍ରତ ଘଡେ଼ଇ, ମଧୁସ୍ମିତା ବାରିକ, ପ୍ରଦୀପ ସାହୁ, ତାପସ ରଞ୍ଜନ ସାମନ୍ତରାୟ, ପ୍ରମିଳା ମହାନ୍ତି ପ୍ରମୁଖ ଅଛନ୍ତି।

ସୂଚନାଯୋଗ୍ୟ, କେବଳ ଚୌଦ୍ଵାର କଟକ ନୁହେଁ ବାଙ୍କିରେ ମଧ୍ୟ ବିଜେଡି କଳି ଜୋର ଧରିଲାଣି। ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ମଧ୍ୟ କ୍ରସ ଭୋଟିଂ ପାଇଁ ବିଜେଡି ନିଲମ୍ବିତ କରିଛି। ଏହା ସହିତ ଅନ୍ୟ ଚାରି ବିଧାୟକଙ୍କୁ ମଧ୍ୟ ବିଜେଡି ସସପେଣ୍ଡ କରିଛି। ନିଲମ୍ବିତ ୬ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରାଯିବ ବୋଲି ବିଜେଡି କହି ସାରିଛି। ବିଜେଡିର ନିଲମ୍ବନ ନିଷ୍ପତ୍ତି ପରେ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଜୋର ଧରିଛି।