Indian FM Radio Industry: ଦେଶର ଘରୋଇ ଏଫଏମ ରେଡିଓ ସେକ୍ଟର ବର୍ତ୍ତମାନ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଏହି ପ୍ଲାଟଫର୍ମରେ ବିଜ୍ଞାପନ କମୁଛି, ହେଲେ ଖର୍ଚ୍ଚ କିନ୍ତୁ ବଢୁଛି। ଏବଂ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ପାଇଁ ରେଡିଓର ଆୟ ପ୍ରଭାବିତ ହେଉଛି। ଫଳସ୍ୱରୂପ, ରେଡିଓ କମ୍ପାନୀଗୁଡ଼ିକ ସରକାରଙ୍କଠାରୁ ନିୟମାବଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ନେଇ ଦାବି କରୁଛନ୍ତି। ଶିଳ୍ପ ବିଶେଷଜ୍ଞମାନଙ୍କ କହିବା କଥା ହେଲା, ଯଦି ଶୀଘ୍ର ସରକାରୀ ସହାୟତା ନ ମିଳେ ତେବେ ଭବିଷ୍ୟତରେ ଆହୁରି ଅନେକ FM ଷ୍ଟେସନ୍ ବନ୍ଦ ହୋଇଯିବ। କିନ୍ତୁ ଯଦି ସମୟ ଅନୁସାରେ ସଠିକ୍ ନିଷ୍ପତ୍ତି ନିଆଯିବ ତେବେ ଏହି କ୍ଷେତ୍ରରେ ନିବେଶ ବୃଦ୍ଧି ପାଇପାବା ସହ ନୂଆ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତା' ଛଡ଼ା ସ୍ଥାନୀୟ କଣ୍ଟେଣ୍ଟକୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ଇଣ୍ଡଷ୍ଟ୍ରୀ ଦାବି କରିଛି। ଏଫ୍‌ ରେଡିଓ ଇଣ୍ଡଷ୍ଟ୍ରୀର ଏଭଳି ସ୍ଥିତି ନେଇ ଭାସ୍କର ଇଂଲିସ ଏହି ରିପୋର୍ଟ ପ୍ରକାଶ କରିଛି। 

ସରକାରଙ୍କ ଠାରୁ କ’ଣ ଚାହୁଛଁନ୍ତି ରେଡିଓ କମ୍ପାନୀ?

୧. ଏଫ୍ଏମ୍ ରେଡିଓକୁ ନ୍ୟୁଜ ପ୍ରସାରଣ କରିବାକୁ ଅନୁମତି ଦିଆଯିବା ଉଚିତ।

ଭାରତରେ ଘରୋଇ ଏଫଏମ ରେଡିଓ ଚ୍ୟାନେଲଗୁଡ଼ିକୁ ସ୍ୱାଧୀନ ଭାବରେ ଖବର ପ୍ରସାରଣ କରିବାକୁ ଅନୁମତି ଦିଆଯାଇ ନାହିଁ। ଏ କ୍ଷେତ୍ରରେ ରେଡିଓ କମ୍ପାନୀଗୁଡ଼ିକର ଦାବି ହେଲା କେବଳ ମ୍ୟୁଜିକ ଉପରେ ନିର୍ଭର କରି ଗ୍ଲୋବାଲ ମ୍ୟୁଜିକ ଓ ଷ୍ଟ୍ରିମିଂ ଆପ୍ ସହିତ ପ୍ରତିଯୋଗିତା କରିବା କଷ୍ଟକର ହୋଇପଡ଼ିଛି। ଏପରି ପରିସ୍ଥିତିରେ, ଖବର ପ୍ରସାରଣ ପାଇଁ ଯଦି ଅନୁମତି ଦିଆଯାଆନ୍ତା ତେବେ ରେଡିଓକୁ ଏକ ନୂଆ ପରିଚୟ ମିଳି ପାରିବ। କମ୍ପାନୀଗୁଡ଼ିକ ଯୁକ୍ତି ରଖିଛନ୍ତି ଯେ ଯେ ଲକ୍ଷ ଲକ୍ଷ ଲୋକ କୌଣସି ନିୟନ୍ତ୍ରଣ ବିନା ସୋସିଆଲ ମିଡିଆରେ ଖବର ବିଷୟବସ୍ତୁ ଦେଇପାରୁଛନ୍ତି, ହେଲେ ଏଫଏମ ରେଡିଓ ପୂର୍ବ-ନିର୍ଧାରିତ ନିୟମ ଅନୁଯାୟୀ କାର୍ଯ୍ୟ କରୁଛି। ତେଣୁ ସରକାର ଏ ଦିଗରେ ଚିନ୍ତା କରିବା ଦରକାର ବୋଲି କମ୍ପାନୀଗୁଡ଼ିକ ଦାବି କରିଛନ୍ତି।

Also Read- କମ୍ପ୍ରେସର ଉପରେ କଟକଣା ପରେ ଇଲେକ୍ଟ୍ରୋନିକ୍ସ ବଜାରରେ ବଡ଼ ପରିବର୍ତ୍ତନ: ନୂଆ ମୋଡ଼ ନେବାକୁ ଯାଉଛି ଏସି, ଫ୍ରିଜର ମାର୍କେଟ

 

୨. ୨୦୩୦ ପରେ ସେତେବେଳର ବଜାର ଅନୁସାରେ ଲାଇସେନ୍ସ ନବୀକରଣ ହେଉ।

ରେଡିଓ କମ୍ପାନୀଗୁଡ଼ିକ କହିବା କଥା ହେଲା ପୁରୁଣା ଅକ୍ସନ ମଡେଲ୍ ଆଉ ବର୍ତ୍ତମାନର ବଜାରରେ ଫିଟ୍ ହେଉ ନାହିଁ। ବିଜ୍ଞାପନ ବଜାର ବଦଳି ଯାଇଛି। ତେଣୁ ୨୦୩୦ ପରେ FM ଫେଜ୍ -୩ ଲାଇସେନ୍ସ ରିନ୍ୟୁଅଲ ବଜାର ହିସାବରେ କରାଯିବା ଉଚିତ।

୩. ବାର୍ଷିକ ଲାଇସେନ୍ସ ଫିସ୍ ବନ୍ଦ କରାଯାଉ

ରେଡିଓ ସେକ୍ଟରର କହିବା କଥା ହେଲା ସେମାନଙ୍କ ଆୟର ଏକ ବଡ଼ ଅଂଶ ଫିସ୍ ଏବଂ ଟ୍ୟାକ୍ସରେ ଚାଲିଯାଉଛି। ଏଭଳି ସ୍ଥିତିରେ ଟେକ୍ନୋଲୋଜୀରେ ଖର୍ଚ୍ଚ କରିବା ଏବଂ ନୂଆ ସହରଗୁଡ଼ିକରେ ନେଟୱାର୍କ ବିସ୍ତାର କରିବା ପାଇଁ ନିବେଶ କରିବା କଷ୍ଟକର ହୋଇପଡ଼ୁଛି। ତେଣୁ, ବାର୍ଷିକ ଲାଇସେନ୍ସ ଫି ଉଚ୍ଛେଦ କରାଯାଉ ବୋଲି କମ୍ପାନୀଗୁଡ଼ିକ ଦାବି କରିଛନ୍ତି।

୪. GST ୧୮% ରୁ ୫% କୁ ହ୍ରାସ କରନ୍ତୁ

ରେଡିଓ କମ୍ପାନୀଗୁଡ଼ିକ ଦାବି କରୁଛନ୍ତି ଯେ FM କ୍ଷେତ୍ର ଉପରେ GST ୧୮% ରୁ ୫% କୁ ହ୍ରାସ କରାଯାଉ। ଏଥିରେ ରେଡିଓକୁ ଅନ୍ୟ ମିଡିଆ ପ୍ଲାଟଫର୍ମ ସହିତ ପ୍ରତିଯୋଗିତା କରିବାରେ ସାହାଯ୍ୟ ମିଳିବ ବୋଲି କମ୍ପାନୀଗୁଡ଼ିକ ଦାବି କରିଛନ୍ତି।

୫. ସ୍ମାର୍ଟଫୋନରେ FM ଫିଚର ଆବଶ୍ୟକ।

ଆଜିକାଲି ଅଧିକାଂଶ ସ୍ମାର୍ଟଫୋନରେ FM ରେଡିଓ ସୁବିଧା ନାହିଁ। ଏହା ବ୍ୟବସାୟକୁ ପ୍ରଭାବିତ କରୁଛି। ତେଣୁ ମୋବାଇଲ୍ କମ୍ପାନୀଗୁଡ଼ିକ FM ରିସିଭରଗୁଡ଼ିକୁ ଆକ୍ଟିଭ୍ ରଖିବା ଅନିର୍ବାର୍ଯ୍ୟ ହେବା ଦରକାର। ସରକାର ତୁରନ୍ତ ଏହି ନିର୍ଦ୍ଦେଶ ଦିଅନ୍ତୁ ବୋଲି କମ୍ପାନୀଗୁଡ଼ିକ ଦାବି କରିଛନ୍ତି। କୌଣସି ବିପର୍ଯ୍ୟୟ, ନେଟୱାର୍କ ବିଫଳତା କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ରେଡିଓ ସବୁଠାରୁ ନିର୍ଭରଯୋଗ୍ୟ ମାଧ୍ୟମ ଭାବରେ ପ୍ରମାଣିତ ହୋଇଛି ବୋଲି କମ୍ପାନୀଗୁଡ଼ିକ ଦାବି କରିଛନ୍ତି।

କପିରାଇଟ୍-ଡିଜିଟାଲ୍ ଷ୍ଟ୍ରିମିଂ ପ୍ରସଙ୍ଗରେ ମଧ୍ୟ ଆଶ୍ୱସ୍ତି ଚାହୁଁଛନ୍ତି କମ୍ପାନୀ।

ରେଡିଓ ସେକ୍ଟରରେ କପିରାଇଟ୍ ସମସ୍ୟାର ସମାଧାନ ପାଇଁ କମ୍ପାନୀଗୁଡ଼ିକ ବହୁତ ଦିନ ଧରି ଦାବି କରିଆସୁଛନ୍ତି, ଏବଂ ପ୍ରଚଳିତ ରୟାଲ୍ଟି ବ୍ୟବସ୍ଥା ଅନୁଯାୟୀ FM ପ୍ରସାରଣ ପାଇଁ ଡିଜିଟାଲ୍ ଲାଇଭ୍ ଷ୍ଟ୍ରିମିଂ ଅର୍ଥାତ୍ ସାଇମଲକାଷ୍ଟକୁ ଅନୁମତି ଦେବା ପାଇଁ ମଧ୍ୟ ଦାବି ହେଉଛି।

Also Read- ଏସେଲ୍ ଗ୍ରୁପର ୧୦୦ ବର୍ଷ ପୂର୍ତ୍ତି; ଶସ୍ୟ ବ୍ୟବସାୟରୁ ଆରମ୍ଭ କରି ବିଶ୍ୱସ୍ତରୀୟ ମଲ୍ଟି-ବିଲିୟନ ଡଲାର ସାମ୍ରାଜ୍ୟର ସମ୍ପୂର୍ଣ୍ଣ କାହାଣୀ

ସଂକଟରେ ଇଣ୍ଡଷ୍ଟ୍ରୀ, ପ୍ରମୁଖ ସହରଗୁଡ଼ିକରେ ବନ୍ଦ ହେଉଛି FM ଷ୍ଟେସନ

ଦେଶର ଅନେକ ପ୍ରମୁଖ ସହରରେ ଥିବା FM ରେଡିଓ ଷ୍ଟେସନଗୁଡ଼ିକ ଏବେ ଏକ ସ୍ପଷ୍ଟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି, HT ମିଡିଆ ଗ୍ରୁପ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରରେ ଏହାର କିଛି FM ରେଡିଓ ଲାଇସେନ୍ସକୁ ସରେଣ୍ଡର କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ, ଟିଭି ଟୁଡେ ନେଟୱାର୍କ ମଧ୍ୟ ଅନେକ ସହରରେ ଏହାର ରେଡିଓ କାର୍ଯ୍ୟ ବନ୍ଦ କରିଦେଇଥିଲା, ଏବଂ ରେଡ୍ FM ମଧ୍ୟ ମୁମ୍ବାଇରେ ଏକ ଷ୍ଟେସନ ବନ୍ଦ କରିଦେଇଥିଲା। ଏଫଏମ ଷ୍ଟେସନ ବନ୍ଦ ହେବା ଫଳରେ ନିଯୁକ୍ତି ମଧ୍ୟ ପ୍ରଭାବିତ ହୋଇଛି। ଏହି ଶିଳ୍ପର ହଜାର ହଜାର ଲୋକ ଚାକିରି ହରାଇଛନ୍ତି। ଏଥିସହିତ ସରକାରୀ ଆୟ ବି ପ୍ରଭାବିତ ହୋଇଛି, କାରଣ ଡିଟିଏଚ ପରେ ଏଫଏମ ରେଡିଓ ହେଉଛି ଏକମାତ୍ର ଗଣମାଧ୍ୟମ କ୍ଷେତ୍ର ଯାହା ସରକାରଙ୍କୁ ଲାଇସେନ୍ସ ଫି ପ୍ରଦାନ କରିଥାଏ।

ପ୍ରାଇଭେଟ୍ ରେଡିଓ ସେକ୍ଟର ଉପରେ ଲଗାତର ଚାପ

ବିଶେଷଜ୍ଞମାନେ କହିଛନ୍ତି ଯେ ଘରୋଇ ଏଫଏମ ରେଡିଓ କ୍ଷେତ୍ରକୁ ଦିନେ ଦେଶର ସବୁଠାରୁ ବଡ଼ ଗଣମାଧ୍ୟମ ସଂସ୍ଥା ଭାବରେ ବିବେଚନା କରାଯାଉଥିଲା, ଆଜି ଏହା ଉପରେ ନିରନ୍ତର ଚାପ ପଡ଼ୁଛି। ଉଚ୍ଚ ଫି, ନୀତିଗତ ବିଳମ୍ବ ଏବଂ ନିରନ୍ତର କଟକଣା, ଏହି କ୍ଷେତ୍ରର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଛି ବୋଲି ରେଡିଓ କମ୍ପାନୀଗୁଡ଼ିକ ଅଭିଯୋଗ କରିଛନ୍ତି। AROI ଅନୁଯାୟୀ, ଦେଶର ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ବୃଦ୍ଧି ପାଇବାରେ ଲାଗିରହିଥିବା ବେଳେ, ଏଫମ ରେଡିଓ ଶିଳ୍ପ ନିଜର ଉପସ୍ଥିତି ବଜାଇ ରଖିବାକୁ ସଂଘର୍ଷ କରୁଛି।

ରେଡିଓ କମ୍ପାନୀଗୁଡ଼ିକ ଅନୁଯାୟୀ, ସେମାନଙ୍କର ମୋଟ ଆୟର ଏକ ବଡ଼଼ ଅଂଶ ଫି ଏବଂ ଟିକସ ବାଟେ ଖର୍ଚ୍ଚ ହେଇଯାଉଛି। ଏଥିରେ GST, ବାର୍ଷିକ ଲାଇସେନ୍ସ ଫି, ଟାୱାର ଏବଂ ସ୍ପେକ୍ଟ୍ରମ୍ ଚାର୍ଜ ଭଳି ଖର୍ଚ୍ଚ ରହିଛି। ଫଳସ୍ୱରୂପ, କମ୍ପାନୀଗୁଡ଼ିକ କଣ୍ଟେଟଣ୍ଟ, ଟେକ୍ନୋଲୋଜୀ ଏବଂ ପ୍ରସାରଣରେ ନିବେଶ କରିବା ପାଇଁ ପର୍ଯ୍ୟାପ୍ତ ସମ୍ବଳର ଅଭାବ ଦେଖା ଦେଉଛି। ରେଡିଓ କ୍ଷେତ୍ର ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକ ଏବେ ବିଜ୍ଞାପନ ବଜାରକୁ ମଧ୍ୟ ପ୍ରଭାବିତ କରୁଛି। ଯଦିଓ ଦେଶରେ FM ଷ୍ଟେସନର ସଂଖ୍ୟା ବଢ଼ିଛି ହେଲେ ଆୟ କିନ୍ତୁ ସମାନ ଗତିରେ ବଢ଼଼ି ପାରି ନାହିଁ।

କମ୍ପାନୀଗୁଡ଼ିକ କହିଛନ୍ତି ଯେ ଯଦି ଉଚିତ ସମୟ ମଧ୍ୟରେ ଆବଶ୍ୟକୀୟ ପରିବର୍ତ୍ତନ କରା ନ ଯାଏ, ତେବେ ଭବିଷ୍ୟତରେ ରେଡିଓ କ୍ଷେତ୍ରର ଅସୁବିଧା ଆହୁରି ବଢ଼ିପାରେ। ତେବେ ବଡ଼ କଥା ହେଲା ଯେଉଁ ରେଡିଓ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ମନର କଥା ସାରା ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି, ସେହି ରେଡିଓର ମନକଥା ସରକାରଙ୍କ ପାଖରେ ପହଞ୍ଚିପାରିବ ତ?

Also Read- ଆଜିଠୁ ମହଙ୍ଗା ମାଡ଼ ଆରମ୍ଭ! ଡିଜେଲ ଦର ବଢ଼ିବା ପରେ ମହଙ୍ଗା ହେବ ପରିବହନ ଖର୍ଚ୍ଚ; ବଢ଼ିପାରେ ଗ୍ରୋସରି ଓ ଦୈନନ୍ଦିନ ସାମଗ୍ରୀର ଦାମ୍