Essel Group completes 100 years: ଭାରତର ଅଗ୍ରଣୀ ବହୁମୁଖୀ ବ୍ୟବସାୟିକ ପ୍ରତିଷ୍ଠାନ 'ଏସେଲ୍ ଗ୍ରୁପ୍' (Essel Group) ନିଜର ଗୌରବମୟ ଯାତ୍ରାର ୧୦୦ ବର୍ଷ ପୂରଣ କରି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ୧୯୨୬ ମସିହାରେ ହରିୟାଣାର ଏକ ଛୋଟ ସହରରୁ ସାଧାରଣ ଖାଦ୍ୟ ଶସ୍ୟ ବ୍ୟବସାୟରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଆଜି ବିଶ୍ୱର ଏକ ପ୍ରତିଷ୍ଠିତ ମଲ୍ଟି-ବିଲିୟନ ଡଲାର ମହାସାମ୍ରାଜ୍ୟରେ ପରିଣତ ହୋଇଛି। ବର୍ତ୍ତମାନ ୧୯୦ରୁ ଅଧିକ ଦେଶରେ କମ୍ପାନୀର ଉପସ୍ଥିତି ରହିଛି। ଗ୍ରୁପର ଏହି ୧୦୦ ବର୍ଷର ସଫଳତାକୁ "ଇମ୍ପ୍ରେସନ୍ ଅଫ୍ ଏ ସେଞ୍ଚୁରୀ" (Impression of a Century) ବୋଲି କମ୍ପାନୀ ଅଭିହିତ କରିଛି।

ଏହି ସ୍ମରଣୀୟ ଅବସରରେ ଏସେଲ୍ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ରା ପ୍ରାୟ ୧୦,୦୦୦ କର୍ମଚାରୀ ଓ ସହଯୋଗୀଙ୍କୁ ସମ୍ବୋଧିତ କରି କମ୍ପାନୀର ସଂଘର୍ଷ, ପରିବର୍ତ୍ତନ ଏବଂ ଆଗାମୀ ଶତାବ୍ଦୀର ଦୂରଦୃଷ୍ଟି ସମ୍ପର୍କରେ ଆଲୋଚନା କରିଛନ୍ତି।

୧୯୨୬ ରୁ ୨୦୨୬: ଏସେଲ୍ ଗ୍ରୁପର ପ୍ରମୁଖ ଐତିହାସିକ ଯାତ୍ରା

ଆରମ୍ଭ (୧୯୨୬): ଡକ୍ଟର ସୁଭାଷ ଚନ୍ଦ୍ରାଙ୍କ ଜେଜେବାପା ଜଗନ୍ନାଥ ଗୋଏଙ୍କାଙ୍କ ନେତୃତ୍ୱରେ ହରିୟାଣାର ଆଦମପୁର ମଣ୍ଡିରେ 'ମେସର୍ସ ରାମଗୋପାଳ ଇନ୍ଦ୍ରପ୍ରସାଦ' (ଓକାରା ଦୋକାନ) ନାମରେ ଏକ ଛୋଟ ଗ୍ରୋସରି ଦୋକାନ ଭାବେ ଏହାର ମୂଳଦୁଆ ପଡ଼ିଥିଲା।

ଦିଲ୍ଲୀ ସ୍ଥାନାନ୍ତର ଓ ବିସ୍ତାର: ୧୯୪୧ରେ ବ୍ୟବସାୟ ହିସାରକୁ ଏବଂ ୧୯୪୮ରେ ଦିଲ୍ଲୀର ମୋତିଆଖାନାକୁ ସ୍ଥାପନ କରାଯାଇ ଡାଲି ପଲିସିଂ କାରଖାନା ପ୍ରତିଷ୍ଠା ହେଲା। ୧୯୪୬ରେ ଡକ୍ଟର ସୁଭାଷ ଚନ୍ଦ୍ରାଙ୍କ ପିତା ନନ୍ଦକିଶୋର ଗୋଏଙ୍କା ମାତ୍ର ୧୬ ବର୍ଷ ବୟସରେ ବ୍ୟବସାୟରେ ଯୋଗ ଦେଇଥିଲେ।

Also Read- କମ୍ପ୍ରେସର ଉପରେ କଟକଣା ପରେ ଇଲେକ୍ଟ୍ରୋନିକ୍ସ ବଜାରରେ ବଡ଼ ପରିବର୍ତ୍ତନ: ନୂଆ ମୋଡ଼ ନେବାକୁ ଯାଉଛି ଏସି, ଫ୍ରିଜର ମାର୍କେଟ

ନାମ ପରିବର୍ତ୍ତନ (୧୯୬୯-୧୯୭୬): ୧୯୬୯ରେ କମ୍ପାନୀର ନାମ 'ସୁଭାଷ ଚନ୍ଦ୍ରା ଲକ୍ଷ୍ମୀ ନାରାୟଣ' (SL) ରଖାଗଲା ଏବଂ ପରବର୍ତ୍ତୀ ସମୟରେ ୧୯୯୬ରେ ଏହାକୁ 'ଏସେଲ୍ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍' (Essel Group of Industries) ଭାବେ ନାମିତ କରାଗଲା।

ଟଙ୍କା ୧୭ରୁ କୋଟି କୋଟିର ସାମ୍ରାଜ୍ୟ: ଡକ୍ଟର ସୁଭାଷ ଚନ୍ଦ୍ରା ୧୯୭୦ ମସିହାରେ ମାତ୍ର ୨୦ ବର୍ଷ ବୟସରେ ପକେଟରେ ମାତ୍ର ୧୭ ଟଙ୍କା ଏବଂ ଆଖିରେ ଅନେକ ସ୍ୱପ୍ନ ନେଇ ଦିଲ୍ଲୀ ଆସିଥିଲେ। ୧୯୭୧ରେ ସେ ଏକ ଡାଲି ମିଲ୍ ଲିଜ୍ରେ ନେଇ କୃଷିରୁ ଶିଳ୍ପ କ୍ଷେତ୍ରକୁ ପାଦ ବଢ଼ାଇଥିଲେ। ସୋଭିଏତ୍ ୟୁନିଅନ୍ (USSR)କୁ ଖାଦ୍ୟ ଶସ୍ୟ ରପ୍ତାନି କରି କମ୍ପାନୀ ବଡ଼ ପୁଞ୍ଜି ହାସଲ କରିଥିଲା ଏବଂ ୧୯୮୧ରେ କମ୍ପାନୀ ପ୍ରଥମ ଥର ପାଇଁ ବାର୍ଷିକ ୧୦୦ କୋଟି ଟଙ୍କାର କାରବାର ଅତିକ୍ରମ କରିଥିଲା।

ଭାରତୀୟ ଶିଳ୍ପ ଜଗତରେ ଏସେଲ୍ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ:

ଏସେଲ୍ ଗ୍ରୁପ୍ ଭାରତୀୟ ବଜାରରେ ଅନେକ ନୂତନ ଟ୍ରେଣ୍ଡ୍ ଏବଂ କ୍ଷେତ୍ରର ସୃଷ୍ଟି କରିଛି। ସେଗୁଡିକ ମଧ୍ୟରୁ ଏସବୁ ଦେଶରେ ଖୁବ ପରିଚୟ ସୃଷ୍ଟି କରିଛି। 

ମିଡିଆ ଏବଂ ମନୋରଞ୍ଜନ: ଦେଶର ଉଦାରୀକରଣ ପୂର୍ବରୁ ଟେଲିଭିଜନ ଉପରେ କେବଳ ସରକାରୀ ନିୟନ୍ତ୍ରଣ ଥିଲା। ଏସେଲ୍ ଗ୍ରୁପ୍ ଭାରତର ପ୍ରଥମ ବେସରକାରୀ ସାଟେଲାଇଟ୍ ଚ୍ୟାନେଲ୍ 'Zee TV' ଏବଂ ବେସରକାରୀ ନ୍ୟୁଜ୍ ଚ୍ୟାନେଲ୍ 'Zee News' ଲଞ୍ଚ କରି ଭାରତୀୟ ଗଣମାଧ୍ୟମର ରୂପରେଖ ବଦଳାଇ ଦେଇଥିଲା। ଏହାସହ ଦେଶର ପ୍ରଥମ DTH ସେବା 'Dish TV' ମଧ୍ୟ ଆରମ୍ଭ କରିଥିଲା।

ମନୋରଞ୍ଜନ ପାର୍କ: ୧୯୯୦ ମସିହାରେ ମୁମ୍ବାଇରେ ଏସେଲ୍ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ 'EsselWorld' ସେତେବେଳେ ଏସିଆର ସବୁଠାରୁ ବଡ଼ ଆମ୍ୟୁଜମେଣ୍ଟ ପାର୍କ ଥିଲା, ଯାହା ଭାରତରେ ପାରିବାରିକ ମନୋରଞ୍ଜନ ସଂସ୍କୃତିକୁ ଏକ ନୂଆ ଦିଗ ଦେଇଥିଲା।

ପ୍ୟାକେଜିଂ ଏବଂ ମେଟାଲ୍ସ: 'Essel Propack' ମାଧ୍ୟମରେ ଆଧୁନିକ ଲେମିନେଟେଡ୍ ଟ୍ୟୁବ୍ ବା ପ୍ୟାକେଜିଂ ଟେକ୍ନୋଲୋଜି ଆଣିଥିଲା। ଏହାସହ ଏସିଆର ସବୁଠାରୁ ବଡ଼ ଗୋଲ୍ଡ ପ୍ରୋସେସିଂ ପ୍ଲାଣ୍ଟ 'ଶିରପୁର ଗୋଲ୍ଡ ରିଫାଇନାରୀ' (Shirpur Gold Refinery) ମଧ୍ୟ ଏସେଲ୍ ଗ୍ରୁପ୍ର ଅଂଶ।

ଶିକ୍ଷା: ଶିକ୍ଷା କ୍ଷେତ୍ରରେ 'Zee Learn' ଏବଂ ଏସିଆର ସବୁଠାରୁ ବଡ଼ ପ୍ରି-ସ୍କୁଲ୍ ଚେନ୍ 'Kidzee' ମାଧ୍ୟମରେ ଲକ୍ଷ ଲକ୍ଷ ପିଲାଙ୍କ ଜୀବନରେ ସୁଧାର ଆଣିଛି।

ଆଗାମୀ ୧୦୦ ବର୍ଷ ପାଇଁ ଦୂରଦୃଷ୍ଟି:

ଏହି ଅବସରରେ ଡକ୍ଟର ସୁଭାଷ ଚନ୍ଦ୍ରା କହିଛନ୍ତି ଯେ, ଏସେଲ୍ ଗ୍ରୁପ୍ର ଏହି ଯାତ୍ରା କେବଳ ବ୍ୟବସାୟିକ ଅଭିବୃଦ୍ଧି ନୁହେଁ, ବରଂ ଦେଶର ଅର୍ଥନୈତିକ ଏବଂ ସାମାଜିକ ବିକାଶ ସହ ଜଡ଼ିତ। ବର୍ତ୍ତମାନ କମ୍ପାନୀର ୫ମ ପିଢ଼ି (5th Generation) ଏହି ବ୍ୟବସାୟକୁ ସଫଳତାର ସହ ପରିଚାଳନା କରୁଛନ୍ତି। ଆଗାମୀ ଶତାବ୍ଦୀରେ କମ୍ପାନୀ ଟେକ୍ନୋଲୋଜି, ଡିଜିଟାଲ୍ ପ୍ଲାଟଫର୍ମ ଏବଂ 'ଆଟେନସନ ଇକୋନୋମି' (Attention Economy) ଉପରେ ଅଧିକ ଗୁରୁତ୍ୱ ଦେବ। ବିଶ୍ୱର ପ୍ରାୟ ୧୯୦ରୁ ଅଧିକ ଦେଶରେ ବ୍ୟବସାୟ କରୁଥିବା ଏହି ଗ୍ରୁପ୍ରେ ପ୍ରାୟ ୪୦,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ଏବଂ ଏହା ଦେଶର ୧ କୋଟିରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।