AC Fridge Compressor: ଆଗାମୀ ଦିନରେ ଦେଶର ଇଲେକ୍ଟ୍ରୋନିକ୍ସ ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ବିଶେଷ କରି ଏସି ଏବଂ ରେଫ୍ରିଜରେଟର ଶିଳ୍ପ ଏବେ ଏକ ନୂଆ ମୋଡ଼ ନେବାକୁ ଯାଉଛି। କେନ୍ଦ୍ର ସରକାର ଏସି ଓ ଫ୍ରିଜ୍ରେ ବ୍ୟବହାର ହେଉଥିବା କମ୍ପ୍ରେସରର ଆମଦାନିକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହାପରେ ବିଦେଶୀ ନିର୍ଭରଶୀଳତା କମାଇ ଭାରତରେ ଉତ୍ପାଦନ ବଢ଼ାଇବା ପାଇଁ କମ୍ପାନିଗୁଡ଼ିକ ମଧ୍ୟରେ ଏକ ପ୍ରକାର ଦୌଡ଼ ଆରମ୍ଭ ହୋଇଯାଇଛି।

​​​​​​​ଖରାଦିନ ଆସିଲେ ଏସି ଏବଂ ଫ୍ରିଜ୍ର ଚାହିଦା ଆକାଶଛୁଆଁ ହୋଇଯାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଏହି କୁଲିଂ ସିଷ୍ଟମର ସବୁଠାରୁ ପ୍ରଧାନ ଅଂଶ ବା ହୃଦୟ କୁହାଯାଉଥିବା 'କମ୍ପ୍ରେସର' ପାଇଁ ଭାରତକୁ ଏବେ ବି ବିଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ବର୍ତ୍ତମାନ ସୁଦ୍ଧା ଭାରତୀୟ କମ୍ପାନିଗୁଡ଼ିକ ଚୀନ୍ ଏବଂ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ରରୁ କମ୍ପ୍ରେସର ଆମଦାନି କରି ଏଠାରେ କେବଳ ଆସେମ୍ବ୍ଲିଂ କରୁଥିଲେ। କିନ୍ତୁ ଏବେ ଏହି ଚିତ୍ର ବଦଳିବାକୁ ଯାଉଛି। କାରଣ କେନ୍ଦ୍ର ସରକାର କମ୍ପ୍ରେସର ଆମଦାନି ଉପରେ କଟକଣା ଲଗାଇବା ସହ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସରକାର ମାଣ୍ଡେଟୋରୀ କ୍ୱାଲିଟି କଣ୍ଟ୍ରୋଲ ଅର୍ଡର (QCO) ନିୟମ ଅଧୀନରେ କୋଟା (Quota) ବ୍ୟବସ୍ଥା ଲାଗୁ କରିଛନ୍ତି। କମ୍ପାନୀଗୁଡ଼ିକ ୨୦୨୪-୨୫ ଆର୍ଥିକ ବର୍ଷରେ ଯେତିକି କମ୍ପ୍ରେସର ଆମଦାନୀ କରିଥିଲେ, ଚଳିତ ବର୍ଷ କେବଳ ତାର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ହିଁ ଆମଦାନୀ କରିପାରିବେ।
ସରକାରଙ୍କ ଏହି କଡ଼ା ପଦକ୍ଷେପ ପଛର ମୂଳ ଉଦ୍ଦେଶ୍ୟ ହେଉଛି ଘରୋଇ ବିନିର୍ମାଣ ବା ଲୋକାଲ୍ ମାନୁଫ୍ୟାକଚରିଂକୁ ମଜଭୁତ କରିବା। ବିଦେଶରୁ ଆମଦାନି କମାଇ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ଏକ ବଡ଼ ପ୍ରୟାସ। ବିଶେଷଜ୍ଞଙ୍କ କହିବାନୁସାରେ, ସରକାରଙ୍କ ଏହି ନିଷ୍ପତ୍ତି ପରେ ଇଲେକ୍ଟ୍ରୋନିକ୍ସ ଏବଂ ହୋମ୍ ଆପ୍ଲାଏନ୍ସେସ୍ କମ୍ପାନିଗୁଡ଼ିକ ମଧ୍ୟରେ ନିବେଶ ପାଇଁ ପ୍ରତିଯୋଗିତା ବଢ଼ିବାରେ ଲାଗିଛି। ଯେଉଁ କମ୍ପାନିଗୁଡ଼ିକ ପୂର୍ବରୁ ବାହାରୁ ମାଲ୍ ମଗାଉଥିଲେ, ସେମାନେ ଏବେ ଭାରତରେ ହିଁ ନିଜର ପ୍ରଡକ୍ସନ ୟୁନିଟ୍ ବସାଇବା ପାଇଁ ପ୍ରସ୍ତୁତି ଜୋରଦାର କରିଦେଇଛନ୍ତି।

Also Read- India missed out on AI: ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଫ୍ଲୋ ବଦଳାଇ ଦେଇଛି AI ଟ୍ରେଡ୍: ଆଗକୁ ବଢ଼ୁଛନ୍ତି ତାଇୱାନ ଓ ଦକ୍ଷିଣ କୋରିଆ, ପଛରେ ପଢ଼ିଗଲା ଭାରତ

ଶିଳ୍ପ ସହ ଜଡ଼ିତ ଅଧିକାରୀମାନଙ୍କ ସୂଚନା ଅନୁସାରେ, ଆଗାମୀ ଦିନରେ ଅନେକ ବଡ଼ ବଡ଼ କମ୍ପାନି ଭାରତରେ ନୂଆ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛନ୍ତି। କିଛି ଭାରତୀୟ କମ୍ପାନି ସ୍ଥାନୀୟ ସହଯୋଗୀମାନଙ୍କ ସହ ମିଶି କମ୍ପ୍ରେସର ନିର୍ମାଣ ଲାଗି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଲେଣି। କେବଳ ସେତିକି ନୁହେଁ, ବହୁ ବିଦେଶୀ କମ୍ପାନି ମଧ୍ୟ ଭାରତୀୟ ବଜାରର ବଡ଼ ଆକାରକୁ ଦେଖି ଏଠାରେ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବାକୁ ଆଗ୍ରହ ଦେଖାଇଛନ୍ତି।

ଏହାଦ୍ୱାରା ଯୋଗାଣ ଶୃଙ୍ଖଳ ବା ସପ୍ଲାଇ ଚେନ୍ ମଜଭୁତ ହେବା ସହ ଦେଶରେ ବ୍ୟାପକ ପୁଞ୍ଜି ନିବେଶ ହେବ। କାରଖାନା ବଢ଼ିଲେ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ ଏବଂ ପ୍ରଯୁକ୍ତିଗତ ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ। ତେବେ ବର୍ତ୍ତମାନ ଯେହେତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ (Heatwave) ଚାଲିଛି ଏବଂ ଏସି-ଫ୍ରିଜର ଚାହିଦା ସର୍ବାଧିକ ରହିଛି, ସରକାର କମ୍ପାନୀଗୁଡ଼ିକୁ କିଛିଟା ରିହାତି ଦେଇଛନ୍ତି। ନିର୍ଦ୍ଧାରିତ କୋଟା ସୀମା ମଧ୍ୟରେ ଆମଦାନୀ ହେଉଥିବା କମ୍ପ୍ରେସରଗୁଡ଼ିକୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ କଠୋର QCO ଗାଇଡଲାଇନରୁ ମୁକ୍ତ ରଖାଯାଇଛି।