ଭୁବନେଶ୍ଵର/ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିର ତାଲିକା ସାର୍ବଜନୀନ ହେବନାହିଁ। ଏହା ଏକ ଗୁପ୍ତ ତଥ୍ୟ। ଏହାକୁ ସାର୍ବଜନୀନ କରାଯିବା ଠିକ୍ ନୁହେଁ ବୋଲି ଆଇନମନ୍ତ୍ରୀ କହିବା ପରେ ଆରମ୍ଭ ହୋଇଛି ସେବାୟତଙ୍କ ପ୍ରତିକ୍ରିୟା।ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପରେ କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସାର୍ବଜନୀନ କରାଯିବା ସହ ଜଗନ୍ନାଥ ପ୍ରେମୀ ଏ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟ ବାଡ଼ଗ୍ରାହୀ।

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଗଣତି ମଣତି ତାଲିକା ସାର୍ବଜନୀନ କରାଯିବ ନାହିଁ। ପୂର୍ବରୁ ଯେଭଳି ରତ୍ନଭଣ୍ଡାର ତଥ୍ୟ ଗୁପ୍ତ ରଖାଯାଇଛି ଗୁପ୍ତ ରଖାଯିବ।କେବଳ ସରକାରଙ୍କ ପ୍ରାଧିକୃତ ଅଧିକାରୀ ଆବଶ୍ୟକ ପଡିଲେ ତାଲିକା ଦେଖିପାରିବେ।ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଜାରି ରହିଥିବା ବେଳେ ସମସ୍ତ ରତ୍ନ ଅଳଙ୍କାରର ଥ୍ରୀଡି ମ୍ୟାପିଙ୍ଗ, ଫଟୋଗ୍ରାଫି, ଭିଡିଓ ଗ୍ରାଫି ସହିତ ଟ୍ୟାଗିଙ୍ଗ କରି ରଖାଯାଉଛି।

Also Read: କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ସଦସ୍ୟତା ରଦ୍ଦ ପିଟିସନ ଖାରଜ ପରେ ହାଇକୋର୍ଟରେ BJD

ଆଇନମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ପ୍ରତି ଜଗନ୍ନାଥ ପ୍ରେମୀ ଏବଂ ଭକ୍ତଙ୍କୁ ମହାପ୍ରଭୁଙ୍କ ଅଳଙ୍କାର ବିଷୟରେ ଜାଣିବାର ଆବଶ୍ୟକତା ଅଛି। ରତ୍ନ ଅଳଙ୍କାରର ଗଣତି ମଣତି ପରେ ସାର୍ବଜନୀନ କରାଗଲେ ଅସୁବିଧା କେଉଁଠି ରହିଛି ? ଏହା ଉପରେ ସରକାର ପୁନର୍ବିଚାର କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ।

ଦୂର୍ଗାପୂଜା ପରେ ପୁନର୍ବାର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯିବ ଏବଂ ମାର୍ଗଶୀର ମାସ ପୂର୍ବରୁ ଶେଷ କରାଯିବ। ୧୯୭୮ ମସିହା ତାଲିକା ଅନୁସାରେ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯିବ। ରତ୍ନଭଣ୍ଡାରର ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ସେପଟେ ସେବାୟତମାନେ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ସ୍ବାଗତ କରିଛନ୍ତି। ମହାପ୍ରଭୁଙ୍କ ରଘୁନାଥ ବେଶ କିଭଳି ଅନୁଷ୍ଠିତ ହୋଇପାରିବ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ବରିଷ୍ଠ ଦଇତାପତି ବିଶ୍ଵାବସୁ ବିନାୟକ ଦାସମହାପାତ୍ର ଅନୁରୋଧ କରିଛନ୍ତି। ରତ୍ନ ଅଳଙ୍କାର ଗଣତି ମଣତି ପରେ ମହାପ୍ରଭୁଙ୍କ ପାଇଁ ଏକ ନୂତନ ଅଳଙ୍କାର ସେଟ୍ ନିର୍ମାଣ ପାଇଁ ମଧ୍ୟ ଦାବି କରିଛନ୍ତି ସେବାୟତ।

Also Read: MMDR ପ୍ରସଙ୍ଗରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ, ଓଡ଼ିଶାର ଭାଗ କମିବ ନାହିଁ

ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ରତ୍ନ ଅଳଙ୍କାର ତାଲିକା ସାର୍ବଜନୀନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ମୁଖ୍ୟ ବାଡ଼ଗ୍ରାହୀ, ବିଭିନ୍ନ ସଂଗଠନ ଓ ଜଗନ୍ନାଥ ପ୍ରେମୀ ଦାବି କରି ଆସୁଛନ୍ତି। ରତ୍ନଭଣ୍ଡାରର ତାଲିକା ସାର୍ବଜନୀନ ନକରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ଆଗାମୀ ଦିନରେ କିଭଳି ଜଗନ୍ନାଥ ପ୍ରେମୀ ଗ୍ରହଣ କରୁଛନ୍ତି ତାକୁ ଅପେକ୍ଷା।