ପୁରୀ ୨୯।୮: ଶ୍ରୀମନ୍ଦିରରେ ମୂଷା ଓ ଅସରପାଙ୍କ ପ୍ରାଦ୍ରୁଭାବ ପୁଣିଥରେ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ନିଦ୍ରାରେ ଯିବା ସମୟରେ ମୂଷା ଓ ଅସରପା ମହାପ୍ରଭୁଙ୍କ ନିଦ୍ରାରେ ବାଧା ସୃଷ୍ଟି କରୁଛନ୍ତି। ଗର୍ଭଗୃହରେ ମୂଷା ଓ ଅସରପାଙ୍କ ଦୌରାତ୍ମ୍ୟ ବଢ଼ିବା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ସେବାୟତ। ତେବେ ଏହାର ନିରାକରଣ ଓ ପ୍ରତିକାର ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ବୈଠକ। ସେବାୟତଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବରିଷ୍ଠ ସେବାୟତ, ଛତିଶା ନିଯୋଗ ନାୟକ, ଦଇତାପତି ନିଯୋଗର ସମ୍ପାଦକଙ୍କୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।

ତେବେ ବୈଠକ ସରିବା ପରେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସୂଚନା ଦେଇଛନ୍ତି, ମୂଷା ଓ ଅସରପା ଅନ୍ଧାରର ସୁଯୋଗ ନେଇ ମହାପ୍ରଭୁଙ୍କ ନିଦ୍ରାରେ ବାଧା ସୃଷ୍ଟି କରୁଛନ୍ତି । ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି କ୍ଷତି ହେବା ପୂର୍ବରୁ ଏହାର ନିରାକରଣ ଏବଂ ପ୍ରତିକାର ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।

Also Read:- ଜେଲ୍ ଭିତରେ ନିଶାଦ୍ରବ୍ୟ ଓ ମୋବାଇଲ୍! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଶାସ୍ତ୍ର ସମ୍ମତ ତଥା ପରମ୍ପରା ଅନୁଯାୟୀ ମୂଷାଙ୍କ ପାଇଁ ଯନ୍ତା ବସିବା ସହ ଅସରପାଙ୍କ ପାଇଁ ଗୁଡ଼ ମାଠିଆ ବସିବାର ବିଧି ବ୍ୟବସ୍ଥା ରହିଛି। ମହାପ୍ରଭୁ ନିଦ୍ରାରେ ଯିବା ସମୟରେ ଜୟ ବିଜୟ ଦ୍ବାର ଠାରୁ ଗର୍ଭଗୃହ ଅନ୍ଧାର ରହିବାର ପରମ୍ପରା ରହିଛି। ଏହାର ସୁଯୋଗ ନେଇ ମୂଷା ଓ ଅସରପାଙ୍କ ଉପଦ୍ରବ ବଢୁଛି। ବିଭିନ୍ନ ସମୟରେ ମହାପ୍ରଭୁଙ୍କ କନକମୁଣ୍ଡି ଚାନ୍ଦୁଆରେ ମୂଷା ଓ ଅସରପା ଘର କରି ରହୁଛନ୍ତି। ଏଣୁ ଖୁବଶୀଘ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଏହାର ନିରାକରଣ ଏବଂ ପ୍ରତିକାର ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଛତିଶା ନିଯୋଗର ନାୟକ।