ଭୁବନେଶ୍ୱର: ଦୀର୍ଘ ୩୫ ବର୍ଷର ଅପେକ୍ଷା, ଦୌଡ଼ାଦୌଡ଼ି ଓ ଯନ୍ତ୍ରଣାର ଅନ୍ତ ଘଟିଛି । କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ର ହିତାଧିକାରୀମାନଙ୍କ ଜମି ରେକର୍ଡରେ ରହିଥିବା ଦୀର୍ଘଦିନର ଅସଙ୍ଗତିର ସମାଧାନ ହୋଇଛି । ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ତ୍ୱରିତ ଓ ଲୋକାଭିମୁଖୀ ପଦକ୍ଷେପ ଯୋଗୁ ୨୦୦ରୁ ଅଧିକ ମାମଲାର ଫଇସଲା ହୋଇଥିବା ବେଳେ, ପ୍ରକୃତ ଆବଣ୍ଟନଗ୍ରହୀତାଙ୍କ ନାମରେ ହାଲ୍ ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ ପାଇଁ ଭୁବନେଶ୍ୱର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୧୯୯୧ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବିକଶିତ କଳିଙ୍ଗ ନଗର କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ରେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଇଥିଲା । ଆବଣ୍ଟନ ପରେ ହିତାଧିକାରୀମାନେ ନିଜ ଜମିକୁ ନେଇ ନିଶ୍ଚିନ୍ତ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ରାଜସ୍ୱ ରେକର୍ଡରେ ଦେଖାଦେଇଥିବା ଅସଙ୍ଗତି ସେମାନଙ୍କ ପାଇଁ ୩୫ ବର୍ଷର ଦୀର୍ଘ ସମସ୍ୟାର କାରଣ ପାଲଟିଥିଲା ।

୨୦୧୩-୧୪ ମସିହାର ଶେଷ ବନ୍ଦୋବସ୍ତ ସମୟରେ ଆବଣ୍ଟିତ ପ୍ଲଟଗୁଡ଼ିକର RORରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଅନ୍ୟମାନଙ୍କ ନାମରେ ଭିନ୍ନ ଭିନ୍ନ ଜମି ପରିମାଣ ରେକର୍ଡ ହୋଇଥିଲା । ଫଳରେ ବିଡିଏରୁ ବୈଧ ଭାବେ ପ୍ଲଟ୍ ଆବଣ୍ଟନ ପାଇଥିବା ହିତାଧିକାରୀମାନେ ନିଜ ନାମରେ ROR ପାଇବା ପାଇଁ ବର୍ଷ ବର୍ଷ ଧରି ଅଫିସରୁ ଅଫିସ ଦୌଡ଼ିବା ସହ ଅନେକ ଆର୍ଥିକ ଓ ମାନସିକ ଅସୁବିଧା ଭୋଗିଥିଲେ ।

ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ମାନ୍ୟବର ସଦସ୍ୟଙ୍କ ନିର୍ଦ୍ଦେଶକ୍ରମେ କେ-୭ ସମ୍ପର୍କିତ ୨୦୦ ରୁ ଅଧିକ ମାମଲାର ଏକତ୍ର ଶୁଣାଣିକୁ ପ୍ରାଥମିକତା ଦିଆଯାଇଥିଲା । ମାମଲାଗୁଡ଼ିକର ମିଳିତ କ୍ଷେତ୍ର ତଦନ୍ତ ପାଇଁ ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ମିଳିତ ଦଳ ଗଠନ କରାଯାଇଥିଲା ।

ଏହି ଦଳ ପ୍ରାଥମିକତା ଭିତ୍ତିରେ ସରଜମିନ ତଦନ୍ତ କରି ଆବଣ୍ଟନ ଅନୁଯାୟୀ ପ୍ରକୃତ ଜମିର ପରିମାଣ ଚିହ୍ନଟ କରିଥିଲେ । ରେକର୍ଡରେ ଥିବା ଜମି ପରିମାଣ ଓ ପ୍ରକୃତ ଜମିର ଅବସ୍ଥିତି ମଧ୍ୟରେ ଥିବା ଅସଙ୍ଗତି ଯାଞ୍ଚ କରାଯାଇ ବିସ୍ତୃତ ରିପୋର୍ଟ ମାନ୍ୟବର ସଦସ୍ୟ, ରାଜସ୍ୱ ପର୍ଷଦଙ୍କ ନିକଟରେ ଦାଖଲ କରାଯାଇଥିଲା ।

Also Read: ସ୍ୱଚ୍ଛ ବାୟୁରେ ରାଉରକେଲା ନମ୍ବର ୱାନ୍! ଦେଶରେ ଶ୍ରେଷ୍ଠ ସହର ଭାବେ ପାଇଲା ସମ୍ମାନ, ମିଳିଲା ୭୫ ଲକ୍ଷ ପୁରସ୍କାର

ଏହି ମିଳିତ ତଦନ୍ତ ରିପୋର୍ଟ ଓ ସମ୍ପୃକ୍ତ ଦସ୍ତାବିଜ ଆଧାରରେ ୧୦ ସେପ୍ଟେମ୍ବର ୨୦୨୬ରେ ମାନ୍ୟବର ସଦସ୍ୟ, ରାଜସ୍ୱ ପର୍ଷଦ କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ ସମ୍ପର୍କିତ ୨୦୦ ରୁ ଅଧିକ ମାମଲାର ଫଇସଲା କରିଛନ୍ତି। ଚୂଡ଼ାନ୍ତ ନିର୍ଦ୍ଦେଶରେ ଭୁବନେଶ୍ୱର ତହସିଲଦାରଙ୍କୁ ଆବଣ୍ଟନ ଅନୁଯାୟୀ ସମ୍ପୃକ୍ତ ଜମିର ଏରିଆ ଓ ନାମରେ ଆବଶ୍ୟକୀୟ ସଂଶୋଧନ କରି ଦୁଇ ମାସ ମଧ୍ୟରେ ହିତାଧିକାରୀମାନଙ୍କ ନାମରେ ହାଲ୍ ROR ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନିଷ୍ପତ୍ତି କେ-୭ ଅଞ୍ଚଳର ହିତାଧିକାରୀମାନଙ୍କ ପାଇଁ କେବଳ ଏକ ରାୟ ନୁହେଁ, ବରଂ ୩୫ ବର୍ଷର ଅପେକ୍ଷା, ଅସୁବିଧା, ଦୌଡ଼ାଦୌଡ଼ି ଓ ମାନସିକ ଯନ୍ତ୍ରଣାର ଅନ୍ତର ଏକ ଐତିହାସିକ ପଦକ୍ଷେପ। ଏହା ଫଳରେ ଆବଣ୍ଟିତ ପ୍ଲଟଧାରୀମାନେ ନିଜ ନାମରେ ROR ପାଇବା ସହ ଆବଣ୍ଟନ ପରବର୍ତ୍ତୀ ବିଭିନ୍ନ ସରକାରୀ ସେବା ଓ ସୁବିଧା ପାଇବାରେ ଆଉ ପୂର୍ବଭଳି ବାଧା ସମ୍ମୁଖୀନ ହେବେ ନାହିଁ।

ଲୋକଙ୍କ ଜମି ସମ୍ପର୍କିତ ୩୫ ବର୍ଷର ସମସ୍ୟାକୁ ପ୍ରାଥମିକତା ଦେଇ ଏତେ ସଂଖ୍ୟକ ମାମଲାର ତ୍ୱରିତ ଫଇସଲା ଓ ରେକର୍ଡ ସଂଶୋଧନ ପାଇଁ ସମୟସୀମା ଧାର୍ଯ୍ୟ କରାଯିବା ରାଜସ୍ୱ ପ୍ରଶାସନରେ ଏକ ନୂଆ ଦିଗ ଖୋଲିଛି। ଏହାକୁ ଲୋକାଭିମୁଖୀ ଓ ନାଗରିକ-କେନ୍ଦ୍ରିତ ପ୍ରଶାସନର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ପଦକ୍ଷେପ ପରେ କେ-୮ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ର ହିତାଧିକାରୀମାନଙ୍କ ସମାନ ଜମି ରେକର୍ଡ ସମସ୍ୟାର ସମାଧାନ ଦିଗରେ ମଧ୍ୟ ବିଡିଏ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଫଳରେ କେ-୭ ପରେ କେ-୮କୁ ନେଇ ମଧ୍ୟ ହିତାଧିକାରୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି।