କଟକ ୩୧।୮: କଟକ ରେଳ ଷ୍ଟେସନରୁ ନାବାଳିକା ନିଖୋଜ ହୋଇଯାଇଛନ୍ତି । ନିଖୋଜ ନାବାଳିକାଙ୍କ ବୟସ ୭ରୁ ୯ବର୍ଷ ଭିତରେ ହେବ । ନିଜ ବାପା, ମା’ଙ୍କ ସହ ଆସିଥିବା ଝିଅଟି ବାପା, ମା’ଙ୍କ ଅନ୍ୟମନସ୍କତା ଭିତରେ ନିଖୋଜ ହୋଇଯାଇଥିଲେ । ଏ ନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ହେବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି ।

ଝିଅଟିକୁ ଠାବ କରିବା ପାଇଁ ପୋଲିସ ୭ଟି ଟିମ୍ ଗଠନ କରିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜରେ ଝିଅ ସହିତ ଦେଖାଯାଉଥିବା ବୃଦ୍ଧଙ୍କୁ ଏହି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ମାତ୍ର ସମ୍ପୃକ୍ତ ବୃଦ୍ଧଙ୍କର ମଧ୍ୟ କୌଣସି ପତ୍ତା ମିଳୁନାହିଁ । ସନ୍ଦେହରେ ଥିବା ବୃଦ୍ଧଙ୍କ ପତ୍ତା ନମିଳିବାରୁ ସେ ନିଖୋଜ ଥିବା ନେଇ ପୋଲିସ ପୋଷ୍ଟର ଜାରି କରିଛି । ସନ୍ଦେହରେ ଥିବା ଏହି ବୃଦ୍ଧଙ୍କ ବାବଦରେ ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି କମିଶନରେଟ୍ ପୋଲିସ ।

Also Read:- ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି, ଟଙ୍କା ଗଣତିରେ ୩୦୦ ମହିଳା ନିୟୋଜିତ

ତେବେ ନିଖୋଜ ନାବାଳିକାଙ୍କ ସମ୍ପର୍କରେ କୌଣସି ସୂଚନା ବା ପୋଷ୍ଟର ଜାରି ନକରି, ପୋଲିସ କିଭଳି ଜଣେ ସନ୍ଦେହରେ ଥିବା ବ୍ୟକ୍ତିଙ୍କୁ ନିଖୋଜ ଦର୍ଶାଇ ତାଙ୍କ ପୋଷ୍ଟର ଜାରି କରିଛି ଓ ଏଥିପାଇଁ ପୁରସ୍କାର ମଧ୍ୟ ଘୋଷଣା କରିଛି, ସେ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏଭଳି ପୋଷ୍ଟର ସମ୍ପର୍କରେ ଡିସିପି କିଛି କହିବାକୁ ମନା କରିଦେଇଛନ୍ତି । ରବିବାର ଠାରୁ ଝିଅଟିକୁ ଠାବ କରିବା ପାଇଁ ସବୁ ଟିମ୍ କାମ ଜାରି ରଖିଛନ୍ତି ବୋଲି ଡିସିପି କହିଛନ୍ତି ।

Watch Video: