ଭୁବନେଶ୍ୱର: ଏପ୍ରିଲ ୨ତାରିଖରୁ ରାଜ୍ୟରେ ପୁଣି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ଯାଞ୍ଚ୍ କଡ଼ାକଡ଼ି କରାଯିବ । ଯେଉଁମାନେ ଗାଡ଼ିର ପିୟୁସିସି କରିନଥିବେ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂତ୍ରରୁ ଜଣାପଡ଼ିଛି । ଅପରପକ୍ଷରେ ଯେଉଁମାନଙ୍କ ଗାଡ଼ି ଉପରେ ଟ୍ରାଫିକ୍ ଉଲ୍ଲଂଘନପାଇଁ ଜରିମାନା କରାଯାଇଥିଲା ସେମାନଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଓଟିଏସ୍ (ୱାନ୍ ଟାଇମ୍ ସେଟଲ୍ମେଣ୍ଟ) ସ୍କିମ୍ ଲାଗୁ କରାଯାଇଥିଲା ।

ଅବଧି ସରିଛି, ତ୍ରାହି ନାହିଁ

ଯେଉଁମାନେ ଧାର୍ଯ୍ୟସମୟ ମଧ୍ୟରେ ଜରିମାନାର ୫୦% ଅର୍ଥ ଦେବେ ସେଥିରେ ମୋଟ ଜରିମାନା ଅର୍ଥ କଟିଯିବ ବୋଲି କୁହାଯାଇଥିଲା । ଏହି ଅବଧି ମଧ୍ୟ ମଙ୍ଗଳବାର ଶେଷ ହୋଇଛି । ତେବେ ୫ ମାସ ତଳୁ ଏହି ଓଟିଏସ୍ ସ୍କିମ୍ ଲାଗୁ ହୋଇଥିଲାବେଳେ ଇତିମଧ୍ୟରେ ମାତ୍ର ୨୫% ଜରିମାନା ଅର୍ଥ ଆଦାୟ ହୋଇପାରିଛି । ଅର୍ଥାତ ପ୍ରାୟ ୧୩୦୦ କୋଟି ଟଙ୍କାର ଜରିମାନା ଅର୍ଥରୁ ମାତ୍ର ଦେଢ଼ ଶହ କୋଟି ଟଙ୍କା ଆଦାୟ ହୋଇଛି । ତେଣୁ ଜରିମାନା ଅର୍ଥକୁ ଅଧିକରୁ ଅଧିକ ଆଦାୟ ପାଇଁ ଏସ୍ଟିଏ ପକ୍ଷରୁ ରାଜ୍ୟ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ।

ବଢିବ ଅବଧି:

ପ୍ରାୟ ଗୋଟିଏ ମାସ ପାଇଁ ପୁନର୍ବାର ଏହି ଅବଧି ବୃଦ୍ଧି ହେବ ବୋଲି ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜରିମାନା ପଇଠ କରିବାକୁ ଲୋକ ଆଗ୍ରହ ଦେଖାଉଛନ୍ତି । କିନ୍ତୁ ଜରିମାନା ଅର୍ଥ କେଉଁଠି, କାହାକୁ ଏବଂ କେଉଁ ପ୍ରକ୍ରିୟାରେ ଦିଆଯିବ ତାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି । ପରିବହନ ବିଭାଗ ଓ ପୁଲିସ ଦ୍ୱାରା ମାଧ୍ୟମରେ ଚାଲାଣ କଟାଯାଉଥିବାବେଳେ ଏହାର ପଇଠ ମାଧ୍ୟମ ଅଲଗା ହୋଇଥିବାରୁ ସମସ୍ୟା ହେଉଛି ।

Also Read....ଏପ୍ରିଲ ୨ରୁ ପୁଣି ଗାଡ଼ି PUCC ଯାଞ୍ଚ, ଅନ୍ୟ କାଗଜପତ୍ର ବି ହେବ ଚେକିଂ

ସେହିପରି ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟରେ ଗତ ୨୧ ତାରିଖରୁ ଚାଲିଥିବା ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଆଜି ଶେଷ ହେଉଥିଲା । କିନ୍ତୁ ପୁନର୍ବାର ଏହି ଅଭିଯାନକୁ ଆସନ୍ତା ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅଭିଯାନରେ ମୋଟର ଭେଇକିଲ୍ ନିୟମର ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କେବଳ ଦୁଇ ଚକିଆ ନୁହେଁ ବସ୍, ଟ୍ରକ୍ ଭଳି ଭାରୀଯାନଗୁଡ଼ିକୁ ମଧ୍ୟ ଯାଞ୍ଚ୍ କରାଯାଉଛି ।