ମୁମ୍ଵାଇ ୩୧।୧୦; ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଫିଲ୍ମ ନିର୍ଦ୍ଦେଶକ, ଲେଖକ ଏବଂ ପ୍ରଯୋଜକ ସଞ୍ଜୟ ଗୁପ୍ତାଙ୍କ ଦେହାନ୍ତ ହୋଇଛି। ତାଙ୍କର ଆକସ୍ମିକ ବିୟୋଗରେ ଶିଳ୍ପ ଏବଂ ତାଙ୍କ ନିକଟତମ ଲୋକଙ୍କୁ ଦୁଃଖିତ କରିଦେଇଛି। ମୃତ୍ୟୁ ବେଳକୁ ନିର୍ଦ୍ଦେଶକଙ୍କର ବୟସ ପାଖାପାଖି ୫୭ ବର୍ଷ ହୋଇଥିଲା। ‘ଜଙ୍ଗ୍’, ‘କାଣ୍ଟେ’, ‘ସୁଟ୍ଆଉଟ୍ ଆଟ୍ ୱାଡାଲା’ ଓ ‘କାବିଲ୍’ ଭଳି ଲୋକପ୍ରିୟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏ ନେଇ ତାଙ୍କର ଜଣେ ନିକଟତମ ସହଯୋଗୀ ମିଲାପ ଜାଭେରୀ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି।

ରିପୋର୍ଟ ଅନୁଯାୟୀ ସଞ୍ଜୟଙ୍କ ମୃତ୍ୟୁର ପ୍ରକୃତ କାରଣ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ପ୍ରାଥମିକ ସୂଚନା ଅନୁସାରେ, ଗତକାଲି ରାତିରେ ସେ ନିଜ ବାଥରୁମ୍ରେ ପଡ଼ିଯାଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ କେହି ଜାଣିପାରିନଥିଲେ। ଆଜି ସକାଳେ ତାଙ୍କ ମୃତ୍ୟୁ ବିଷୟରେ ଜଣାପଡ଼ିଥିଲା। ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି। ଏହି ଘଟଣାକୁ ନେଇ ଭର୍ସୋଭା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଞ୍ଜୟ ଗୁପ୍ତାଙ୍କ ମୃତ୍ୟୁ ଖବରରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

ସଞ୍ଜୟ ଗୁପ୍ତା ୧୯୯୪ ମସିହାରେ ‘ଆତିଶ୍: ଫିଲ୍ ଦ ଫାୟାର’ ଫିଲ୍ମ ଜରିଆରେ ନିର୍ଦ୍ଦେଶକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୨ରେ ମୁକ୍ତିଲାଭ କରିଥିବା ‘କାଣ୍ଟେ’ ତାଙ୍କୁ ବଡ଼ ସଫଳତା ଦେଇଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ, ସୁନୀଲ ସେଟ୍ଟୀ, ଲକି ଅଲି ଓ ମହେଶ ମାଞ୍ଜରେକରଙ୍କ ଭଳି ଅଭିନେତା ଅଭିନୟ କରିଥିଲେ। ଏହାପରେ ଗ୍ୟାଙ୍ଗଷ୍ଟର ଓ କ୍ରାଇମ୍ ଥ୍ରିଲର୍ ଭଳି ଫିଲ୍ମ ନିର୍ମାଣରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ତେବେ ସେ ତାଙ୍କ କ୍ୟାରିଅରରେ ସଫଳତା ପାଇପାରିନଥିଲେ। ସଞ୍ଜୟ ନିଜେ ତାଙ୍କ ୨୫ ବର୍ଷର କ୍ୟାରିୟରକୁ ସଫଳତା ଓ ବିଫଳତାର ମିଶ୍ରଣ ବୋଲି କହିଥିଲେ। ‘କାଣ୍ଟେ’ର ସଫଳତା ପରେ ସଞ୍ଜୟ ଦତ୍ତଙ୍କ ସହ ମତଭେଦ ଯୋଗୁଁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ମିଳିବା କଷ୍ଟକର ହୋଇପଡ଼ିଥିଲା। ତାଙ୍କ କହିବା ଅନୁସାରେ, ସଞ୍ଜୟ ଦତ୍ତଙ୍କ ସହ ବିବାଦ ପରେ ଅନେକ ଲୋକ ତାଙ୍କ ସହ କାମ ନକରିବାକୁ ଅନ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ହେଲେ ପରେ ଜନ୍ ଆବ୍ରାହମ୍ ଓ ଅନିଲ କପୁରଙ୍କ ଭଳି ଅଭିନେତା ତାଙ୍କ ସହ କାମ କରିବାକୁ ରାଜି ହୋଇଥିଲେ। ୨୦୧୩ରେ ‘ସୁଟ୍ଆଉଟ୍ ଆଟ୍ ୱାଡାଲା’ ଜରିଆରେ ସଞ୍ଜୟ ପୁଣିଥରେ ନିର୍ଦ୍ଦେଶନା ଜଗତକୁ ଫେରିଥିଲେ। ଏହାପରେ ୨୦୧୫ରେ ‘ଜଜ୍ବା’, ୨୦୧୭ରେ ‘କାବିଲ୍’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ପରବର୍ତ୍ତୀ ସମୟରେ ‘ମୁମ୍ବାଇ ସାଗା’, ‘ଭିସ୍ଫୋଟ୍’ ଓ ‘ଦ ମିରାଣ୍ଡା ବ୍ରଦର୍ସ’ ଭଳି ଫିଲ୍ମରେ ମଧ୍ୟ କାମ କରିଥିଲେ।