ଭୁବନେଶ୍ଵର: ଏପ୍ରିଲ ୨ରୁ ପୁଣି ଗାଡ଼ି ପିୟୁସିସି ଯାଞ୍ଚ। ପ୍ରଦୂଷଣ ସାର୍ଟିଫିକେଟ୍ ସହ ଅନ୍ୟ କାଗଜପତ୍ରର ବି ହେବ ଯାଞ୍ଚ। ଏପ୍ରିଲ ୧୦ ଯାଏ  ଚାଲିବ ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ବିଭାଗ ଦ୍ବାରା ସଡ଼କ ସୁରକ୍ଷାକୁ ନେଇ ଜାରି ରହିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ଯାଏଁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୧ରୁ ଏହି ଅଭିଯାନ ଆରମ୍ଭ ହୋଇଛି।

ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଚାଲିଥିବା ଏହି ଅଭିଯାନରେ ରାଜ୍ୟବ୍ୟାପି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହାସହ ଅମାନିଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ ପାଇଁ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ଵ ଦିଆଯାଇଛି। ସେହିଭଳି ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ କୋହଳ ଥିବା ବେଳେ ଏପ୍ରିଲ ୨ରୁ ମୋଟର ଯାନ ଆଇନର ଅନ୍ୟାନ୍ୟ ନିୟମ ସହ ପିୟୁସିସି ଯାଞ୍ଚ ମଧ୍ୟ କରାଯିବ।

Also Read: ଯୁଦ୍ଧ ଯୋଗୁ ରାଜ୍ୟରେ ନହେଉ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ: ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଏହା ପୂର୍ବରୁ ପିୟୁସିସିକୁ ନେଇ ରାଜ୍ୟରେ ବେଶ ଚହଳ ପଡ଼ିଥିଲା। ରାଜ୍ୟ ସରକାର ଅଚାନକ ଜରିମାନା ପୈଠ କଲେ ହିଁ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ବୋଲି ବିଜ୍ଞପ୍ତି ଜାରି କରିଥିଲେ। ଏହା ସହିତ ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ  ଜରିମାନା ଲାଗୁ କରିଥିଲେ। ଫଳରେ ଅନେକ  ଟୋଲ୍ ଗେଟରେ ପିୟୁସିସି ନ ଥିବାରୁ ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗିଥିଲା। ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଅଚାନକ ଏମିତି ନିୟମ ଲାଗୁ କରି ଲୋକଙ୍କଠୁ ପିୟୁସିସି ନାଁରେ ଜରିମାନା ଆଦାୟକୁ ନା ପସନ୍ଦ କରିଥିଲେ ଲୋକେ। ଜନ ଆକ୍ରୋଶ ବଢିବାରୁ ବାଧ୍ୟ ହୋଇ ସରକାର ଜରିମାନା ପୈଠ ସହ ପିୟୁସିସି ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟ ଦେଇଥିଲେ। ଏବେ ଏହି ଅବଧି ସରି ସାରି ଥିବାରୁ ପୁଣି ଥରେ ପରିବହନ ବିଭାଗ ପିୟୁସିସି ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ପୁଣି ଥରେ ପ୍ରଦୂଷଣ ଯାଞ୍ଚ ଯାନ ପାଖରେ ଆସନ୍ତକାଲିଠୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିପାରେ।

Also Read: ମଧ୍ୟପ୍ରାଚ୍ୟ ଯୁଦ୍ଧର ଇଫେକ୍ଟ, ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ