ସ୍ୱପ୍ନ ଯଦି ବଡ଼ ହୁଏ, ତେବେ ତାକୁ ପୂରଣ କରିବାର ଜିଦ୍ ବି ସେତିକି ମଜବୁତ ହେବା ଦରକାର। ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବଲିଉଡ୍ର ବାଦଶାହ ଶାହରୁଖ ଖାନ। ମୁମ୍ବାଇର ଵିଚ୍ ସାମ୍ନାରେ ଥିବା ତାଙ୍କ ସ୍ୱପ୍ନର ଠିକଣା 'ମନ୍ନତ୍' ଆଜି କେବଳ ଏକ ବଙ୍ଗଳା ନୁହେଁ, ବରଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଏକ ଭାବନା। କିନ୍ତୁ ଏହି ମନ୍ନତ୍କୁ ନେଇ ଏବେ ଏକ ରୋଚକ କାହାଣୀ ସାମ୍ନାକୁ ଆସିଛି। ଆଉ ଏହି କାହାଣୀ ଶୁଣାଇଛନ୍ତି ଆଉ କେହି ନୁହେଁ, ବଲିଉଡ୍ ଅଭିନେତା ଅନିଲ କପୁର।

ନିକଟରେ ଷ୍ଟାର୍ ପ୍ଲସ ଶୋ 'ଇଣ୍ଡିଆସ୍ ଟପ୍ ୧%'ରେ ଏହି କାହାଣୀର କିଛି ଅଜଣା ଦିଗ ସାମ୍ନାକୁ ଆଣିଛନ୍ତି ଅନିଲ କପୁର। ଶୋ'ର ଜଣେ ପ୍ରତିଯୋଗୀ ଏକ କୋଟି ଟଙ୍କା ଜିତିଲେ ମୁମ୍ବାଇରେ ମନ୍ନତ୍ ଭଳି ସମୁଦ୍ର କୂଳରେ ଏକ ଘର କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଉ ଏହା ଶୁଣିବା ମାତ୍ରେ ଅନିଲ କପୁରଙ୍କ ମନେ ପଡ଼ିଯାଇଥିଲା ତାଙ୍କ ବନ୍ଧୁ ଶାହରୁଖଙ୍କ ସ୍ୱପ୍ନର କାହାଣୀ।

ଅନିଲ କହିଛନ୍ତି, ଶାହରୁଖଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ 'ବେନାମ ବାଦଶାହ' ଚଳଚ୍ଚିତ୍ରର ସୁଟିଂ ସମୟରେ ହୋଇଥିଲା। ପ୍ରଥମ ଦେଖାରେ ହିଁ ଶାହରୁଖଙ୍କ ଆଖିରେ ସେ ଜଣେ ବଡ଼ ଷ୍ଟାର୍ର ଝଲକ ଦେଖିପାରିଥିଲେ। ଆଉ ସେହି ପ୍ରଥମ ପରିଚୟ ଧୀରେ ଧୀରେ ଏକ ଗଭୀର ବନ୍ଧୁତାରେ ପରିଣତ ହୋଇଥିଲା। କାର୍ଟର ରୋଡ୍ରେ ଥିବା ଶାହରୁଖଙ୍କ ପୁରୁଣା ଫ୍ଲାଟ୍ରେ ମଧ୍ୟ ଦୁହେଁ ଅନେକ ସମୟରେ ଭେଟୁଥିଲେ। ସେତେବେଳେ ଶାହରୁଖଙ୍କ ମନରେ ଥିଲା ସମୁଦ୍ର କୂଳରେ ନିଜର ଏକ ଭବ୍ୟ ବଙ୍ଗଳା କିଣିବାର ସ୍ୱପ୍ନ। ଆଉ ଦିନେ ସେହି ସ୍ୱପ୍ନ ସତ ହୋଇଥିଲା। ଶାହରୁଖ ଯେତେବେଳେ ମନ୍ନତ୍ କିଣିଥିଲେ, ସେହି ମୁହୂର୍ତ୍ତର ସାକ୍ଷୀ ଥିଲେ ଅନିଲ କପୁର।

ସବୁଠାରୁ ରୋଚକ କଥା ହେଉଛି, ଶାହରୁଖ ଖାନ ମନ୍ନତ୍କୁ ନିଜ ଘର କରିବାର ବହୁ ପୂର୍ବରୁ ଅନିଲ କପୁର ସେହି ବଙ୍ଗଳାରେ 'ତେଜାବ' ଫିଲ୍ମର କିଛି ଦୃଶ୍ୟର ସୁଟିଂ କରିଥିଲେ। ଅର୍ଥାତ୍ ମନ୍ନତ୍ ସହ ଅନିଲଙ୍କର ମଧ୍ୟ ରହିଛି ପୁରୁଣା ସିନେମାଟିକ୍ ସମ୍ପର୍କ। ଗୋଟିଏ ଦିନର ସ୍ୱପ୍ନ ଆଜି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପାଲଟିଛି ପ୍ରେରଣା। ଶାହରୁଖଙ୍କ ମନ୍ନତ୍ କେବଳ ତାଙ୍କ ସଫଳତାର ପରିଚୟ ନୁହେଁ, ବରଂ ଏହା ପ୍ରମାଣ କରେ ଯେ ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଥିଲେ ସ୍ୱପ୍ନ ବି ଦିନେ ବାସ୍ତବ ରୂପ ନିଏ।