ଭୁବନେଶ୍ୱର ୩୧।୧୦ : ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ ଶନିବାରକୁ ଅବପାତ ରୂପ ନେଇପାରେ । ପରବର୍ତ୍ତୀ ଦୁଇଦିନ ଭିତରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ରାଜ୍ୟରେ କିଛି ବର୍ଷା ହୋଇପାରେ । ମାତ୍ର ବଡ଼ କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍‌ । ତେବେ ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ବଜ୍ରପାତ ସହ ପବନ ହୋଇପାରେ ।

ଶନିବାର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତିର ସ୍ଥାନେ ସ୍ଥାନେ ବଜ୍ରପାତ ସହ ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନ ୫୦ କିମି ପର୍ଯ୍ୟନ୍ତ ଯାଇପାରେ । ନଭେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ରହିପାରେ। ଅଳ୍ପ କିଛି ସ୍ଥାନରେ ବର୍ଷା ହେବା ସହ ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପବନ ଆଶଙ୍କା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ତେବେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।

Also Read:-ଭାରତକୁ ମକ୍କା ସାମରିକ ଚୁକ୍ତିର ଭୟ ଦେଖାଇଲା ତୁର୍କୀ: କହିଲା ସମୟ ଆସିଲେ ଶକ୍ତି ଦେଖାଇବୁ !

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିଛି ସ୍ଥାନରେ ପାଗ ଆଂଶିକ ମେଘୁଆ ରହିପାରେ । ମାତ୍ର ବର୍ଷା ବିଶେଷ ନାହିଁ । ଆଣ୍ଡାମାନ ସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଆନ୍ଧ୍ର କିମ୍ବା ଉତ୍ତର ତାମିଲନାଡ଼ୁ ଆଡ଼କୁ ଗତି କରିପାରେ । ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବନି । ଆସନ୍ତା ୨/୩ ତାରିଖବେଳକୁ ଅଳ୍ପ କିଛି ଜାଗାରେ ହାଲୁକା ବର୍ଷା ହୋଇପାରେ।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୩୧ରେ ଅବପାତ ହେବା ସମ୍ଭାବନା ଅଛି । ପରେ ୧-୩ ନଭେମ୍ବର ମଧ୍ୟରେ ଏହା ବଙ୍ଗୋପସାଗର ଦେଇ ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳ ଆଡ଼କୁ ଯାଇପାରେ । ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ଉତ୍ତର ତାମିଲନାଡ଼ୁ ଉପକୂଳକୁ ଯିବାର ସମ୍ଭାବନାକୁ ମଧ୍ୟ ବାଦ୍‌ ଦିଆଯାଇପାରିବ ନାହିଁ । ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ କିମ୍ବା ସାମାନ୍ୟ ତୀବ୍ରତାର ବାତ୍ୟାରେ ପରିଣତ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ।

୧ରୁ ୩ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ ସଂଲଗ୍ନ ସମୁଦ୍ରରେ ପବନ ବେଗ ଘଣ୍ଟା ପ୍ରତି ୩୫-୪୫ କିମି ଏବଂ ଝଟକା ପବନ ୫୫ କିମି ପର୍ଯ୍ୟନ୍ତ ଯାଇପାରେ । ଏ ସମୟରେ ମତ୍ସ୍ୟଜୀବୀ ସମୁଦ୍ର ଅଞ୍ଚଳକୁ ନ ଯିବା ଉଚିତ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଅଞ୍ଚଳରେ ପବନ ବେଗ ୨୦-୩୫ କିମି ଏବଂ ଝଟକା ପବନ ୪୫ କିମି ରହିପାରେ । ଗଞ୍ଜାମ ଓ ଗଜପତିରେ ୧ ଓ ୨ ତାରିଖରେ ହାଲୁକାରୁ ମଧ୍ୟମ ଏବଂ କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ଖୋର୍ଦ୍ଧା, କଟକରେ ପବନ ବେଗ ୧୫-୨୫ କିମି ରହିପାରେ । କୋରାପୁଟ, ରାୟଗଡ଼ା, ମାଲକାନଗିରିରେ ୧-୨ ତାରିଖରେ ହାଲୁକାରୁ ମଧ୍ୟମ ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । କନ୍ଧମାଳରେ ବିକ୍ଷିପ୍ତ ମଧ୍ୟମ ବର୍ଷା ଏବଂ ଖୋର୍ଦ୍ଧା ଓ କଟକରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା ଅଛି ।

​​​​​​​Watch Video:-