ଭୁବନେଶ୍ବର ୩୧।୧୦: ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ-ନିକୋବର ଦୀପପୁଞ୍ଜ ତଥା ଆଣ୍ଡାମାନ ସାଗର ଉପରେ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୬ ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ତା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୨ ତାରିଖ କିମ୍ବା ୨ ନଭେମ୍ବର ସନ୍ଧ୍ୟା ସମୟରେ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାଖାପାଖି ଆସି ପହଞ୍ଚିବାର ସମ୍ଭାବନା ରହିଛି ।

ଅକ୍ଟୋବର ୩୧ ଏବଂ ନଭେମ୍ବର ୧ ରାଜ୍ୟରେ ବଡ଼ଧରଣର ବର୍ଷାର ବିଶେଷ ସମ୍ଭାବନା ନାହିଁ, ତେବେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ନଭେମ୍ବର ୨ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସେହିଭଳି ନଭେମ୍ବର ୪ ଏବଂ ୫ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହାଛଡ଼ା କଳାହାଣ୍ଡି, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Also Read:- କନ୍ଧମାଳରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନ ପରେ ନିଖୋଜଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

ନଭେମ୍ବର ୨ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି. ରହିବା ସହ ଝଟକା ପବନର ବେଗ ୬୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ । ନଭେମ୍ବର ୪ ଓ ୫ ଏହି ଦିନମାନଙ୍କରେ ପବନର ବେଗ ୪୦ ରୁ ୬୦ କି.ମି. ଏବଂ ଝଟକା ପବନ ୭୦ କି.ମି. ପ୍ରତି ଘଣ୍ଟା ଯାଏଁ ପହଞ୍ଚିପାରେ । ମୟୂରଭଞ୍ଜ, କେନ୍ଦୁଝର ଏବଂ ଉତ୍ତର ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ୪୦-୫୦ କି.ମି. ବେଗରେ ପବନ ବହିପାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ୟେଲୋ ଆଲର୍ଟ ଜାରି କରାଯିବ । ଯେଉଁଥିରେ ପବନର ଗତି, ବର୍ଷାର ପରିମାଣ ଏବଂ ସମ୍ଭାବିତ ପ୍ରଭାବ ସମ୍ପର୍କରେ ସୂଚନା ଦିଆଯାଉଛି ।