ରୁଷିଆ ଓ ୟୁକ୍ରେନ ମଧ୍ୟରେ ପୁଣି ତୀବ୍ର ଯୁଦ୍ଧ ହେବାର ସଙ୍କେତ ମିଳିଛି। ପ୍ରାୟ ଦୁଇ ସପ୍ତାହର ବିରତି ପରେ ରୁଷିଆର ଏକ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ। ଶୁକ୍ରବାର ରୁଷିଆର ସମାରା ଅଞ୍ଚଳରେ ଥିବା ନୋଭୋକୁଇବିଶେଭସ୍କ ତେଲ ବିଶୋଧନାଗାରକୁ ଟାର୍ଗେଟ୍ କରାଯାଇଥିଲା। ଏହି ଆକ୍ରମଣ ପରେ ସେଠାରେ ଭୟଙ୍କର ନିଆଁ ଲାଗିବା ସହ ଆକାଶରେ ଧୂଆଁ ଦେଖିବାକୁ ମିଳିଛି ।

ଏହି ଆକ୍ରମଣର ଏକ ୧୬ ସେକେଣ୍ଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏକ ଚଳନ୍ତା ଗାଡ଼ିର ଡ୍ୟାସ୍କ୍ୟାମ୍ ରେ କଏଦ ହୋଇଥିବା ଏହି ଭିଡିଓରେ ବିଶୋଧନାଗାର ନିକଟରେ ନିଆଁ ଜଳୁଥିବା ଏବଂ ଆକାଶକୁ ଘନ ଧୂସର ରଙ୍ଗର ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି।

ଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ଆମେରିକାର ଟ୍ରମ୍ପ ପ୍ରଶାସନ ୟୁକ୍ରେନ ଉପରେ ଚାପ ପକାଇବା ପରେ ରୁଷିଆର ତେଲ ବିଶୋଧନାଗାର ଉପରେ ୟୁକ୍ରେନର ଆକ୍ରମଣ ପ୍ରାୟ ଦୁଇ ସପ୍ତାହ ଧରି ବନ୍ଦ ରହିଥିଲା। ବିଶ୍ୱ ବଜାରରେ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତା ଥିବାରୁ ଆମେରିକା ଏଭଳି ପଦକ୍ଷେପ ନେଇଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ଆମେରିକାର ମିଡ଼ଟର୍ମ ନିର୍ବାଚନ ହେତୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଘୋଷିତ ବିରତି ଜାରି ରହିବ ବୋଲି ପ୍ରଥମେ ଆଶା କରାଯାଉଥିଲା। କିନ୍ତୁ ଏହା ପୂର୍ବରୁ ୟୁକ୍ରେନ ପୁଣିଥରେ ରୁଷିଆର ତୈଳ ଭିତ୍ତିଭୂମିକୁ ଟାର୍ଗେଟ୍ କରିଛି।

ନୋଭୋକୁଇବିଶେଭସ୍କ ତେଲ ବିଶୋଧନାଗାର ରୁଷିଆର ସରକାରୀ ନିୟନ୍ତ୍ରଣାଧୀନ ତୈଳ କମ୍ପାନୀ ରୋସନେଫ୍ଟର ମାଲିକାନାରେ ରହିଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ମାସ ପରେ ଏହା ଉପରେ ଦ୍ୱିତୀୟ ଥର ପାଇଁ ୟୁକ୍ରେନ ଡ୍ରୋନ୍ ଆକ୍ରମଣ କରିଛି। ଏହି ବିଶୋଧନାଗାରରେ ପ୍ରତିବର୍ଷ ପ୍ରାୟ ୮୮ ଲକ୍ଷ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ବିଶୋଧନ କରାଯାଏ। ଏଠାରୁ ବିମାନ ଇନ୍ଧନ, ପେଟ୍ରୋଲ, ଡିଜେଲ, ଲୁବ୍ରିକାଣ୍ଟ ସମେତ ବିଭିନ୍ନ ପେଟ୍ରୋଲିୟମ୍ ଉତ୍ପାଦ ପ୍ରସ୍ତୁତ ହୋଇଥାଏ।

ALSO READ - ଲମ୍ବା ଲଢ଼େଇ ପରେ ନ୍ୟାୟ, ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ନାତିଙ୍କ ୩୦ ଏକର ଜମି ହେଲା ଦଖଲମୁକ୍ତ

ଯୁଦ୍ଧରେ ରୁଷିଆକୁ ଆର୍ଥିକ ଭାବେ ଦୁର୍ବଳ କରିବା ପାଇଁ ୟୁକ୍ରେନ କ୍ରମାଗତ ଭାବେ ରୁଷିଆର ତେଲ ବିଶୋଧନାଗାର, ଇନ୍ଧନ ଡିପୋ ଏବଂ ଶକ୍ତି କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରୁଛି। ଏହାଦ୍ୱାରା ରୁଷିଆର ସେନାକୁ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ କରିବା ସହ ଯୁଦ୍ଧ ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ଉପରେ ପ୍ରଭାବ ପକାଇବାକୁ ୟୁକ୍ରେନ ପ୍ରୟାସ କରୁଛି।ଏହାପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ୟୁକ୍ରେନ ସେନା ଏହି ବିଶୋଧନାଗାର ଉପରେ ଦୂରଗାମୀ ଆକ୍ରମଣ କରିଥିଲା। ସେତେବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସୋସିଆଲ ମିଡିଆରେ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ୟୁକ୍ରେନ ସେନା ଯୁଦ୍ଧକ୍ଷେତ୍ରରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ଥିବା ଏହି ତେଲ ବିଶୋଧନାଗାରକୁ ଟାର୍ଗେଟ୍ କରିଛି। ଏହାଦ୍ୱାରା ରୁଷିଆର ଯୁଦ୍ଧ ଯନ୍ତ୍ରକୁ ଲକ୍ଷ ଲକ୍ଷ ଡଲାରର ରପ୍ତାନି ଆୟରୁ ବଞ୍ଚିତ କରାଯାଇଛି ବୋଲି ସେ ଦାବି କରିଥିଲେ। ରୁଷିଆର ତୈଳ ଭିତ୍ତିଭୂମି ଉପରେ ୟୁକ୍ରେନର ଏହି ଆକ୍ରମଣ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଶକ୍ତି କେନ୍ଦ୍ରଗୁଡ଼ିକର ଗୁରୁତ୍ୱକୁ ପୁଣିଥରେ ସାମ୍ନାକୁ ଆଣିଛି।