ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ଭି. କାମାକୋଟିଙ୍କୁ ଇଙ୍ଗିତ କରି ଲୋକସଭାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଦେଇଥିବା ‘ଗୋମୂତ୍ର ବିଶେଷଜ୍ଞ’ ମନ୍ତବ୍ୟକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ମନ୍ତବ୍ୟକୁ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ହସ୍ତକ୍ଷେପ ଦାବି କରି ୧୪ ହଜାରରୁ ଅଧିକ ଲୋକ ଏକ ଅନଲାଇନ୍ ପିଟିସନ୍‌ରେ ସ୍ୱାକ୍ଷର କରିଛନ୍ତି।

‘ଆକାଡେମିକ ଏଣ୍ଡ ସାଇଣ୍ଟିଫିକ୍ କମ୍ୟୁନିଟି’ ନାମରେ ଦିଯାଇଥିବା ଏହି ପିଟିସନ୍ ଅଗଷ୍ଟ ୧ରେ Change.orgରେ ଆରମ୍ଭ କରାଯାଇଥିଲା।  ପିଟିସନ୍‌ରେ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବା ସହ ଏହା ଏକ ବ୍ୟକ୍ତିଗତ ଓ ଅପମାନଜନକ ମନ୍ତବ୍ୟ ପାଇଁ ଦୁଃଖ ପ୍ରିୟଙ୍କା ଦୁଃଖ ପ୍ରକାଶ କରନ୍ତୁ ବୋଲି ଦାବି କରାଯାଇଛି।
ଓମ୍ ବିର୍ଲାଙ୍କ ହସ୍ତକ୍ଷେପ ଦାବି

ବାଚସ୍ପତି ଓମ୍ ବିର୍ଲାଙ୍କୁ ସମ୍ବୋଧିତ ପିଟିସନ୍‌ରେ କାମାକୋଟିଙ୍କୁ ଇଙ୍ଗିତ କରି ‘ଗୋମୂତ୍ର ବିଶେଷଜ୍ଞ’ ଭଳି ଶବ୍ଦ ବ୍ୟବହାରକୁ ନେଇ ତୀବ୍ର ଆପତ୍ତି କରାଯାଇଛି। ଏପରି ବ୍ୟକ୍ତିଗତ ଓ ଅବମାନନାମୂଳକ ମନ୍ତବ୍ୟ ରାଜନୈତିକ ସମାଲୋଚନା କିମ୍ବା ଯୁକ୍ତିସଙ୍ଗତ ବିତର୍କର ଅଂଶ ହୋଇପାରେନା ବୋଲି ପିଟିସନ୍‌ରେ ଦର୍ଶାଯାଇଛି। ଏହା ଜଣେ ବିଶିଷ୍ଟ ବୈଜ୍ଞାନିକ, ଶିକ୍ଷାବିତ୍ ଏବଂ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି ଏଥିରେ ଅଭିଯୋଗ ହୋଇଛି।

Also Read- ସିଜେଆଇଙ୍କୁ ବିରୋଧ କରି ଫସିଲେ NALSARର ଛାତ୍ରଛାତ୍ରୀ: ବିସିଆଇ କହିଲା, ଆଡଭୋକେଟ ଭାବେ କରନି ପଞ୍ଜୀକୃତ

୩୮ରୁ ଅଧିକ ଦେଶରୁ ସମର୍ଥନ ଦାବି

ପିଟିସନକାରୀଙ୍କ ପକ୍ଷରୁ ଜାରି ପ୍ରେସ୍ ନୋଟ୍‌ରେ ଦାବି କରାଯାଇଛି ଯେ ଭାରତର ବିଭିନ୍ନ ବର୍ଗ, ଅନୁଷ୍ଠାନ ଓ ରାଜ୍ୟର ଲୋକଙ୍କ ସହ ୩୮ରୁ ଅଧିକ ଦେଶରେ ଥିବା ପ୍ରବାସୀ ଭାରତୀୟ ବୈଜ୍ଞାନିକମାନ ଏହି ପିଟିସନକୁ ସମର୍ଥନ କରିଛନ୍ତି। ତେବେ ପିଟିସନ୍‌ରେ ସ୍ୱାକ୍ଷର କରିଥିବା ବ୍ୟକ୍ତିମାନଙ୍କ ପଦବୀ କିମ୍ବା ବୃତ୍ତିଗତ ପରିଚୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇନଥିବା ଜଣାପଡ଼ିଛି।

ପରୀକ୍ଷା ସଂସ୍କାରକୁ ନେଇ ଆରମ୍ଭ ହୋଇଥିଲା ବିବାଦ

ପରୀକ୍ଷା ସଂସ୍କାର ସମ୍ପର୍କିତ ଲୋକସଭା ଆଲୋଚନା ସମୟରେ ପ୍ରିୟଙ୍କା ଗାନ୍ଧୀ କାମାକୋଟିଙ୍କୁ ନେଇ ଏହି ମନ୍ତବ୍ୟ କରିଥିଲେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)ରେ ସଂସ୍କାର ଆଣିବା ପାଇଁ ସରକାର ଗଠନ କରିଥିବା ପରୀକ୍ଷା ସଂସ୍କାର କମିଟିର ସଦସ୍ୟ ଚୟନକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। କାମାକୋଟି ଏହି ଉଚ୍ଚସ୍ତରୀୟ ଟାସ୍କ ଫୋର୍ସର ସଦସ୍ୟ ଥିବାବେଳେ ଏହାର ଅଧ୍ୟକ୍ଷ ହେଉଛନ୍ତି ଇନ୍‌ଫୋସିସର ସହ-ପ୍ରତିଷ୍ଠାତା ନନ୍ଦନ ନିଲେକଣି।

ସମ୍ମାନଜନକ ଭାଷା ବ୍ୟବହାର ପାଇଁ ଦାବି

ପିଟିସନ୍‌ରେ କୁହାଯାଇଛି ଯେ ଏହା କୌଣସି ରାଜନୈତିକ ଦଳ ସପକ୍ଷ କିମ୍ବା ବିପକ୍ଷରେ ନୁହେଁ। ଗଣତାନ୍ତ୍ରିକ ବିତର୍କ କିମ୍ବା ସରକାରୀ ନୀତିର ସମାଲୋଚନାକୁ ରୋକିବା ଏହାର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ନିଯୁକ୍ତି, ନୀତି କିମ୍ବା ଅନୁଷ୍ଠାନିକ ନିଷ୍ପତ୍ତିକୁ ନେଇ ମତଭେଦ ଥିଲେ ବ୍ୟକ୍ତିଗତ ଉପହାସ ବଦଳରେ ଯୁକ୍ତି ଓ ତଥ୍ୟ ଆଧାରରେ ମତ ରଖାଯିବା ଉଚିତ ବୋଲି ଆବେଦନକାରୀମାନେ କହିଛନ୍ତି।

ପିଟିସନକାରୀମାନେ ପ୍ରିୟଙ୍କା ଗାନ୍ଧୀଙ୍କୁ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରି ବ୍ୟକ୍ତିଗତ ଟିପ୍ପଣୀ ପାଇଁ ଦୁଃଖ ପ୍ରକାଶ କରିବାକୁ ଦାବି କରିଛନ୍ତି। ଏଥିସହ ବୈଜ୍ଞାନିକ, ଶିକ୍ଷାବିତ୍ ଏବଂ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କ ବିଷୟରେ ସଂସଦରେ ମର୍ଯ୍ୟାଦାପୂର୍ଣ୍ଣ ଭାଷା ବ୍ୟବହାରର ଉଚ୍ଚ ମାନଦଣ୍ଡ ବଜାୟ ରଖିବାକୁ ବାଚସ୍ପତିଙ୍କ ହସ୍ତକ୍ଷେପ ଦାବି କରାଯାଇଛି।