ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ବଡ଼ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ଏନସିପି ଶରଦ ପାୱାର ମୁଖ୍ୟ ଶରଦ ପାୱାର ବିଜେପି ସହ ରାଜନୈତିକ ସମୀକରଣ ବଦଳାଇବା ନେଇ ଆଲୋଚନା କରୁଥିବା ଚର୍ଚ୍ଚା ଜୋର ଧରିଛି । ମିଡିଆ ରିପୋର୍ଟ ଅନୁସାରେ, ଏନସିପିର ବରିଷ୍ଠ ନେତା ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ଆଇନକୁ ସମର୍ଥନ କରିବା ଏବଂ ମେଣ୍ଟରେ ଯୋଗଦେବା ପାଇଁ ତାଙ୍କ ଝିଅ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଚାହୁଁଛନ୍ତି । ତେବେ ଏହି ଖବରକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ମିଳିନାହିଁ ।

ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁସାରେ, ବିଜେପି ନେତୃତ୍ୱାଧୀନ ଏନଡିଏରେ ଶରଦ ପାୱାରଙ୍କ ଦଳକୁ ସାମିଲ କରିବା ନେଇ ଆଲୋଚନା ଚାଲିଛି । ଏହି ରାଜନୈତିକ ବୁଝାମଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଶରଦ ପାୱାରଙ୍କ ମଧ୍ୟରେ ପରୋକ୍ଷ ଆଲୋଚନା ହେଉଥିବା ନେଇ ଦାବି କରାଯାଇଛି ।

ସଂସଦରେ ସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବିତ ବିଲ୍ ପାରିତ କରିବା ପାଇଁ ବିଜେପିକୁ ଅଧିକ ସାଂସଦଙ୍କ ସମର୍ଥନ ଆବଶ୍ୟକ । ପୂର୍ବରୁ ଏହି ବିଲ୍ ସଂସଦରେ ପାରିତ ହୋଇପାରି ନଥିଲା । ଏଥିପାଇଁ ଉଭୟ ସଦନରେ ଦୁଇ-ତୃତୀୟାଂଶ ସମର୍ଥନ ଯୋଗାଡ଼ କରିବାକୁ ବିଜେପି ଉଦ୍ୟମ କରୁଥିବା କୁହାଯାଉଛି । ଏଭଳି ସ୍ଥିତିରେ ଶରଦ ପାୱାରଙ୍କ ସମର୍ଥନ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।

ରିପୋର୍ଟ ଅନୁସାରେ, ବିଜେପି ପକ୍ଷରୁ ସୁପ୍ରିୟା ସୁଲେଙ୍କୁ କେନ୍ଦ୍ରରେ ଏକ ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀ ପଦ ଦେବାର ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି । କିନ୍ତୁ ଶରଦ ପାୱାର ତାଙ୍କ ଝିଅଙ୍କ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଦାବି କରିଥିବା ଖବର ଆସିଛି । ଏହା ବଦଳରେ ପ୍ରସ୍ତାବିତ ବିଲଗୁଡ଼ିକୁ ସମର୍ଥନ କରିବା ସହ ଅନ୍ୟ ଛୋଟ ଦଳଗୁଡ଼ିକର ସମର୍ଥନ ଯୋଗାଡ଼ କରିବାକୁ ଶରଦ ପାୱାର ଉଦ୍ୟମ କରିପାରନ୍ତି ବୋଲି ଦାବି କରାଯାଇଛି ।

ବିଜେପି ସରକାର ବିରୋଧରେ ଆନ୍ଦୋଳନରୁ ଦୂରେଇଲା ଶରଦ ପାୱାରଙ୍କ ଦଳ !

ଅନ୍ୟପଟେ ଶରଦ ପାୱାରଙ୍କ ଦଳର ଜିଲ୍ଲାସ୍ତରୀୟ ନେତାମାନଙ୍କୁ ବିଜେପି ଏବଂ ଏହାର ବରିଷ୍ଠ ନେତାଙ୍କୁ ସିଧାସଳଖ ଟାର୍ଗେଟ୍ ନକରିବାକୁ ପରାମର୍ଶ ଦିଆଯାଇଥିବା ଖବର ମିଳିଛି । ଡିସେମ୍ବର ୭ରୁ ୯ ତାରିଖ ମଧ୍ୟରେ ମରୁଡ଼ି ପ୍ରଭାବିତ ଚାଷୀଙ୍କ ସମସ୍ୟା ନେଇ ବିଧାୟକ ରୋହିତ ପାୱାରଙ୍କ ନେତୃତ୍ୱରେ ଏକ ଆନ୍ଦୋଳନ କରିବାର ଯୋଜନା ଥିଲା । କିନ୍ତୁ ଦଳର ବରିଷ୍ଠ ନେତୃତ୍ୱ ଜିଲ୍ଲା ସଭାପତିମାନଙ୍କୁ ଏହି ଆନ୍ଦୋଳନ ନକରିବାକୁ କହିଥିବା ଜଣାପଡ଼ିଛି ।