ନୂଆଦିଲ୍ଲୀ:  କୁକୁର ପିଞ୍ଜରା ଭିତରେ ଏବଂ ମାଟି ତଳେ ପ୍ରାୟ ୨୪ ଘଣ୍ଟା ଥିଲା ଶିଶୁ । ୧୧ ମାସର ଶିଶୁଟି ୨୪ ଘଣ୍ଟା ଧରି ମାଟି ତଳେ ଥିଲେ ବି, ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏଭଳି ଅସମ୍ଭବ ଘଟଣା ଆମେରିକାର ସାଉଥ୍ କାରୋଲିନାରୁ ସାମ୍ନାକୁ ଆସିଛି । ନିଖୋଜ ଥିବା ଜଣେ ୧୧ ମାସର ଶିଶୁପୁତ୍ରକୁ ଖୋଜିବା ପାଇଁ ଚାଲିଥିବା ଅଭିଯାନ ଶେଷ ହୋଇଛି ସତ, କିନ୍ତୁ ଏହାର ରହସ୍ୟ ଉଦ୍ଧାରକାରୀ ଦଳକୁ ମଧ୍ୟ ସ୍ତବ୍ଧ କରିଦେଇଛି । ପ୍ରାୟ ୨୪ ଘଣ୍ଟା ଧରି ମାଟି ତଳେ ଏକ କୁକୁର ପିଞ୍ଜରା ଭିତରେ ପୋତି ହୋଇ ରହିବା ପରେ କୋଆ ଶାର୍ପ ନାମକ ଏହି ଶିଶୁଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । 

ଏକ ଜଙ୍ଗଲିଆ ଅଞ୍ଚଳରେ ଖୋଳିବା ସମୟରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ ଉଦ୍ଧାରକାରୀ ଦଳ । ଶିଶୁଟି ୨୪ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର ହେଲା ସତ, କିନ୍ତୁ ମାଟି ତଳେ ସେ କିଭଳି ଜୀବିତ ରହିଲା ତାକୁ ନେଇ ସବୁ ଆଶ୍ଚର୍ଯ୍ୟ । ତଦନ୍ତକାରୀ ଅଧିକାରୀଙ୍କ ମତରେ, ପିଞ୍ଜରା ଚାରିପାଖରେ ଗୁଡ଼ାଯାଇଥିବା ଏକ ଟାୱେଲ୍ ଭିତରେ ଅଳ୍ପ ପରିମାଣର ବାୟୁ ଜମା ହୋଇ ରହିଥିବାରୁ ଶିଶୁଟି ମାଟି ତଳେ ମଧ୍ୟ ପ୍ରଶ୍ୱାସ ନେଇ ଜୀବିତ ରହିପାରିଛି । ରିପୋର୍ଟ ଅନୁଯାୟୀ, ଶିଶୁଟିକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇସାରିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଡାକ୍ତରମାନେ ଆଶା ପ୍ରକାଶ କରିଛନ୍ତି ।

ଗତ ସୋମବାର  ସାଉଥ୍ କାରୋଲିନାର କଲମ୍ବିଆ ପଶ୍ଚିମରେ ଥିବା ଲେକ୍ସିଂଟନ୍ କାଉଣ୍ଟିରୁ କୋଆ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଶିଶୁଟି ତା'ର ଜେଜେମା ପାଟ୍ରିସିଆ କୋମରଙ୍କ ପାଖରେ ରହୁଥିଲା । ଜେଜେମା କୌଣସି କାମରେ ବାହାରକୁ ଯିବା ସମୟରେ ଅନ୍ୟ ଜଣେ ଯତ୍ନ ନେଉଥିବା ବ୍ୟକ୍ତି ଆସିବା ପର୍ଯ୍ୟନ୍ତ ଶିଶୁଟିର ଦାୟିତ୍ୱ ତା'ର ୨୫ ବର୍ଷୀୟ ବାପା ମାଇକେଲ୍ କୋମରଙ୍କୁ ଦେଇଯାଇଥିଲେ । କିନ୍ତୁ ଯେତେବେଳେ ସମ୍ପୃକ୍ତ ବ୍ୟକ୍ତି ଜଣକ ଘରେ ପହଞ୍ଚିଲେ, ସେତେବେଳେ ବାପା ଏବଂ ଶିଶୁ ଉଭୟେ ସେଠାରୁ ଗାଏବ ହୋଇଯାଇଥିଲେ । ଖବର ପୁଲିସ ପାଖରେ ପହଞ୍ଚିଥିଲା ଏବଂ ଟିମ୍‌ ସ୍ଥାନୀୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା ଯେ, ମାଇକେଲ୍ କୋମର ଶିଶୁଟି ବିନା ଏଣେତେଣେ ବୁଲୁଛନ୍ତି । ଶେଷରେ ସୋମବାର ରାତିରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଅନ୍ୟପଟେ ନିଖୋଜ ଶିଶୁଟିକୁ ଖୋଜିବା ପାଇଁ ପ୍ରାୟ ୧୦୦ ଜଣ ପୁଲିସ ଅଧିକାରୀ ଏବଂ ସୁରକ୍ଷା କର୍ମୀ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲେ ।

ତଲାସୀ ଅଭିଯାନ ସମୟରେ ଶିଶୁଟିର ଜେଜେବାପାଙ୍କ ଘରଠାରୁ ପ୍ରାୟ ୫୦ ଗଜ ଦୂର ଏକ ଜଙ୍ଗଲିଆ ଅଞ୍ଚଳରେ ନିକଟରେ ଖୋଳାଯାଇଥିବା ମାଟି ଦେଖିବା ପରେ ପୁଲିସକୁ ସନ୍ଦେହ ହୋଇଥିଲା । ଅଧିକାରୀମାନେ ସେଠାରେ ମାଟି ଖୋଳିବା ଆରମ୍ଭ କରିବା ମାତ୍ରେ ଭୂମି ତଳୁ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ବହୁ ପରିଶ୍ରମ ପରେ ସେମାନେ ମାଟି ତଳୁ ଏକ ଟାୱେଲ୍ ଗୁଡ଼ାଯାଇଥିବା କୁକୁର ପିଞ୍ଜରା ଭିତରୁ ନିଖୋଜ ଶିଶୁଟିକୁ ଉଦ୍ଧାର କରିଥିଲେ । ସେରିଫ୍ ବ୍ରାଏନ୍ କୁନ୍ କହିଛନ୍ତି ଯେ, ପିଞ୍ଜରାଟିକୁ ବେଶୀ ଗଭୀରରେ ପୋତା ଯାଇନଥିଲା ।  ତା'ର ଉପର ଭାଗରେ ପ୍ରାୟ ଏକ ଫୁଟ୍ ଉଚ୍ଚର ମାଟି ଘୋଡ଼ାଇ ହୋଇ ରହିଥିଲା । ଉଦ୍ଧାର ବେଳେ ଶିଶୁର ଶରୀରରେ କାଦୁଅ ଓ ଧୂଳି ଲାଗିଥିଲା । ତା'ର କାନ୍ଦ ହିଁ ଉଦ୍ଧାରକାରୀ ଦଳକୁ ସଠିକ୍ ସମୟରେ ତା' ପାଖରେ ପହଞ୍ଚିବାରେ ସାହାଯ୍ୟ କରିଥିଲା ।

ପ୍ରାୟ ୨୪ ଘଣ୍ଟା ଧରି ମାଟି ତଳେ ପୋତି ହୋଇ ରହିବା ପରେ ମଧ୍ୟ ଶିଶୁଟି କିପରି ଜୀବିତ ରହିଲା, ତାହା ତଦନ୍ତକାରୀଙ୍କ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ ଥିଲା । ସେରିଫ୍ କୁନ୍ ଅନୁମାନ କରିଛନ୍ତି ଯେ, ପିଞ୍ଜରା ଚାରିପାଖରେ ଗୁଡ଼ାଯାଇଥିବା ଟାୱେଲ୍ ଯୋଗୁଁ ଭିତରେ ଏକ 'ଏୟାର ପ୍ୟାକେଟ୍' ସୃଷ୍ଟି ହୋଇଥିଲା । ଏହା ମାଟି ତଳେ ଥିବା ଶିଶୁଟିକୁ ଶ୍ବାସକ୍ରିୟା କରିବାରେ ସାହାଯ୍ୟ କରିଥିଲା । ଏହା ସହିତ ସେଠାକାର ଥଣ୍ଡା ପାଣିପାଗ ମଧ୍ୟ ତା'ର ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଇପାରେ ବୋଲି କୁହାଯାଉଛି । ଉଦ୍ଧାର ହେବା ପରେ ତୁରନ୍ତ କୋଆକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ରାତିରେ ତାକୁ ଡିସଚାର୍ଜ କରାଯାଇଛି । ଅନ୍ୟପଟେ, ଶିଶୁଟିର ବାପା ମାଇକେଲ୍ କୋମର ବିରୋଧରେ ହତ୍ୟା ଉଦ୍ୟମ, ଶିଶୁ ପ୍ରତି ବେଆଇନ ଆଚରଣ, ହେପାଜତରେ ହସ୍ତକ୍ଷେପ ଏବଂ ଚୋରି ଭଳି ଏକାଧିକ ସଙ୍ଗୀନ ଦଫା ଲଗାଯାଇଛି ।