ଭୁବନେଶ୍ବର ୨୩।୧୧: ବିଦେଶ ଗସ୍ତକୁ ନେଇ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମୋର ବିଦେଶ ଗସ୍ତ ବହୁତ ସୀମିତ । କେବଳ ଓଡ଼ିଶାର ସ୍ବାର୍ଥ ପାଇଁ ବିଦେଶ ଯାଇଛି । ମୋ ଓ ମୋ ଅଫିସରଙ୍କ ବିଦେଶ ଗସ୍ତକୁ ନେଇ ମିଥ୍ୟା ଅଭିଯୋଗ ଅଣାଯାଇଛି । ମୁଁ ଠିକ୍ ଭାବେ ବୁଝିଛି କ’ଣ ପାଇଁ ମୋ ବିରୋଧରେ ଓ ମୋ ଅଫିସରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି । ଠିକ୍ ସମୟରେ ଏହାର ଉଚିତ ଜବାବ ଦିଆଯିବ ବୋଲି ନବୀନ କହିଛନ୍ତି ।

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିଜେପିର ଫଳାଫଳ ନେଇ ମଧ୍ୟ ବିରୋଧୀ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି, ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିରୋଧୀ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ବିଳମ୍ବ କରିବାର ଆଶଙ୍କା ରହିଥିବା ନବୀନ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୋହନ ସରକାର । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ ଓ IPS ରବିକାନ୍ତଙ୍କ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ । ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୨୨-୨୩ ଓ ୨୦୨୩-୨୪ରେ ବିଦେଶ ଗସ୍ତର ତଦନ୍ତ ହେବ । ବିଭିନ୍ନ RTI ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହ ଜନକ, ଅସ୍ବଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି । ତେଣୁ ଏସବୁ ଅଭିଯୋଗ ଦୃଷ୍ଟିରୁ ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Also Read:- ବୁକ୍ ସର୍କୁଲାର-୪୭କୁ ନେଇ ବିଧାନସଭାରେ ହଙ୍ଗାମା, ଅଧିକାରୀଙ୍କ ମନମାନି ନେଇ ବିରୋଧୀଙ୍କ ଅସନ୍ତୋଷ

ଯାହାକୁ ନେଇ ଆରୋପ ପ୍ରତ୍ୟାରୋପ ବଢ଼ିଥିଲା । ବିଜେଡିକୁ ସିଧାସଳଖ ନିଶାନା କରିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଥିଲେ, ବିଜେଡିର ତଦନ୍ତକୁ ଏତେ ଡର କ’ଣ ପାଇଁ । ତଦନ୍ତ ହେବାରେ କ’ଣ ଅସୁବିଧା ଅଛି ? ମୋର ଯଦି ସ୍ବଚ୍ଛତା ଥିବ, ହଜାରେ ତଦନ୍ତ ହେଲେ ବି ଅସୁବିଧା କ’ଣ ବୋଲି ପ୍ରଶ୍ନ କରିଥିଲେ । ଏମିତି କି ନବୀନ ପଟ୍ଟନାୟକଙ୍କ ବିରୋଧରେ ଆଲୋଚନା ଚର୍ଚ୍ଚା ହେଲେ ଅସୁବିଧା କ’ଣ ବୋଲି ସେ କହିଥିଲେ । ଜବାବରେ ବିଜେଡି କହିଥିଲା, ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ଆମେ ସ୍ବାଗତ କରୁଛୁ । ହେଲେ ସରକାର ବନ୍ୟା ପରିଚାଳନାରେ ବିଫଳ, ଭତ୍ତା ବଣ୍ଟନ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବ୍ୟାକ୍ ଫୁଟରେ ଅଛନ୍ତି । ଏହି କଥାକୁ ଘୋଡାଇବାକୁ ଅପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ଅଣାଯାଇଥିବା ଅଭିଯୋଗ ଆଣିଥିଲା ବିଜେଡି । ସେହିପରି ପୂର୍ବରୁ ହୋଇଥିବା ୩ଟି ତଦନ୍ତ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ ବିଜେଡି ନେତା ।

Watch Video: